Categories: ଜାତୀୟ

ଲକ୍‌ଡାଉନରେ ୧୩ ଖଣ୍ଡ ପୁସ୍ତକ ରଚନା କଲେ ରାଜ୍ୟପାଳ

ଆଇଜଲ,୭।୮: କରୋନା ଭାଇରସ ସଂକ୍ରମଣକୁ ନେଇ ଦେଶରେ ଲାଗୁ କରାଯାଇଥିବା ଲକ୍‌ଡାଉନ ସମୟରେ କିଏ କେମିତି ସମୟ କାଟିଛନ୍ତି ତାହା ହୁଏତ ସମସ୍ତଙ୍କୁ ଅଳ୍ପ ବହୁତେ ଜଣାଥିବ। ଆମମାନଙ୍କ ମଧ୍ୟରୁ ଅଧିକାଂଶ ଲୋକେ ଘରେ ରହି ରହି ବିରକ୍ତି ଭାବ ପ୍ରକାଶ କରିଥିବା ଦେଖାଯାଇଛି। ହେଲେ ମିଜୋରାମର ରାଜ୍ୟପାଳ ପିଏସ୍‌ ଶ୍ରୀଧରନ ପିଲାଇ ଲକ୍‌ଡାଉନ ସମୟର ସଦୁପଯୋଗ କରିଛନ୍ତି। ଏହି ସମୟରେ ସେ କବିତା ଲେଖିବା ଓ ପୁସ୍ତକ ରଚନା କରି ସମୟ କାଟିଥିବା ଜଣାପଡିଛି। ଗତ ମାର୍ଚ୍ଚ ମାସରୁ ଏପର୍ଯ୍ୟନ୍ତ ରାଜ୍ୟପାଳ ପାଖାପାଖି ୧୩ଟି ପୁସ୍ତକ ରଚନା କରିଥିବା କହିଛନ୍ତି। ଏଥିରେ ଇଂରାଜୀ ଓ ମଲୟାଲମ ଭାଷାରେ ଲେଖାଯାଇଥିବା କବିତା ବି ସାମିଲ ହୋଇଛି। ଲକ୍‌ଡାଉନ ସମୟରେ ସେ ତାଙ୍କ କାମ ସାରି ପୁସ୍ତକ ରଚନା କରିବା ଓ ପଢିବାରେ ଅଧିକ ସମୟ ଦିଅନ୍ତି ବୋଲି କହିଛନ୍ତି। ତେବେ ରାଜ୍ୟପାଳ ହେବା ପୂର୍ବରୁ ଶ୍ରୀଧରନଙ୍କର ପାଖାପାଖି ୧୦୫ ଖଣ୍ଡ ପୁସ୍ତକ ପ୍ରକାଶ ପାଇ ସାରିଛି। ପ୍ରଥମେ ୧୯୮୩ରେ ତାଙ୍କର ପୁସ୍ତକ ପ୍ରକାଶନ ପାଇଥିଲା।

Share