ଦୁର୍ଘଟଣାରେ ଆହତଙ୍କୁ ଉଠାଇ ଡାକ୍ତରଖାନା ପଠାଇଲେ ବିଧାୟକ

ଲୋଇସିଂହା,୧୬।୧୦(ଡି.ଏନ୍‌.ଏ): ବଲାଙ୍ଗୀର-ବରଗଡ଼ ୨୬ ନମ୍ବର ଜାତୀୟ ରାଜପଥର ଲୋଇସିଂହା ଥାନା ଅଧୀନ ପୁଟାପାଲି କୁଶଙ୍ଗାଇ ପୋଲ ନିକଟରେ ଏକ ବୋଲେରୋ ପିକ୍‌ଅପ୍‌ (ନଂ.ଓଡି ୧୫ ଇ୪୨୬୩) ଜଣେ ଫାଇନାନ୍ସ କର୍ମଚାରୀଙ୍କ ବାଇକ୍‌ (ନଂ.ସିଜି ୦୬ ଜିୟୁ ୪୨୪୯)କୁ ଶନିବାର ରାତିରେ ଧକ୍କା ଦେଇଥିଲା। ଏଥିରେ ବାଇକ୍‌ ଚାଳକ ବଲାଙ୍ଗୀର ଏଭିରାଲ ଫାଇନାନ୍ସର ଏରିଆ ମ୍ୟାନେଜର ସୁଦୀପ କୁମାର ବିଶ୍ୱାଳ ଗୁରୁତର ଆହତ ହୋଇଥିଲେ। ଏ ନେଇ ଲୋଇସିଂହା ବିଧାୟକ ମୁକେଶ ମହାଲିଙ୍ଗ ଦୁର୍ଘଟଣା ସଂକ୍ରାନ୍ତରେ ସ୍ଥାନୀୟ ପୋଲିସ ଓ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ। ପୋଲିସ ଏବଂ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଗୁରୁତରଙ୍କୁ ଉଦ୍ଧାର କରି ଲୋଇସିଂହା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଇଥିଲେ ା ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ବଲାଙ୍ଗୀର ସ୍ଥାନାନ୍ତର କରାଯାଇଛି।

ସୂଚନା ଅନୁଯାୟୀ, ଭଦ୍ରକ ଜିଲା ଚାନ୍ଦବାଲି ଥାନା ଅନ୍ତର୍ଗତ ମାଦଲାପୁର ଗ୍ରାମର ବିଶ୍ୱାଳ ବଲାଙ୍ଗୀର ଏଭିରାଲ ଫାଇନାନ୍ସର ଏରିଆ ମ୍ୟାନେଜର ଭାବେ କାମ କରନ୍ତି ା ବ୍ୟାଙ୍କ କାମରେ ସୋହେଲା ଯାଇ ବଲାଙ୍ଗୀର ଫେରୁଥିବା ବେଳେ ଏହି ଦୁର୍ଘଟଣା ଘଟିଥିଲା। ଏତିକିବେଳେ ସେହି ବାଟ ଦେଇ ବଲାଙ୍ଗୀର ଅଭିମୁଖେ ବିଧାୟକ ମହାଲିଙ୍ଗ ଯାଉଥିବା ବେଳେ ଦୁର୍ଘଟଣା ତାଙ୍କ ନଜରକୁ ଆସିଥିଲା। ବିଧାୟକ ମାନବିକତା ଦେଖାଇ ଗାଡ଼ିରୁ ଓହ୍ଲାଇ ତୁରନ୍ତ ପୋଲିସ ଓ ଅଗ୍ନିଶମ ବାହିନୀକୁ ସୂଚନା ଦେଇଥିଲେ। ବିଧାୟକଙ୍କ ଏପରି ମହତ୍‌ କାର୍ଯ୍ୟକୁ ସାଧାରଣରେ ପ୍ରଶଂସା କରାଯାଉଛି।