ଏମ୍‌କେସିଜି ଶିଶୁ ରୋଗ ବିଭାଗରେ ୪ ପିଜି ସିଟ୍‌ ବୃଦ୍ଧି

ବ୍ରହ୍ମପୁର ଅଫିସ,୨୮/୬: ମହାରାଜା କୃଷ୍ଣଚନ୍ଦ୍ର ଗଜପତି(ଏମ୍‌କେସିଜି)ମେଡିକାଲ କଲେଜର ଶିଶୁ ବିଭାଗ ପିଜି ସିଟ ବୃଦ୍ଧି କରାଯିବା ନେଇ ସୋମବାର ଜାତୀୟ ଭେଷଜ ପରିଷଦ(ଏନ୍‌ଏମ୍‌ସି)ର ଜଣିକିଆ ପ୍ରତିନିଧି ଏମ୍‌କେସିଜି ପରିଦର୍ଶନ କରିଛନ୍ତି। ବର୍ତ୍ତମାନ ଶିଶୁ ବିଭାଗରେ ୮ ପିଜି ସିଟ ରହିଥିବା ବେଳେ ତାକୁ ୧୨କୁ ବୃଦ୍ଧି କରାଯିବାକୁ ପ୍ରସ୍ତାବ ଦିଆଯାଇଥିଲା। ଏନେଇ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା। ସେହି କ୍ରମରେ ଏନ୍‌ଏମ୍‌ସିର ପ୍ରତିନିଧି ତଥା ଦିଲ୍ଲୀର ଶିଶୁ ରୋଗ ପ୍ରଫେସର ଆର. ଏନ୍‌. ମଣ୍ଡଳ ସୋମବାର ଏମ୍‌କେସିଜି ପରିଦର୍ଶନ କରିଥିଲେ। ପ୍ରଫେସର ମଣ୍ଡଳ ଏମ୍‌କେସିଜିରେ ପହଞ୍ଚିବା ପରେ ଅଧ୍ୟକ୍ଷ ତଥା ଡିନ ପ୍ରଫେସର ଅବନୀକାନ୍ତ ମିଶ୍ରଙ୍କ ସହ ସିଟ ବୃଦ୍ଧି ନେଇ ଆଲୋଚନା କରିଥିଲେ। ଏହାପରେ ଶିଶୁ ବିଭାଗ ପ୍ରଫେସର ନରେନ୍ଦ୍ର ବେହେରା ଏବଂ ବିଭାଗର ଅନ୍ୟାନ୍ୟ ଡାକ୍ତରଙ୍କ ସହ ଶିଶୁ ବିଭାଗର ଆଉଟଡୋର, ଇନ୍‌ଡୋର, ଏସ୍‌ଏନ୍‌ସିୟୁ, ନିକୁ, ପିକୁ, କଙ୍ଗାରୁ ମା’ କକ୍ଷ, ଜରୁରୀକାଳୀନ ଚିକିତ୍ସା ବିଭାଗ ଇତ୍ୟାଦି ପରିଦର୍ଶନ କରିଥିଲେ। ଆସନ୍ତା ବର୍ଷଠାରୁ ଏମ୍‌କେସିଜିରେ ଶିଶୁ ବିଭାଗର ୧୨ଟି ପିଜି ସିଟରେ ନାମଲେଖା ହେବ ବୋଲି ସୂଚନା ମିଳିଛି।