ବିଧାୟକ ମନୋହର ରନ୍ଧାରୀ ନିର୍ଦ୍ଦୋଷ

ନବରଙ୍ଗପୁର/ଜୟପୁର,୨୮ା୫(ବି.ପ୍ର./ନି.ପ୍ର.): ଡାବୁଗାଁ ବିଧାୟକ ମନୋହର ରନ୍ଧାରୀଙ୍କ ନାମରେ ଥିବା ଅର୍ଥ ତୋସରପାତ ମାମଲାରେ ସ୍ବତନ୍ତ୍ର ଭିଜିଲାନ୍ସ କୋର୍ଟ ଜଜ୍‌ ରାଜେଶ ଏକ୍କା ତାଙ୍କୁ ନିର୍ଦ୍ଦୋଷ ସାବ୍ୟସ୍ତ କରିଛନ୍ତି। ବିଧାୟକ ରନ୍ଧାରୀ ନନ୍ଦାହାଣ୍ଡି ବ୍ଲକ କିରାଣି ଥିବା ସମୟରେ ଲୁହାଛଡ଼, ସିମେଣ୍ଟ ଓ ଚାଉଳ ଦୁର୍ନୀତି କରି ଅର୍ଥ ହଡ଼ପ କରିଥିବା ନେଇ ତାଙ୍କ ନାମରେ ଅଭିଯୋଗ ଥିଲା। ଏନେଇ ଲୋକାଲ ଅଡିଟ ହୋଇଥିଲା। ୫,୬୬, ୬୦୬ ଟଙ୍କା ଅନିୟମିତତା ହୋଇଥିବା ଜଣାପଡ଼ିବା ପରେ ରନ୍ଧାରୀ ଉକ୍ତ ଟଙ୍କା ବ୍ଲକରେ ଜମା କରିଥିଲେ। ପରବର୍ତ୍ତୀ ସମୟରେ ପୂର୍ବତନ ବିଧାୟକ ସଦନ ନାୟକ ରନ୍ଧାରୀ ସରକାରୀ ଅର୍ଥ ତୋସରପାତ କରିଥିବା ନେଇ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ହାଇକୋର୍ଟଙ୍କ ନିର୍ଦ୍ଦେଶ ପ୍ରକାରେ ସଦନ ନାୟକ ଜୟପୁର ସ୍ବତନ୍ତ୍ର ଭିଜିଲାନ୍ସ କୋର୍ଟରେ ୨୦୧୩ରେ ଅଭିଯୋଗ କରିଥିଲେ।