ଗଞ୍ଜାମ,୧୭ା୫(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ହୁମ୍ମା ପଞ୍ଚାୟତର ବିଭିନ୍ନ ଗ୍ରାମକୁ ଯାଇ ଉନ୍ନୟନ ପ୍ରସଙ୍ଗରେ ଗ୍ରାମବାସୀଙ୍କ ସହ ଆଲୋଚନା କରିଛନ୍ତି ଛତ୍ରପୁର ବିଧାୟକ କୃଷ୍ଣଚନ୍ଦ୍ର ନାୟକ। ହୁମ୍ମା ସମିତି ସଭ୍ୟ ତଥା ଭାଜପା ଯୁବ ନେତା ଧ୍ରୁବଚରଣ ପଲାଇ, ଦୁର୍ଯ୍ୟୋଧନ ରେଡ୍ଡୀ, ବନଜ ନାୟକ ପ୍ରମୁଖ ଉପସ୍ଥିତ ଥିଲେ। ଗଡ଼ହୁମ୍ମା ଜଗନ୍ନାଥ ମନ୍ଦିର ନିକଟରେ କଲ୍ୟାଣମଣ୍ଡପ, ଦାସ ସାହି କଲ୍ୟାଣମଣ୍ଡପ ପାଇଁ ୯ ଲକ୍ଷ ଓ ବାଉଁଶିଆ ପଡ଼ାରେ ଅତ୍ୟାଧୁନିକ ଶ୍ମଶାନ ନିମନ୍ତେ ୫ ଲକ୍ଷ ଓ ଫେବର ରୋଡ୍ ଏବଂ ଅନ୍ୟାନ୍ୟ ଉନ୍ନତିମୂଳକ କାର୍ଯ୍ୟ ପାଇଁ ବିଧାୟକ ନିଜସ୍ବ ଫଣ୍ଡରୁ ଅର୍ଥ ମଞ୍ଜୁର କରିଛନ୍ତି l ଏଥିସହ ସ୍ଥାନୀୟ ଜନସାଧାରଣଙ୍କ ମୌଳିକ ସମସ୍ୟା ଓ ଅସୁବିଧା ସମ୍ପର୍କରେ ଗ୍ରାମବାସୀଙ୍କ ସହ ସିଧାସଳଖ ଆଲୋଚନା କରିଥିଲେ ଯୁବ ବିଧାୟକ ନାୟକ। ସ୍ଥାନୀୟ ଅଞ୍ଚଳର ଉନ୍ନତିକରଣ ଏବଂ ସାମଗ୍ରିକ ବିକାଶ ନିମନ୍ତେ ଯୁବ ସମିତି ସଭ୍ୟ ପଲାଇ ଏନେଇ ବିଧାୟକଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ବିଧାୟକଙ୍କ ଆଲୋଚନା ବେଳେ ପୂର୍ବତନ ବ୍ଲକ ଅଧ୍ୟକ୍ଷ ରଘୁନାଥ ସାହୁ, ରଙ୍କନିଧି ପ୍ରଧାନ, ଭାଜପା ଯୁବନେତା ପ୍ରଶାନ୍ତ କୁମାର ପରିଡ଼ା, ସୁଶାନ୍ତ ପରିଡ଼ା, ଭଦ୍ରବ୍ୟକ୍ତି ପ୍ରଶାନ୍ତ ପରିଡ଼ା ପ୍ରମୁଖ ଉପସ୍ଥିତ ଥିଲେ।