ବରଗଡ଼,୫ା୬(ପ୍ରେମାନନ୍ଦ ଖମାରୀ): ବରଗଡ଼ର ଜଣାଶୁଣା ରାଜନେତା, ପୂର୍ବତନ ମନ୍ତ୍ରୀ ତଥା ବର୍ତ୍ତମାନର ରେଢ଼ାଖୋଲ ବିଧାୟକ ପ୍ରସନ୍ନ ଆଚାର୍ଯ୍ୟଙ୍କ ଧର୍ମପତ୍ନୀ ଚାରୁଶୀଳା ଆଚାର୍ଯ୍ୟ(୬୮)ଙ୍କ ଗୁରୁବାର ଭୋର୍ରେ ତାଙ୍କ ବରଗଡ଼ସ୍ଥିତ ବାସଭବନରେ ହୃଦ୍ଘାତରେ ପରଲୋକ ହୋଇଯାଇଛି। ତାଙ୍କ ପରଲୋକ ଖବର ପାଇ ଆତ୍ମୀୟ ସ୍ବଜନଙ୍କ ସମେତ ବରଗଡ଼ର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଶେଷ ଦର୍ଶନ ସହିତ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ସ୍ବର୍ଗତା ଆଚାର୍ଯ୍ୟ ଧର୍ମପରାୟଣ ଜଣେ ମହିଳା ଥିଲେ। ସେ ତାଙ୍କ ଚକ୍ଷୁଦାନ ମଧ୍ୟ କରିଛନ୍ତି। ଡାକ୍ତରୀ ଦଳ ପହଞ୍ଚି ତାଙ୍କ ପାର୍ଥିବ ଶରୀରରୁ ଚକ୍ଷୁ ସଂଗ୍ରହ କରିଥିଲେ। ଅପରାହ୍ନ ୩ଟାରେ ସ୍ଥାନୀୟ ଜୀରାନଦୀ କୂଳ ସ୍ବର୍ଗଦ୍ୱାରରେ ତାଙ୍କ ଅନ୍ତ୍ୟେଷ୍ଟି କ୍ରିୟା ସମ୍ପନ୍ନ ହେବ ବୋଲି ପରିବାର ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି।


