ରାୟଗଡ଼ା,୨୮।୪(ଆଶିଷ ରଞ୍ଜନ ପଣ୍ଡା):ରାଜ୍ୟ ସରକାର ଘର ନିକଟରେ ବାର୍ଦ୍ଧକ୍ୟ ଭତ୍ତା ଟଙ୍କା ପହଞ୍ଚାଇବା ବ୍ୟବସ୍ଥା କରିବାକୁ ରାୟଗଡା ବିଧାୟକ ଆପଲସ୍ବାମୀ କାଡ୍ରାକା ସୋମବାର ଦାବି କରିଛନ୍ତି।ସେ କହିଛନ୍ତି, ବହୁ ବୃଦ୍ଧାବୃଦ୍ଧ ପରିଣତ ବୟସରେ ଠିକ୍ ଭାବେ ଚାଲିପାରୁନାହାନ୍ତି। ବୟସ ବଢ଼ିବା ସହ ଦୃଷ୍ଟିଶକ୍ତି ମଧ୍ୟ ହରାଇଲେଣି। ଏଭଳି ସ୍ଥିତିରେ ସେମାନଙ୍କ ଟଙ୍କା ବ୍ୟାଙ୍କ ଖାତାରେ ଜମା ହେଉଥିବାରୁ ଏବଂ ଅଞ୍ଚଳରେ ବ୍ୟାଙ୍କ ନ ଥିବାରୁ ପରିଣତ ବୟସରେ ସେମାନେ ଖରାବର୍ଷାରେ ରାୟଗଡ଼ା ସହରକୁ ଆସି ଆସି ଟଙ୍କା ଉଠାଉଛନ୍ତି। ତେଣୁ ରାଜ୍ୟ ସରକାର ଓ ଜିଲା ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେବା ଆବଶ୍ୟକ ବୋଲି ବିଧାୟକ କାଡ୍ରାକା କହିଛନ୍ତି।
ପ୍ରକାଶ ଯେ, ରାୟଗଡ଼ା ବ୍ଲକ ମହକୁମାଠାରୁ ୧୧ କି.ମି ଦୂର ତାଡ଼ମା ପଞ୍ଚାୟତ ଅର୍ନ୍ତଗତ ଲୁହାଖାଲ ଗ୍ରାମରୁ କେତେଜଣ ବୃଦ୍ଧାବୃଦ୍ଧ ବାର୍ଦ୍ଧକ୍ୟ ଭତ୍ତା ନେବା ପାଇଁ ସୋମବାର ରାୟଗଡ଼ା ବ୍ୟାଙ୍କକୁ ଆସିଥିଲେ। ଭତ୍ତା ଟଙ୍କା ନେବା ପରେ ଖରାରେ ଚାଲି ଚାଲି ନିଜ ଗାଁକୁ ଫେରୁଥିଲେ। ଏହି ସମୟରେ ରାୟଗଡା ବିଧାୟକ କାଡ୍ରକା ଫ୍ଲାଏ ଓଭର ଉପରେ ସେମାନଙ୍କୁ ଦେଖି ଗାଡ଼ି ଅଟକାଇ ଖରାରେ ଚାଲି ଚାଲି କୁଆଡେ ଯାଉଛ ବୋଲି ବୃଦ୍ଧାବୃଦ୍ଧଙ୍କୁ ପଚାରିଥିଲେ। ସେମାନେ ଗାଁକୁ ଫେରୁଥିବା ଜାଣିବା ପରେ ଅଟୋ ଭଡ଼ା କରି ସେମାନଙ୍କୁ ପଠାଇଥିଲେ। ରାୟଗଡ଼ା ବିଧାୟକ କାଡ୍ରାକାଙ୍କ ଏଭଳି ଜନହିତକର କାର୍ଯ୍ୟକୁ ଲୋକେ ପ୍ରଶଂସା କରିଛନ୍ତି। ବିଧାୟକ କାଡ୍ରାକା କୁହନ୍ତି, ପୂର୍ବରୁ ନିର୍ବାଚନରେ ହାରିଥିଲେ ମଧ୍ୟ ଲୋକଙ୍କ ପ୍ରତି ସେବା ମନୋବୃତ୍ତି ଜାରି ରହିଥିଲା। ତେଣୁ ଜୀବନସାରା ଏଭଳି ସମାଜସେବା ଜାରି ରଖିବି ବୋଲି ସେ କହିଛନ୍ତି ।

