ଭାରତ-ଚାଇନା ସୀମାରେ ବଫର ଶବ୍ଦର ଭୁଲ୍‌ ବ୍ୟବହାର

ସହଦେବ ସାହୁ

ପରସ୍ପର ସଂଘର୍ଷ ସମ୍ଭାବନା ଥିବା ଦୁଇଟି ବିରାଟ ଦେଶ ମଧ୍ୟବର୍ତ୍ତୀ ନିରପେକ୍ଷ ଦେଶକୁ ବଫର ଷ୍ଟେଟ୍‌ କୁହାଯାଏ, ଏହା ସାଧାରଣତଃ କ୍ଷୁଦ୍ରତର ଦେଶ ହୋଇଥାଏ। ଦ୍ୱିତୀୟ ବିଶ୍ୱଯୁଦ୍ଧ କାଳରେ ଦୁଇପକ୍ଷ ଭିତରେ ସୁଇଜରଲାଣ୍ଡ ଏକ ବଫର ରାଷ୍ଟ୍ର ଥିଲା, ଚାଇନାରେ ମିଶିଯିବା ପୂର୍ବରୁ ତିବ୍ବତ୍‌ ଭାରତ ଓ ଚାଇନା ମଧ୍ୟରେ ବଫର ଥିଲା। ଯେଉଁଦିନୁ ଚାଇନା ତିବ୍ବତ୍‌କୁ ଗ୍ରାସ କରିନେଲା ସେହି ଦିନଠାରୁ ଚାଇନା ଓ ଭାରତ ମଧ୍ୟରେ ବଫର ରାଷ୍ଟ୍ର ନାହିଁ। ଏବେ ଭାରତ ଓ ଚାଇନା ମଧ୍ୟରେ ସଂଘର୍ଷ ହୋଇଗଲା ପରେ ଶାନ୍ତି ଲାଗି ଯେଉଁ ଆଲୋଚନା ହେଉଛି ତହିଁରେ ଦୁଇଦେଶର ସୀମାରେ ଏକ ବଫର ଜୋନ୍‌ ରହୁ ବୋଲି କେତେକ ଖବରକାଗଜ ମତ ଦେଉଛନ୍ତି।
ଚାଇନା ଓ ଭାରତ ଭିତରେ ବଫର ଜୋନ୍‌ କହିବା ମାନେ ଏକ ଭ୍ରାନ୍ତଧାରଣା ତିଆରି ହେଉଛି, ସତେ ଯେପରି ଚାଇନା ଓ ଭାରତ ସୀମାରେ ଏକ ନିରପେକ୍ଷ ଅଞ୍ଚଳ ଅଛି। ବଫର ଜୋନ୍‌ କହିଲା ବେଳେ ଆମେ ଭାବି ନେଉ ଯେପରି ସେ ଜୋନ୍‌ ବା ଇଲାକାରେ ଚାଇନା କିମ୍ବା ଭାରତର କାହାରି ଅଧିକାର ନାହିଁ, କେହି ଗୋଟିଏ ତୃତୀୟ ପକ୍ଷ ତାହାକୁ କଣ୍ଟ୍ରୋଲ କରୁଛି। ସତେ ଯେପରି ଚାଇନା ଓ ଭାରତର ସୀମା ଭିନ୍ନ ଭିନ୍ନ ହୋଇ ରହିଛି, ମଝିରେ କିଛି ଜାଗା ଏକ ତୃତୀୟ ରାଷ୍ଟ୍ରର ଅଧୀନରେ ଅଛି। ତେଣୁ ଚାଇନା ଓ ଭାରତ ଭିତରେ ସୀମା ସଂଘର୍ଷ ସମ୍ପର୍କରେ ବଫର ଶବ୍ଦ ପ୍ରୟୋଗ କରିବା ଭୁଲ୍‌।
ଦୁଇ ଦେଶର ସୀମା ଯେଉଁଠି କଳିର କାରଣ, ସେଠି ବଫର ବା ‘ଫାଙ୍କା ଜାଗା’ ଧାରଣା ତ ଭୁଲ୍‌।
ପ୍ରତି ଦେଶ ତାହାର ସୈନ୍ୟବାହିନୀକୁ ପଛକୁ ଘୁଞ୍ଚାଇ ନିଅନ୍ତି ତ ତାହା ଡିମିଲିଟାରାଇଜ୍‌ଡ ଜୋନ୍‌ (ସାମରିକବାହିନୀମୁକ୍ତ ଅଞ୍ଚଳ) ତିଆରି କରେ।
