କେବେ ଏ ଦଳ ତ କେବେ ସେ ଦଳ: ପ୍ରାୟ ୪୬ ଦିନ ମଧ୍ୟରେ ୩ଥର ଦଳ ପରିବର୍ତ୍ତନ କରିସାରିଲେଣି ଏହି ବିଧାୟକ

ଚଣ୍ଡିଗଡ଼,୧୨।୨: ବିଧାନସଭା ନିର୍ବାଚନ ପାଇଁ ୫ଟି ରାଜ୍ୟରେ ରାଜନୈତିକ ଉଷ୍ଣତା ଜାରି ରହିଛି। ସମସ୍ତ ରାଜ୍ୟରେ ପ୍ରଚାରକୁ ଜୋରଦାର କରାଯାଇଥିବା ବେଳେ ଏବେ ବି ଦଳ ପରିବର୍ତ୍ତନ ପର୍ବ ଜାରି ରହିଛି। ଉତ୍ତରପ୍ରଦେଶ, ଗୋଆ, ଉତ୍ତରାଖଣ୍ଡ ଓ ତ୍ରିପୁରା ପରେ ଏବେ ପଞ୍ଜାବରେ ମଧ୍ୟ ଏହି ଦଳ ପରିବର୍ତ୍ତନ ପ୍ରକ୍ରିୟା ଆରମ୍ଭ ହୋଇଛି। ଏହିକ୍ରମରେ ପଞ୍ଜାବରୁ ଏକ ଆଶ୍ଚର୍ଯ୍ୟଜନକ ମାମଲା ସାମ୍ନାକୁ ଆସିଛି। ଯେଉଁଥିରେ ୪୬ ଦିନ ମଧ୍ୟରେ କଂଗ୍ରେସ ବିଧାୟକ ତୃତୀୟ ଥର ପାଇଁ ଦଳ ପରିବର୍ତ୍ତନ କରିଥିବା ଜଣାପଡ଼ିଛି। ପଞ୍ଜାବ ହରଗୋବିନ୍ଦପୁରର କଂଗ୍ରେସ ବିଧାୟକ ବଲବିନ୍ଦର ସିଂ ଲାଡି ଶୁକ୍ରବାର କଂଗ୍ରେସର ଛାଡି ଭାଜପାରେ ସାମିଲ ହୋଇଛନ୍ତି। ଭାଜପାର ରାଷ୍ଟ୍ରୀୟ ମହାସଚିବ ତରୁଣ ଚୁଘ ଓ ନେତା ଫତେହ ଜଙ୍ଗ ସିଂ ବଲବିନ୍ଦରଙ୍କୁ ଦଳର ସଦସ୍ୟତା ଗ୍ରହଣ କରାଇଥିଲେ। ତେବେ ଭାଜପାରେ ସାମିଲ ହେବା ପରେ ଏହା ବଲବିନ୍ଦରଙ୍କ ଘର ବାହୁଡା ବୋଲି ଦଳ କହିଛି। ସୂଚନାଯୋଗ୍ୟ, ଗତ ବର୍ଷ ଡିସେମ୍ବର ୨୮ରେ ମତଭେଦ ହେବା ପରେ ଲାଡି ପ୍ରଥମେ କଂଗ୍ରେସ ଛାଡି ଭାଜପାର ହାତ ଧରିଥିଲେ। ତେବେ ଏହାର ଠିକ ୬ ଦିନ ପରେ ଅର୍ଥାତ୍‌ ଜାନୁଆରୀ ୩ରେ ତାଙ୍କ ମନ ବଦଳିବାରୁ ପୁଣି ଥରେ ସେ କଂଗ୍ରେସରେ ଯୋଗଦେଇଥିଲେ। ଏହାପରେ ଫେବୃଆରୀ ୧୧ରେ ସେ ପୁଣି କଂଗ୍ରେସ ଛାଡି ଭାଜପାରେ ସାମିଲ ହେବାକୁ ନିଷ୍ପତ୍ତି ନେଇଥିଲେ। ସୂଚନା ମୁତାବକ ଗତ ନିର୍ବାଚନରେ ବଲବିନ୍ଦର କଂଗ୍ରେସରୁ ଟିକେଟ ପାଇ ବିଜୟୀ ହୋଇଥିଲେ।

Share