ମୋ ମା’ ୧୦୦ରୁ ଅଧିକ ଫିଲ୍ମରେ କାମ କରିଛନ୍ତି, ହେଲେ ସମସ୍ତେ ବାପାଙ୍କ ବିଷୟରେ କଥା ହୁଅନ୍ତି: ନମାଶି ଚକ୍ରବର୍ତ୍ତୀ

ବମ୍ବେ: ଫିଲ୍ମ ରିଲିଜ ପରଠାରୁ ଚର୍ଚ୍ଚାରେ ଅଛନ୍ତି ସୁପରଷ୍ଟାର ମିଥୁନ ଚକ୍ରବର୍ତ୍ତୀଙ୍କ ପୁଅ ନମାଶି ଚକ୍ରବର୍ତ୍ତୀ। ସେ ଫିଲ୍ମ ‘ବ୍ୟାଡ୍‌ ବୟ’ ଜରିଆରେ ଡେବ୍ୟୁ କରିଛନ୍ତି। ସିନେମାହଲରେ ଏହା ପ୍ରଦର୍ଶିତ ହେବା ଯାଏ ନମାଶି ନିଜର ପରିଚୟ ଗୋପନ ରଖିଥିଲେ। ପ୍ରଥମେ ଏହାକୁ ମିଶ୍ରିତ ପ୍ରତିକ୍ରିୟା ମିଳିଥିଲା। ହେଲେ ଏବେ ଫିଲ୍ମଟି ଓଟିଟି ପ୍ଲାଟଫର୍ମରେ ରିଲିଜ ହେବା ପରେ ଏହାକୁ ବେଶ ପସନ୍ଦ କରାଯାଉଛି। ସେ ଏବେ ଯୁବପୀଢ଼ିଙ୍କ ମଧ୍ୟରେ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି।

ମିଥୁନଙ୍କ ପୁଅ ବୋଲି ଜଣାପଡ଼ିବା ପରେ ସମସ୍ତେ ତାଙ୍କ ବିଷୟରେ ଜାଣିବାକୁ ଚାହାନ୍ତି। ଏମିତିରେ ନମାଶି କୁହନ୍ତି, ଏବେ ରାସ୍ତା ପୂର୍ବରୁ ଅଧିକ ସହଜ ହୋଇଯାଇଛି। ମୋ ଫିଲ୍ମ ରିଲିଜ ହୋଇ ସାରିଛି। ମୋ କାମ ଲୋକେ ଦେଖି ପସନ୍ଦ କରୁଛନ୍ତି। ଅଭିନେତା ହିସାବରେ ମୋତେ ଲାଗେ ଯେ ଦର୍ଶକଙ୍କଠାରୁ ଅଧିକ ସିନେମାଜଗତ ସହ ଜଡ଼ିତ ଲୋକେ ଫିଲ୍ମ ଦେଖିବା ଜରୁରୀ। ଏପ୍ରିଲ ୨୮ରେ ଫିଲ୍ମ ରିଲିଜ ହୋଇଥିଲା। ଏପ୍ରିଲ ୩୦ ପରଠାରୁ ମୋତେ ବଲିଉଡରୁ ଅନେକ ଲୋକ ଫୋନ କରିଛନ୍ତି। ମୋ ଉପରେ ବିଶ୍ୱାସ ଥିବା ସେ କହିଛନ୍ତି। ଏଣୁ ସବୁକିଛି ସହଜ ହୋଇଥିବା କହୁଛି। ଯଦି ମିଥୁନଙ୍କ ପୁଅ ହିସାବରେ କେହି କଲ କରିଥାନ୍ତା ତେବେ ସେ ମୋ ଟ୍ରେଲର ଦେଖି କଲ କରିଥାନ୍ତେ। ହେଲେ ସମସ୍ତେ ଫିଲ୍ମ ଦେଖିବା ପରେ କାମକୁ ପସନ୍ଦ କରିଛନ୍ତି ବୋଲି ସେ କହିଛନ୍ତି।

ଏହାଛଡ଼ା ପରିବାର ନେଇ ପଚରାଯିବାରେ ନମାଶି କହିଛନ୍ତି, ଲୋକେ ସବୁବେଳେ ମୋତେ ବାପାଙ୍କୁ ନେଇ ପ୍ରଶ୍ନ କରିଥାନ୍ତି। କେହି ବି ମା’ଙ୍କ ବିଷୟରେ ପଚାରି ନ ଥାନ୍ତି। ସେ ନିଜ ସମୟରେ ଜଣେ ଲୋକପ୍ରିୟ ନାୟିକା ଥିଲେ। ୭୦ରୁ ୮୦ ଦଶକ ମଧ୍ୟରେ ସେ ଶହେରୁ ଅଧିକ ଫିଲ୍ମରେ କାମ କରିଛନ୍ତି। ମୋର ମା’ଙ୍କ ସହ ସମ୍ବନ୍ଧ ବେଶ ଭଲ। ସେ ଆମ ପରିବାରକୁ ଯୋଡ଼ି ରଖିଛନ୍ତି। ମୋତେ ତାଙ୍କ ଯୋଡ଼ି ବାପାଙ୍କ ସହ ଭଲ ଲାଗେ। ଅନ୍ୟ ହିରୋଙ୍କ ସହ ତାଙ୍କୁ ଦେଖିଲେ ଅଜବ ଲାଗେ ବୋଲି ସେ କହିଛନ୍ତି।

Share