ଯୁକ୍ତିଟାକୁ ଦେଖନ୍ତୁ। ଶାନ୍ତି ପାଇଁ କ’ଣ ଦରକାର? ଦୁଇଟା ସାମରିକ ବାହିନୀ ବହୁଦିନ ଧରି ମୁହାଁମୁହିଁ ରହିଆସିଥିବା ବେଳେ ସାଧାରଣ କଥା ହେବ ଡିସ୍‌ଏନ୍‌ଗେଜ୍‌ମେଣ୍ଟ, ଅର୍ଥାତ୍‌ ଦୁଇପକ୍ଷ ପଛକୁ ଘୁଞ୍ଚିଯିବେ ଏବଂ କିଛି ସପ୍ତାହ ଲାଗି ପଇଁତରା ମାରିବେ ନାହିଁ। ଏଇ ସମୟରେ ପଇଁତରା କଲେ ଝଗଡା ଲାଗିପାରେ। କାରଣ ସଦ୍ୟ ବନ୍ଦ ହୋଇଥିବା ଝଗଡାର ସ୍ମୃତିଟି ମନେଥାଏ। ତେଣୁ ସୈନ୍ୟବାହିନୀ ଫେରୁଥିବା ସମୟରେ ପାଟ୍ରୋଲିଂ କରାଯାଏ ନାହିଁ। ଜୁନ୍‌ ୧୫ରେ ଗଲ୍‌ୱାନ୍‌ରେ ଯେଉଁ ଝଗଡା ହେଲା ସେହି ସମୟରେ ଉଭୟ ପକ୍ଷ ଯୁଦ୍ଧ ବିରତି ପ୍ରକ୍ରିୟା ଭିତରେ ଥିଲେ। ଚାଇନା ପକ୍ଷ ଫେରୁଛନ୍ତି କି ନାହିଁ ଜାଣିବାକୁ ଭାରତୀୟ ସୈନ୍ୟମାନେ ପଇଁତରା କଲେ ତ ଝଗଡା ଆରମ୍ଭ ହୋଇଗଲା, ଚାଇନାର ୪୫ ସୈନ୍ୟ ମଲେ ବୋଲି ଆମେ ଶୁଣୁଛୁ ସିନା ଚାଇନା କିଛି କହୁନାହିଁ, ଆମେ ୨୫ ସୈନ୍ୟ ହରାଇଛୁ ବୋଲି ଘୋଷଣା କରିଦେଲୁ।
ସୀମାର ଏ ପାଖ ଓ ସେ ପାଖ କିଛି ଦୂର ପଛକୁ ସାମରିକ ବାହିନୀ ଫେରିଯାଏ ସିନା, ଆଇନଶୃଙ୍ଖଳା ରକ୍ଷା କରିବା ପାଇଁ ଅର୍ଥାତ୍‌ ସୀମାରେ ପଇଁତରା ପାଇଁ ତ ପୋଲିସ୍‌ ରହିବେ।
ଉତ୍ତର ସୀମାନ୍ତରେ ଭାରତର ଇଣ୍ଡୋତିବ୍ବତାନ୍‌ ବର୍ଡର ପୋଲିସ (ଆଇଟିବିପି) ପାଟ୍ରୋଲିଂ କରିଥାଏ। ଦୁଇ ଦେଶର ସୀମାରେଖା ଗୋଟିଏ ରେଖା ହୋଇଥିବାରୁ ନିୟୁଟ୍ରାଲ ବା ନିରପେକ୍ଷ ଜାଗା ନାହିଁ, ବଫର ଜୋନ୍‌ କେଉଁଠୁ ଆସିବ? ଭାରତ ଜାଣିଛି ଏଲ୍‌ଏସି (ଲାଇନ୍‌ ଅଫ୍‌ ଆକ୍ଚୁଆଲ୍‌ କଣ୍ଟ୍ରୋଲ) କେଉଁଠି। କିନ୍ତୁ ତାହା ମାନଚିତ୍ରରେ ଚିହ୍ନିତ ସୀମାରେଖା (ଲାଇନ୍‌ ଅଫ୍‌ କଣ୍ଟ୍ରୋଲ) ନୁହେଁ, ମାନଚିତ୍ରରେ ରେଖାଟି କଳ୍ପନାରେ ରହିଛି, ବାସ୍ତବ ନୁହେଁ। ଦୁଇଟି ଲାଇନ୍‌ ଭିତରେ ତାଳମେଳ ନାହିଁ, କାରଣ ୨୦୧୩ର ଡେପ୍‌ସାଙ୍ଗ ଏବଂ ୨୦୧୪ର ଚୁମାର ଭଳି ବଡ ଧରଣର ସଂଘର୍ଷ ଭାରତର ହାତକୁ ବାନ୍ଧି ରଖିଛି। ମାଡି ବସିଥିବା ଅଞ୍ଚଳ ତାହାର ସୀମା ଭିତରେ ଅଛି ବୋଲି ଚାଇନା କହୁଛି।
ତେଣୁ ବଫର ଜୋନ୍‌ ପ୍ରସ୍ତାବ ଆସିବା କଥା ନୁହେଁ।
କେଉଁ ଅଞ୍ଚଳଗୁଡ଼ିକରେ ସୀମାରେଖା କେଉଁଠି ଯାଇଛି ତାହା ଏବେ କଳ୍ପନାରେ ରହିଯାଇଛି। ଚାଇନାର କଳ୍ପନା ଓ ଭାରତର କଳ୍ପନା ଭିତରେ ପ୍ରଭେଦ ବହୁତ। ତେଣୁ ଜଗିବା ବା ପାଟ୍ରୋଲିଂ କରୁଥିବା ଜାଗାଗୁଡିକୁ ସୀମା ଧରାଯାଉଛି। ୧୯୬୨ ଯୁୁଦ୍ଧରେ ଚାଇନା ଯେତେ ଅଞ୍ଚଳ ମାଡି ଆସିଲା ତାକୁ ନିଜର ବୋଲି କହୁଛି, ତାହା ଲାଇନ୍‌ ଅଫ୍‌ ଆକ୍ଚୁଆଲ କଣ୍ଟ୍ର୍ରୋଲ୍‌, କିନ୍ତୁ ସେତିକିରେ ଚାଇନା ଚୁପ୍‌ ରହିନାହିଁ। ମେନ୍‌ ହେଉଛି, ଭବିଷ୍ୟତରେ ବି ଚାଇନା ଯେତେ ବାଟ ମାଡିଆସିଯିବ ତାହା ନିୟନ୍ତ୍ରଣ ରେଖା ବୋଲି କହିବ।
୧୯୬୨ ପୂର୍ବରୁ ବା ବ୍ରିଟିଶ୍‌ ଅମଳରେ କ’ଣ ଥିଲା ତାହା ମାନୁନାହିଁ। ୧୯୬୨ର ଏକତରଫା ଆକ୍ରମଣ କରି ଚାଇନା ତାହାର ସୀମା ଟାଣିଦେଲା ଏବଂ ସେହି ଦିନଠାରୁ ଭାରତୀୟ ସୈନ୍ୟମାନେ କୌଣସି ଇଲାକା ଫେରାଇ ଆଣିବାକୁ ଚେଷ୍ଟା କରିନାହାନ୍ତି। ତେଣୁ ୧୯୬୨ ଯୁଦ୍ଧରେ ଚାଇନା ଯାହା ଦଖଲ କରିନେଲା ତାହା ଏଲ୍‌ଏସି ହୋଇଗଲା। ଏ ପରିସ୍ଥିତିରେ ବଫର ଜୋନ୍‌ ଧାରଣା ଭୁଲ୍‌। ଭାରତୀୟମାନେ ବଫର ଜୋନ୍‌ କରିବେ ତ ତାହା କେବଳ ଭାରତୀୟ ଅଞ୍ଚଳ ଭିତରେ ହେବ। ଅର୍ଥାତ୍‌ ଭାରତୀୟ ଅଞ୍ଚଳ ଭିତରେ ଭାରତୀୟ ସୈନ୍ୟ ପାଟ୍ରୋଲିଂ କରିବେ, ପଇଁତରା ମାରିବେ।
ଭାରତ ଏଲ୍‌ଓସି ଚାହୁଁଛି, ଚାଇନା ଏଲ୍‌ଏସି। ଆଗରୁ ପାଙ୍ଗୋଙ୍ଗ୍‌ ସୋ ନିକଟ ଫିଙ୍ଗର ଇଲାକାକୁ ନିଜର ବୋଲି କହୁଥିଲା, ଏବେ ଗଲ୍‌ୱାନ୍‌ ଅଞ୍ଚଳକୁ ନିଜର ବୋଲି କହୁଛି। ଏ ଦୁଇଟି ଜାଗାରୁ ଚାଇନା ତା’ର ସୈନ୍ୟବାହିନୀକୁ ଚାଇନା ଭିତରକୁ ଫେରାଇ ନେଉନାହିଁ। ଆସ୍ତେ ଆସ୍ତେ ନିଜର ଦାବିକୁ ବଢାଉଛି।
ଏପରି ପରିସ୍ଥିତିରେ ଆଜିକାଲିକାର ଘଟଣାବଳୀ ଟିକେ ବେଶି ସଙ୍ଗିନ ହୋଇଯାଉଛି। କାରଣ ଉଭୟ ପକ୍ଷର ସୈନ୍ୟବାହିନୀ ଫେରୁଥିବା ବେଳେ ମୁହଁାମୁହିଁ ହେବା ଉଚିତ ନୁହେଁ। ରକ୍ତ ଟିକେ ଶିଥିଳ ହେବା ପାଇଁ ସମୟ ଦିଆଯାଏ। ଏ ପ୍ରକାର କାରଣରୁ ଫେରିବାର ଯାହା ବ୍ୟବସ୍ଥା ଥାଏ ତାହା କ୍ଷଣସ୍ଥାୟୀ। ଯଥା ସମୟରେ ପାଟ୍ରୋଲିଂ ବା ପଇଁତରା ହେବ। କେଉଁଠି ତ ନିରପେକ୍ଷ ଜାଗା ବା ଡିମିଲିଟାରାଇଜ୍‌ଡ ବଫର ଜୋନ୍‌ ନାହିଁ କି ତିଆରି ହେଉ ନାହିଁ କି ହୋଇପାରିବ ନାହିଁ। ବସ୍ତୁତଃ ଆଗରେ ମୁତୟନ କରାଯାଉଥିବା ଭାରତୀୟ ସେନା ତା’ କ୍ୟାମ୍ପକୁ ଫେରିବ ଓ ପରିସ୍ଥିତିକୁ ମନିଟର କରିବ। ମନେରଖିବା କଥା ଯେ ଗଲୱାନ୍‌ରେ ସଂଘର୍ଷ ହେବା ପୂର୍ବରୁ ଭାରତୀୟ ସୈନ୍ୟମାନେ ଯେଉଁଠି ଥିଲେ, ସେ ଜାଗା ଆଗକୁ ଅଛି। କିନ୍ତୁ ଫେରିଆସିଲେ ସେ ଜାଗାକୁ ପାଟ୍ରୋଲିଂ ବା ପଇଁତରା ମାରିବାକୁ ଯାଇପାରିବେ ନାହିଁ ବୋଲି ଆଲୋଚନାରେ ରହୁଛି। ଏଇ ସବୁ ଅଞ୍ଚଳରେ ପଇଁତରା ମାରିବ ସାମରିକ ବାହିନୀ, ଯଦି ଆଇଟିବିପି (ଇଣ୍ଡୋତିବ୍ବତାନ୍‌ ବର୍ଡର ପୋଲିସ୍‌) ପଇଁତରା କରେ ତା’ ଉପରେ ପୂର୍ଣ୍ଣ କର୍ତ୍ତୃତ୍ୱ ରଖିବ, ଏବେ ଯେମିତି ଆର୍ମି ଅଧୀନରେ ବର୍ଡର ସିକ୍ୟୁରିଟି ଫୋର୍ସ (ବିଏସ୍‌ଏଫ୍‌) ଏଲ୍‌ଓସିରେ କାମ କରୁଛି। ଦୁଃଖର କଥା, ଭାରତରେ ଏ ଗଣ୍ଡଗୋଳର ସମାଧାନ ଏଯାବତ୍‌ ହୋଇନାହିଁ, କାରଣ ମନ୍ତ୍ରୀମାନଙ୍କ ଭିତରେ ବିଭାଗୀୟ ଗଣ୍ଡଗୋଳ ରହିଛି, ଆଇଟିବିପି ସ୍ବରାଷ୍ଟ୍ର ମନ୍ତ୍ରଣାଳୟକୁ ରିପୋର୍ଟ କରିବ ତ ବିଏସ୍‌ଏଫ୍‌ ପ୍ରତିରକ୍ଷା ମନ୍ତ୍ରଣାଳୟକୁ। ତେଣୁ ପଇଁତରା ମାରିବାରେ ଭାରତରେ ସ୍ପଷ୍ଟତା ନାହିଁ। ଏ ସମସ୍ୟା ଚାଇନାରେ ନାହିଁ। ଗତ ଦୁଇ ତିନି ଦଶନ୍ଧି ଧରି ଭାରତ ଚାଇନାର ସୀମା ଚିହ୍ନିତ ହୋଇନାହିଁ ବୋଲି ଜବରଦଖଲ କରି ଅର୍ଥାତ୍‌ ଯୋଜନାବଦ୍ଧ ଆକ୍ରମଣ କରି ଭାରତ ଭିତରକୁ ପଶି ଆସୁଛି ଏବଂ ତାହା ହିଁ ନିଜର ସୀମା ବୋଲି କହୁଛି। ପ୍ରସ୍ତୁତ ହୋଇ ନ ରହିଲେ ଚାଇନା ଏମିତି ଭାରତର ଅଜାଣତରେ ଧସେଇ ପଶୁଥିବ ଏବଂ ଜବରଦଖଲ ଜାଗାକୁ ନିଜର ବୋଲି କହୁଥିବ।
ଆମ ଦେଶର ନେତାମାନେ ଚାଇନାକୁ ପ୍ରତିଯୋଗୀ ଭାବିବେ କି ଶତ୍ରୁ ଭାବିବେ ଠିକ୍‌ କରିପାରୁନାହାନ୍ତି। କଂଗ୍ରେସ ଦଳ ନେହେରୁ ସମୟର ହିନ୍ଦୀ-ଚୀନୀ ଭାଇଭାଇ ବୋଲିର ପରିଣାମ ବୁଝିଲା ନାହିଁ ତ ଭାଜପା ମୋଦି-ଜିନ୍‌ପିଙ୍ଗଙ୍କ କୋଳାକୋଳି ଭିତରେ ଜିନ୍‌ପିଙ୍ଗଙ୍କ ବିସ୍ତାରବାଦ ଧରିପାରିଲା ନାହିଁ। ଭାରତ-ଭୁଟାନ୍‌-ଚାଇନା ସୀମାରେ ଡୋକ୍‌ଲାମ୍‌ଠାରେ ମୁହାଁମୁହିଁ ସଂଘର୍ଷର ୩ ବର୍ଷ ନ ପୂରୁଣୁ ଗଲ୍‌ୱାନ୍‌ ଉପତ୍ୟକାରେ ୨୦ଜଣ ଭାରତୀୟ ସୈନ୍ୟ ନିହତ ହେଲେ। ନେଡି-ଗୁଡ (ଲଦାଖ୍‌ ଅଞ୍ଚଳରେ ଏଲ୍‌ଏସିକୁ ସୈନ୍ୟ ଅପସାରଣ) କହୁଣିକୁ ବୋହିଯିବାରେ ଆମ ଦେଶର ସବୁ ରାଜନୈତିକ ଦଳ ଦାୟୀ, କାରଣ ସେମାନେ ଭାବୁନାହାନ୍ତି ଯେ ସାର୍ବଭୌମତ୍ୱ ଓ ଆଞ୍ଚଳିକ ସଂହତି (ଟେରିଟୋରିଆଲ ଇଣ୍ଟିଗ୍ରିଟି) ରକ୍ଷା କରିବା ପାଇଁ ଚାଇନାକୁ ଶତ୍ରୁ ଭଳି ଦେଖିବାକୁ ପଡିବ। ବିରୋଧୀ ଦଳମାନେ ବିଶେଷତଃ କଂଗ୍ରେସ ଚାଇନା-ବନାମ-ଭାରତ ନ ଦେଖି ନରେନ୍ଦ୍ର ମୋଦି-ବନାମ-କଂଗ୍ରେସ ଦେଖୁଛି। ଆଉ କେତେକ ଦଳ ଖୁସି ହେଉଛନ୍ତି ଯେ ଚାଇନା ୟୁଏସ୍‌ଏକୁ ଟପି ବିଶ୍ୱରେ ୧ ନମ୍ବର ହେବାକୁ ଚାହୁଁଛି। ଏପରି ସ୍ଥଳେ ସୀମାଟା କଳହରେଖା ହୋଇରହିବ, ବଫର ଜୋନ୍‌ର ମଧ୍ୟରେଖା ହେବନାହିଁ।
ଇମେଲ୍‌: sahadevas@yahoo.com


Enter your email to get our daily news in your inbox.

All Right Reserved By Dharitri.Com

ମହେନ୍ଦ୍ରଗିରିର ଶିବ ମହିମା

ମହେନ୍ଦ୍ରଗିରି ପର୍ୱତ, ଯେଉଁ ପର୍ୱତ ଦିନେ ଥିଲା ଶ୍ୱେତକମଣ୍ଡଳ ରାଜ୍ୟର ଅଂଶବିଶେଷ, ଯେଉଁ ପର୍ୱତକୁ ନିଜ କବିତାରେ ସ୍ଥାନ ଦେଇଛନ୍ତି ଗୋଦାବରୀଶ ମିଶ୍ର, ଗୋପବନ୍ଧୁ ଦାସ ଏବଂ…

ଦେଶଭକ୍ତି ଚିନ୍ତା

ଆମ ଦେଶରେ ଜାତୀୟତାବାଦର ଅତ୍ୟଧିକ ଚାହିଦା ରହିଛି, ହେଲେ ସବୁବେଳେ ଏଠାରେ ଏହାର ଅଭାବ ଥିବା ମନେହୁଏ। ମୋ ଜୀବନରେ ଅତିବାହିତ ସବୁ ଦଶନ୍ଧିରେ ‘ବନ୍ଦେ ମାତରମ୍‌’କୁ…

ମୁଁ ଗୋଟିଏ ଗାଈ

ହାଁ ହାଁ ବାଇମନ… ରୁହ ରୁହ…! ଶୀର୍ଷକଟିକୁ ପଢ଼ି ଦେଇ ପିଲାବେଳର ରଚନା ଭାବି ଆଖି ବୁଲାଇ ନିଅନ୍ତୁନି! ଯେମିତି ଆପଣଙ୍କର ପିଲାବେଳ ଆଉ ନାହିଁ! ସେମିତି…

ଆମକୁ ଯାହା ଲଜ୍ଜା ନାହିଁ

ଅମ ଓଡ଼ିଶା ଭାଷା, ସାହିତ୍ୟ, ସଂସ୍କୃତି, ଚଳଣି, ଆମ ଖାଦ୍ୟ, ଆମ ବିଚାରଧାରା ସବୁଠି ବର୍ତ୍ତମାନ ଅନୁପ୍ରବେଶର ଉପଦ୍ରବ। ଏସବୁ ଭିତରେ ଊଣା ଅଧିକେ ହଜିବାକୁ ବସିଲାଣି…

ବିକଳ୍ପ ଶେଷ

ବର୍ଷ ବର୍ଷ ଧରି ସିଭିଲ ସର୍ଭିସ ପରୀକ୍ଷାରେ ବ୍ୟବସ୍ଥାଗତ ତ୍ରୁଟି ରହିଥିଲା। ପରୀକ୍ଷାରେ ପାସ୍‌ କରି ଆଇଏଏସ୍‌ କିମ୍ବା ଆଇଏଫ୍‌ଏସ୍‌ରେ ପ୍ରବେଶ କଲେ ମଧ୍ୟ ସେମାନେ ଭଲ…

ଏଇ ଭାରତରେ

ସୁନ୍ଦରବନର ଏକ ଗାଁର ଲୋକେ ଜୀବନ-ଜୀବିକା ସଂଘର୍ଷରେ ବିଜୟୀ ହୋଇଛନ୍ତି। ପଶ୍ଚିମବଙ୍ଗ ସନ୍ଦେଶ୍‌ଖାଲି ବ୍ଲକ ଜେଲିଆଖଲି ଗାଁକୁ ଅନେକ ଛୋଟ ନଦୀ ଘେରିରହିଛି। କୋଲ୍‌କାତାଠାରୁ ୭୨ କି.ମି.…

ରେଡିଓ: ମନର କଥା କହେ

ରେଡିଓ ଆମ ଜୀବନରେ ଏକ ଅବିଚ୍ଛେଦ୍ୟ ଅଙ୍ଗ ହୋଇରହିଛି। ସେ ସୂଚନା ପ୍ରସାରଣ ହେଉ କି ଆନନ୍ଦ ପ୍ରଦାନ, ରେଡିଓ ସବୁବେଳେ ଆମ ସାଥିରେ ରହିଛି। ମନେପଡୁଛି…

ଆସ୍ଥାର ବଜାରୀକରଣ

ଭାରତୀୟ ସଂସ୍କୃତିର ପ୍ରାଣକେନ୍ଦ୍ର ହେଉଛି ଆଧ୍ୟାତ୍ମିକତା। ଏଠାରେ ଦେବଦେବୀମାନେ କେବଳ ପୂଜାପାଠର ମାଧ୍ୟମ ନୁହନ୍ତି, ବରଂ ସେମାନେ ଆମ ଜୀବନଶୈଳୀ, ସଂସ୍କାର ଏବଂ ନୈତିକତାର ପ୍ରତୀକ। ହିନ୍ଦୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri