କରୋନାରେ ଆକ୍ରାନ୍ତ ହେଲେ ବିଧାୟକ

ବାଲେଶ୍ୱର ଅଫିସ, ୬।୭: ପ୍ରଥମ ଥର ପାଇଁ ରାଜ୍ୟରେ ଜଣେ ବିଧାୟକ କରୋନା ଆକ୍ରାନ୍ତ ହୋଇଛନ୍ତି। ବାଲେଶ୍ୱର ଜିଲାର ଏହି ବିଧାୟକଙ୍କ ରିପୋର୍ଟ ପଜିଟିଭ ଆସିଥିବା ଜଣାପଡ଼ିଛି। ଏହା ପରେ ତାଙ୍କୁ ଚିକିତ୍ସା ପାଇଁ ଜିଲା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ କୋଭିଡ-୧୯ ହସ୍ପିଟାଲକୁ ନେବାର କାର୍ଯ୍ୟକ୍ରମ ଜାରିରହିଛି। ତେବେ ଗତ ୧ ତାରିଖରେ କୌଣସି କାର୍ଯ୍ୟ ପାଇଁ ବିଧାୟକ ଭୁବନେଶ୍ବର ଯାଇଥିଲେ। ୨ ତାରିଖରେ ସେ ବହୁ କାର୍ଯ୍ୟକ୍ରମରେ ମଧ୍ୟ ଯୋଗ ଦେଇଥିଲେ। ୩ ତାରିଖରେ ବାଲେଶ୍ୱର ବିଧାୟକ ସ୍ବର୍ଗତ ମଦନ ମୋହନ ଦତ୍ତଙ୍କ ଶୁଦ୍ଧିକ୍ରିୟା କାର୍ଯ୍ୟକ୍ରମରେ ମଧ୍ୟ ଅଂଶଗ୍ରହଣ କରିଥିଲେ। ଏହା ପରେ ତାଙ୍କ ଦେହ ଅସୁସ୍ଥ ହେବାରୁ ୩ ତାରିଖରେ କରୋନା ଟେଷ୍ଟ ପାଇଁ ତାଙ୍କ ସ୍ବାବ୍‌ ନମୁନା ସଂଗ୍ରହ କରାଯାଇଥିଲା। ସୋମବାର ତାଙ୍କ ରିପୋର୍ଟ ପଜିଟିଭ ଆସିଥିବା ଜଣାପଡ଼ିଛି। ଏ ନେଇ ସ୍ଥାନୀୟ ତହସିଲଦାର ସୂଚନା ଦେଇଛନ୍ତି।