ନୂଆଦିଲ୍ଲୀ,୨୫।୧୦: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ନେଇ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖାର୍ଗେଙ୍କ ଏକ ବିବାଦୀୟ ମନ୍ତବ୍ୟକୁ ନେଇ ରାଜନୈତିକ ମହଲରେ ଚର୍ଚ୍ଚା ଜୋର ଧରିଛି । ଏହାକୁ ନେଇ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା କଡ଼ା ପ୍ରତିକ୍ରିୟା ଦେଇଛନ୍ତି। ଶାହା କହିଛନ୍ତି, ଖାର୍ଗେ ମୋଦିଙ୍କ ପିତାଙ୍କୁ ନେଇ ଅଭଦ୍ର ମନ୍ତବ୍ୟ ଦେଇ ସମସ୍ତ ମର୍ଯ୍ୟାଦା ଉଲ୍ଲଂଘନ କରିଛନ୍ତି । ଏହା ପ୍ରଥମ ଘଟଣା ନୁହେଁ, ପୂର୍ବରୁ ମଧ୍ୟ କଂଗ୍ରେସ ମୋଦି ଏବଂ ତାଙ୍କ ପରିବାରକୁ ନେଇ ଅପମାନଜନକ ମନ୍ତବ୍ୟ ଦେଇଥିବା ସେ ଅଭିଯୋଗ କରିଛନ୍ତି।
ନିଜର ଏକ୍ସ ପୋଷ୍ଟରେ ଶାହା କହିଛନ୍ତି, କେବେ ମୋଦିଙ୍କ ମାଆଙ୍କୁ ନେଇ ଅପଶବ୍ଦ ପ୍ରୟୋଗ କରାଯାଇଛି, ତ କେବେ ତାଙ୍କୁ ‘ମୃତ୍ୟୁର ସୌଦାଗର’ ଏବଂ ‘ଚା’ ବିକାଳି’ କହି ତାଙ୍କ ଗରିବ ପୃଷ୍ଠଭୂମିକୁ ପରିହାସ କରାଯାଇଛି । ରାହୁଲ ଗାନ୍ଧିଙ୍କ ନେତୃତ୍ୱରେ କଂଗ୍ରେସ ପ୍ରତିଦିନ ଅଭଦ୍ରତାର ସୀମା ଅତିକ୍ରମ କରୁଥିବା ସେ କହିଛନ୍ତି। ଲଗାତାର ନିର୍ବାଚନୀ ପରାଜୟ ଯୋଗୁଁ କଂଗ୍ରେସ ହତାଶ ହୋଇପଡ଼ିଛି ଏବଂ ଦଳ ପାଖରେ ନୀତି କିମ୍ବା ପ୍ରସଙ୍ଗ ନାହିଁ, କେବଳ ଗାଳିଗୁଲଜର ରାଜନୀତି ରହିଛି ବୋଲି ଶାହ ଅଭିଯୋଗ କରିଛନ୍ତି।
ସୂଚନା ଅନୁଯାୟୀ, ପାଟନାର ବାପୁ ସଭାଗାରରେ ଏକ ସଭାକୁ ସମ୍ବୋଧିତ କରିବା ସମୟରେ ଖାର୍ଗେ ପଶ୍ଚିମବଙ୍ଗ, ବିହାର, ମହାରାଷ୍ଟ୍ର ଏବଂ ହରିୟାଣାର ସରକାରଙ୍କୁ ‘ଚୋରିର ସରକାର’ ଏବଂ ‘ଭୋଟ୍ ଚୋରି କରି ଗଠିତ ସରକାର’ ବୋଲି କହିଥିଲେ । ଏହି ସମୟରେ ଜଣେ ବ୍ୟକ୍ତି ‘ମୋଦି କେବେ ଯିବେ ନାହିଁ’ ବୋଲି କହିବାରୁ ଖାର୍ଗେ ମଞ୍ଚରୁ ଜବାବ ଦେଇ କହିଥିଲେ, ‘ମୋଦିଙ୍କ ବାପା ମଧ୍ୟ ଯିବେ ।’ ଏହି ମନ୍ତବ୍ୟକୁ ନେଇ ସଭାରେ ହୋହଲ୍ଲା ସୃଷ୍ଟି ହୋଇଥିଲା।
ଖାର୍ଗେଙ୍କ ଏହି ବୟାନକୁ ନେଇ ଶାହାଙ୍କ ପ୍ରତିକ୍ରିୟା ପରେ ଭାଜପା ଓ କଂଗ୍ରେସ ମଧ୍ୟରେ ରାଜନୈତିକ ବାକ୍ଯୁଦ୍ଧ ଆହୁରି ତୀବ୍ର ହେବାର ସମ୍ଭାବନା ରହିଛି ।