Categories: Home Leftଖେଳ

ରାଜସ୍ଥାନ ଫ୍ରାଞ୍ଚାଇଜର ୭୫% ଅଂଶଧନ କିଣିଲେ ମିତ୍ତଲ ପରିବାର

ନୂଆଦିଲ୍ଲୀ,୪ା୫: ଶିଳ୍ପପତି ଲକ୍ଷ୍ମୀ ମିତ୍ତଲ ଏବଂ ତାଙ୍କ ପୁଅ ଆଦିତ୍ୟ ମିତ୍ତଲଙ୍କ ସହିତ ସେରମ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଇଣ୍ଡିଆ (ଏସ୍‌ଆଇଆଇ)ର ଆଦାର ପୁନାଓ୍ୱାଲା ରାଜସ୍ଥାନ ରୟାଲ୍ସ ଫ୍ରାଞ୍ଚାଇଜର ଅଧିକାଂଶ ଅଂଶଧନ ହାସଲ କରିଛନ୍ତି। ମିତ୍ତଲ ପରିବାର ଓ ପୁନାଓ୍ୱାଲାଙ୍କୁ ନେଇ ଗଠିତ କନସୋର୍ଟିୟମ ଫ୍ରାଞ୍ଚାଇଜକୁ ୧.୬୫ ବିଲିଅନ ଡଲାର ବା ୧୫,୬୬୦ କୋଟି ଟଙ୍କାରେ କିଣିଛି। ତେବେ ସମ୍ପୂର୍ଣ୍ଣ ମାଲିକାନା ପରିବର୍ତ୍ତନ ଲାଗି ବିସିସିଆଇ, ସିସିଆଇ, ଆଇପିଏଲ୍‌ ଗଭର୍ନିଂ କାଉନସିଲ୍‌ର ଅନୁମତି ଦରକାର। ଏହି ଚୁକ୍ତି ଚଳିତ ବର୍ଷ ତୃତୀୟ ତ୍ରୈମାସିକରେ ଶେଷ ହେବ।

ୟୁକେରେ ପ୍ରତିଷ୍ଠିତ କାଲ ସୋମାନିଙ୍କ ନେତୃତ୍ୱାଧୀନ କନସୋର୍ଟିୟମ ୧.୬୩ ବିଲିଅନ ଡଲାର ପ୍ରସ୍ତାବ ଦେଇଥିଲା। କିନ୍ତୁ ବିଭିନ୍ନ ସମସ୍ୟା କାରଣରୁ ଉକ୍ତ ପ୍ରସ୍ତାବ ଧାର୍ଯ୍ୟ ମାନଦଣ୍ଡ ଅତିକ୍ରମ କରିପାରି ନ ଥିଲା।

ପୁନାଓ୍ୱାଲା ଓ ମନୋଜ ବାଦଲେଙ୍କ ସହିତ ଲକ୍ଷ୍ମୀ ଏନ୍‌ ମିତ୍ତଲ ଓ ଆଦିତ୍ୟ ମିତ୍ତଲ ରବିବାର ରାଜସ୍ଥାନ ଫ୍ରାଞ୍ଚାଇଜର ମାଲିକାନା ଅଧିଗ୍ରହଣ ଲାଗି ଚୁକ୍ତି କରିଥିବା ନେଇ ମିତ୍ତଲ ପରିବାର ପକ୍ଷରୁ ଜାରି କରାଯାଇଥିବା ବିବୃତିରେ କୁହାଯାଇଛି।

ବିବୃତି ଅନୁଯାୟୀ, ମିତ୍ତଲ ପରିବାର ପାଖରେ ୭୫% ଅଂଶଧନ ରହିଥିବା ବେଳେ ପୁନାଓ୍ୱାଲାଙ୍କ ପାଖରେ ୧୮ ଓ ମନୋଜ ବାଦଲେଙ୍କ ସମେତ ଅନ୍ୟ ନିବେଶଙ୍କ ପାଖରେ ୭% ଅଂଶଧନ ରହିଛି। ବର୍ତ୍ତମାନଠାରୁ ରାଜସ୍ଥାନ ଫ୍ରାଞ୍ଚାଇଜର ବୋର୍ଡରେ ଲକ୍ଷ୍ମୀ ଏନ୍‌ ମିତ୍ତଲ, ଆଦିତ୍ୟ ମିତ୍ତଲ, ଆଦାର ପୁନାଓ୍ୱାଲା ଓ ବାଦଲେ ସଦସ୍ୟ ହୋଇ ରହିବେ। ରାଜସ୍ଥାନର ସଦୁଲପୁରରେ ଜନ୍ମିତ ଲକ୍ଷ୍ମୀ ଏନ୍‌ ମିତ୍ତଲ କହିଛନ୍ତି, ମୁଁ କ୍ରିକେଟକୁ ଭଲପାଏ ଏବଂ ରାଜସ୍ଥାନରେ ମୋ ଜନ୍ମ। ଏଣୁ ରାଜସ୍ଥାନ ଛଡ଼ା ଅନ୍ୟ କୌଣସି ଆଇପିଏଲ୍‌ ଦଳର ଅଂଶ ମୁଁ ହେବାକୁ ଚାହେଁ ନାହିଁ।

Share