ଭାଜପାରେ ରମେଶ, ସ୍ବାଗତ କଲେ ଧର୍ମେନ୍ଦ୍ର

ଛେଣ୍ଡିପଦା,୬ା୪ (ଅଜିତ ଧଳ): ବିଜେଡି ଛାଡ଼ିବାର ୨୪ ଘଣ୍ଟା ନ ପୂରୁଣୁ ଅନୁଗୋଳ ଜିଲା ଆଠମଲ୍ଲିକ ବିଧାୟକ ରମେଶ ଚନ୍ଦ୍ର ସାଏ ଶୁକ୍ରବାର ଭାଜପାରେ ସାମିଲ ହୋଇଛନ୍ତି। ଅନୁଗୋଳ ଜିଲା କତଡାଠାରେ ଅନୁଷ୍ଠିତ ଏକ ଦଳୀୟ କାର୍ଯ୍ୟକ୍ରମରେ ଉପସ୍ଥିତ ଥିବା କେନ୍ଦ୍ରମନ୍ତ୍ରୀ ତଥା ଭାଜପାର ସମ୍ବଲପୁର ଏମ୍‌ପି ପ୍ରାର୍ଥୀ ଧର୍ମେନ୍ଦ୍ର ପ୍ରଧାନ ଉତ୍ତରୀୟ ପିନ୍ଧାଇ ବିଧାୟକ ରମେଶଙ୍କୁ ଦଳକୁ ସ୍ବାଗତ କରିଥିଲେ। ଏହି ମିଶ୍ରଣ ପର୍ବ ଆଠମଲ୍ଲିକ, ଅନୁଗୋଳ ସମେତ ଓଡ଼ିଶାରେ ଭାଜପା ସାଙ୍ଗଠନିକ ସ୍ଥିତିକୁ ଅଧିକ ମଜଭୁତ କରିବ ବୋଲି କେନ୍ଦ୍ରମନ୍ତ୍ରୀ ପ୍ରକାଶ କରିଥିଲେ।
ଏହି କାର୍ଯ୍ୟକ୍ରମରେ କେନ୍ଦ୍ରମନ୍ତ୍ରୀ ଆଠମଲ୍ଲିକର ତୃଣମୂଳସ୍ତରର କାର୍ଯ୍ୟକର୍ତ୍ତାଙ୍କୁ ଭେଟି ନିର୍ବାଚନୀ ପ୍ରଚାର ଉପରେ ବିଚାରବିମର୍ଶ କରିଥିଲେ। ଅଇଡା, ମାଧପୁର, ନାକଚି, ଠାକୁରଗଡ, ବଇଣ୍ଡା, ଆଠମଲ୍ଲିକ ଏନଏସି, କିଶୋରନଗର ଓ ସାତକୋଶିଆ ମଣ୍ଡଳର କାର୍ଯ୍ୟକର୍ତ୍ତାଙ୍କ ସହ ଆଲୋଚନା କରିଥିଲେ। ଏଥିସହ କେନ୍ଦ୍ରମନ୍ତ୍ରୀ କହିଥିଲେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦୃଢ ନେତୃତ୍ୱ ଓ ରାଜନୈତିକ ଇଚ୍ଛାଶକ୍ତିକୁ ସ୍ବୀକାର କରି ଦଳରେ ଯୋଗଦେଇଥିବାରୁ ବିଧାୟକ ସାଏଙ୍କୁ ଧନ୍ୟବାଦ। ଆଠମଲ୍ଲିକ ସ୍ବାଭିମାନ, ଗଡ଼ଜାତ ଓ ଚଷାଚାଷୀଙ୍କ ଅଞ୍ଚଳ। ଆଠମଲ୍ଲିକ ଓଡ଼ିଆ ଅସ୍ମିତାର ପ୍ରୟୋଗଶାଳା ହୋଇଛି। ଏଠାରେ ୫ ଜଣଙ୍କ ପକେଟ ଗରମ କରିବା ପାଇଁ ନୁହେଁ ବରଂ ଆଞ୍ଚଳିକ ବିକାଶ ନିର୍ବାଚନର ପ୍ରସଙ୍ଗ ହୋଇଛି। ଠିକାଦାରରାଜ ନୁହେଁ ବରଂ ଲୋକରାଜ କରିବା ଭାଜପାର ସଂକଳ୍ପ। ଆଠମଲ୍ଲିକ ଓ ଅନୁଗୋଳ ସମେତ ଓଡ଼ିଶା ତଥା ଦେଶର କୋଣ ଅନୁକୋଣରେ ପ୍ରଧାନମନ୍ତ୍ରୀଙ୍କ ପ୍ରତି ଜନତାଙ୍କ ଆସ୍ଥା ବଢ଼ିଛି। ୬ ତାରିଖ ଶନିବାର ଭାଜପାର ପ୍ରତିଷ୍ଠା ଦିବସକୁ ଘରେ ଘରେ ଭାଜପା ପତକା ଲଗାଇ ପାଳନ କରିବା ପାଇଁ କେନ୍ଦ୍ରମନ୍ତ୍ରୀ କାର୍ଯ୍ୟକର୍ତ୍ତାଙ୍କୁ ପରାମର୍ଶ ଦେଇଥିଲେ। ବିଧାୟକ ରମେଶଙ୍କ ସହ ଆଠମଲ୍ଲିକର ପୂର୍ବତନ ବ୍ଲକ ବିଜେଡି ସଭାପତି ବୃନ୍ଦାବନ ସାହୁ, ପୂର୍ବତନ ଜିଲା ପରିଷଦ ସଦସ୍ୟ ଯୁଧିଷ୍ଟିର ସିଂହ, ତିମିର ନାୟକ, ଚୌଧୁରୀ ସାଏ, କୁଶ ନାୟକ, ପ୍ରଦୀପ ବୀର, ସୁବାସ ନାୟକ, ଲିଙ୍ଗରାଜ ସାହୁ, ଲକ୍ଷ୍ମଣ ବେହେରା, ପ୍ରଶାନ୍ତ ପ୍ରଧାନଙ୍କ ସମେତ ବିଜେଡିର ବହୁ କର୍ମୀ ଭାଜପାରେ ସାମିଲ ହୋଇଥିଲେ। ଏହି ମିଶ୍ରଣ ପର୍ବରେ ଭାଜପା ଆଠମଲ୍ଲିକ ବିଧାୟକ ପ୍ରାର୍ଥୀ ସଞ୍ଜୀବ ସାହୁ ଉପସ୍ଥିତ ଥିଲେ।