ବିଧାୟକ କିଶୋର ମହାନ୍ତିଙ୍କ ପରଲୋକ

ଝାରସୁଗୁଡ଼ା ଅଫିସ,୩୦।୧୨: ଝାରସୁଗୁଡ଼ା ଜିଲା ବ୍ରଜରାଜନଗରର ବିଜେଡି ବିଧାୟକ କିଶୋର ମହାନ୍ତିଙ୍କ ଗୁରୁବାର ସନ୍ଧ୍ୟାରେ ପରଲୋକ ହୋଇଯାଇଛି। ହୃଦଘାତ ଯୋଗୁ ତାଙ୍କର ମୃତ୍ୟୁ ଘଟିଥିବା ଜଣାପଡିଛି। ନିଶ୍ୱାସ ଜନିତ ସମସ୍ୟା କାରଣରୁ ତାଙ୍କୁ ଝାରସୁଗୁଡ଼ାର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୬୩ ବର୍ଷ ହୋଇଥିଲା।

ସୂଚନା ଯୋଗ୍ୟ, ସା ପ୍ରାୟ ୬ଟା ବେଳେ ବିଧାୟକ ମହାନ୍ତି ଝାରସୁଗୁଡ଼ା ଜିଲା ବିଜେଡି ପାର୍ଟି ଅଫିସରେ ଜଣେ ବନ୍ଧୁଙ୍କ ବିୟୋଗରେ ଶୋକ ସଭାରେ ଯୋଗଦେଇଥିଲେ। ସେଠାରେ ସେ ଅସୁସ୍ଥ ଅନୁଭବ କରିବାରୁ ବାସଭବନକୁ ଚାଲି ଯାଇଥିଲେ। ଘରେ ପହଞ୍ଚିବା ପରେ ତାଙ୍କର ଛାତିରେ ଯନ୍ତ୍ରଣା ହୋଇଥିଲା। ପରିବାର ଲୋକେ ତାଙ୍କୁ ତୁରନ୍ତ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରିଥିଲେ।

ସେ ୩ ଥର ଝାରସୁଗୁଡ଼ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ। ଏପରି କି ୨୦୦୭ରୁ ୨୦୦୯ ପର୍ଯ୍ୟନ୍ତ ବାଚସ୍ପତି ଦାୟିତ୍ୱ ମଧ୍ୟ ତୁଳାଇଥିଲେ। ରାଜ୍ୟସଭା ସଦସ୍ୟ ଭାବେ ୨୦୦୯ରୁ ୧୨ ପର୍ଯ୍ୟନ୍ତ ରହିଥିଲେ। ଗତ ସାଧାରଣ ନିର୍ବାଚନରେ ସେ ବ୍ରଜରାଜନଗର ନିର୍ବାଚନମଣ୍ଡଳୀରୁ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ। ସେ ଭାଜପାର ରାଧାରାଣୀ ପଣ୍ଡାଙ୍କୁ ପରାସ୍ତ କରି ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ। ତାଙ୍କ ବିୟୋଗରେ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି।