Categories: ଜାତୀୟ

ଲିଭ୍‌ଇନ ସମଲିଙ୍ଗୀ ଦମ୍ପତିଙ୍କୁ ସରୋଗେସି ଆକ୍ଟ ଅଧୀନରେ ଆଣିବା ଏହି ଆଇନର ଅପବ୍ୟବହାର: କେନ୍ଦ୍ରର ଜବାବ…

ନୂଆଦିଲ୍ଲୀ,୯।୫ : ଲିଭ୍‌ଇନ ଦମ୍ପତି ତଥା ସମଲିଙ୍ଗୀ ଦମ୍ପତିଙ୍କୁ ସରୋଗେସି ଅଧିନିୟମ ଅଧୀନରେ ଆଣିବାକୁ କେନ୍ଦ୍ର ସରକାର ବିରୋଧ କରିଛନ୍ତି। ସୁପ୍ରିମକୋର୍ଟରେ ଏକ ଉତ୍ତର ଦାଖଲ କରୁଥିବାବେଳେ କେନ୍ଦ୍ର ସରକାର କହିଛନ୍ତି, ଏହି ଦମ୍ପତିଙ୍କୁ ସରୋଗେସି ଅଧିନିୟମ ଅଧୀନରେ ଆଣିବା ଏହି ଆଇନର ଅପବ୍ୟବହାରକୁ ଉତ୍ସାହିତ କରିବ। ଆହୁରି ମଧ୍ୟ, ଏପରି ପରିସ୍ଥିତିରେ ସରୋଗେଟ ଗର୍ଭରୁ ଜନ୍ମ ହୋଇଥିବା ଶିଶୁର ଉଜ୍ଜ୍ୱଳ ଭବିଷ୍ୟତ ବିଷୟରେ ଆଶଙ୍କା ଦେଖାଦେଇଥାଏ ।

ଏହା ବ୍ୟତୀତ ଅବିବାହିତ, ଅବିବାହିତା ମହିଳାଙ୍କୁ ସରୋଗେସି ଆକ୍ଟର ଲାଭରୁ ଦୂରେଇ ରଖିବା ପାଇଁ ସରକାର ତାଙ୍କ ନିଷ୍ପତ୍ତିକୁ ଯଥାର୍ଥତା ଦେଇଛନ୍ତି। ବର୍ତ୍ତମାନ, କେବଳ ଦୁଇଟି ପରିସ୍ଥିତିରେ ଜଣେ ମହିଳାଙ୍କୁ ସରୋଗେସି ଅନୁମତି ଦିଆଯାଇଛି। ଯଦି ମହିଳା ଜଣକ ବିଧବା ଅଟନ୍ତି ଏବଂ ସମାଜର ଭୟ ହେତୁ ସେ ନିଜେ ଏକ ସନ୍ତାନ ପ୍ରସବ କରିବାକୁ ଚାହାଁନ୍ତି ନାହିଁ, କିମ୍ବା ମହିଳାଙ୍କର ଛାଡପତ୍ର ହୋଇଥିବାବେଳେ ସେ ପୁନର୍ବାର ବିବାହ କରିବାକୁ ଇଚ୍ଛା କରନ୍ତି ନାହିଁ।

ଏହି ଉଭୟ ପରିସ୍ଥିତିରେ, ଏକ ସର୍ତ୍ତ ରଖାଯାଇଛି, ମହିଳାଙ୍କ ବୟସ ୩୫ ର୍ଷରୁ ଅଧିକ ହେବା ଉଚିତ। ସରକାର ଏବଂ ଇଣ୍ଡିଆନ କାଉନସିଲ ଅଫ ମେଡିକାଲ ରିସର୍ଚ୍ଚ (ଆଇସିଏମଆର୍‌) ସରୋଗେସି ଆକ୍ଟର ବିଭିନ୍ନ ବ୍ୟବସ୍ଥାକୁ ଚ୍ୟାଲେଞ୍ଜ କରୁଥିବା ଆବେଦନଗୁଡିକର ଉତ୍ତରରେ ଏହି ଆଫିଡେଭିଟ ଦାଖଲ କରିଛନ୍ତି। ଏହାର ଉତ୍ତରକୁ ସମର୍ଥନ କରି ସଂସଦୀୟ କମିଟି ରିପୋର୍ଟକୁ ଦର୍ଶାଇ ସରକାର କହିଛନ୍ତି, ସରୋଗେସି ଆକ୍ଟ କେବଳ ଆଇନତଃ ସ୍ବୀକୃତିପ୍ରାପ୍ତ ବିବାହିତ ପୁରୁଷ ଓ ମହିଳାଙ୍କୁ ଅଭିଭାବକ ଭାବରେ ସ୍ବୀକୃତି ଦେଇଥାଏ। ଯେହେତୁ ଲିଭ୍‌ଇନ ଦମ୍ପତି କିମ୍ବା ସମଲିଙ୍ଗୀ ଦମ୍ପତି କୌଣସି ନିୟମ ଦ୍ୱାରା ବାନ୍ଧି ହୋଇନାହାଁନ୍ତି, ଏହି କ୍ଷେତ୍ରରେ ସରୋଗେସିରୁ ଜନ୍ମ ହୋଇଥିବା ଶିଶୁର ଭବିଷ୍ୟତ ଉପରେ ସର୍ବଦା ପ୍ରଶ୍ନବାଚୀ ସୃଷ୍ଟି କରିବ।

Share