ଦେବକୁଣ୍ଡରେ ପର୍ଯ୍ୟଟକଙ୍କୁ ଦୁର୍ବ୍ୟବହାର ନେଇ ଉତ୍ତେଜନା

ଉଦଳା, ୨୨।୨ (ଡି.ଏନ.ଏ.) ମୟୂରଭଞ୍ଜ ଜିଲା ଉଦଳା ଦେବକୁଣ୍ଡ ପର୍ଯ୍ୟଟନସ୍ଥଳରେ ପର୍ଯ୍ୟଟକଙ୍କୁ ହଇରାଣ କରାଯାଉଥିବା ନେଇ ଅଭିଯୋଗ ହୋଇଛି। ଏ ବିଷୟରେ ବିଭାଗୀୟ ଅଧିକାରୀଙ୍କୁ ଜଣାଇଲେ ଦୁର୍ବ୍ୟବହାରର ଶିକାର ହେବାକୁ ପଡୁଛି। ଏଭଳି ଅଭିଯୋଗ ଆଣି ପର୍ଯ୍ୟଟକ ଏବଂ ସ୍ଥାନୀୟ ବାସିନ୍ଦା ବୁଢାମରା ଗେଟ ନିକଟରେ ବିକ୍ଷୋଭ କରିବା ସହିତ ଫରେଷ୍ଟରଙ୍କ ବଦଳି ଦାବି କରିଛନ୍ତି। ସୋମବାର ବିଭିନ୍ନ ସ୍ଥାନରୁ ଆସିଥିବା ପର୍ଯ୍ୟଟକଙ୍କୁ ଉତ୍ତ୍ୟକ୍ତ ଲୋକେ ଦେବକୁଣ୍ଡ ଭିତରକୁ ଛାଡି ନ ଥିଲେ। ଫଳରେ ପର୍ଯ୍ୟଟକମାନେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହୋଇଥିଲେ। ଅନ୍ୟପକ୍ଷରେ ଫରେଷ୍ଟ କାର୍ଯ୍ୟାଳୟ ଗେଟରେ ମଧ୍ୟ ଉତ୍ତ୍ୟକ୍ତ ଲୋକେ ତାଲା ପକାଇ ଦେଇଥିଲେ। ଏ ବିଷୟରେ ଫରେଷ୍ଟରଙ୍କର ପ୍ରତିକ୍ରିୟା ମିଳି ପାରି ନ ଥିବା ବେଳେ ପୋଲିସ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାଶୁଝା କରୁଥିଲେ ସୁଦ୍ଧା କୌଣସି ସୁଫଳ ମିଳିପାରିନାହିଁ।
ବାରିପଦା ଅଞ୍ଚଳରୁ ଏକ ବୋଲେରୋରେ ପର୍ଯ୍ୟଟକମାନେ ମା’ ଅମ୍ବିକାଙ୍କ ପୀଠ ଦେବକୁଣ୍ଡ ବୁଲିବାକୁ ଆସିଥିଲେ। ସେମାନେ ପାର୍କିଂରେ ଗାଡି ରଖି ବୁଲିବାକୁ ଯାଇଥିବା ବେଳେ ତାଙ୍କ ଗାଡିର ସମସ୍ତ ଚକାରୁ ପମ୍ପ ଖୋଲି ଦିଆଯିବା ସହିତ ଟାୟାରକୁ କାଟି ଦିଆଯାଇଥିଲା। ଏ ସମ୍ପର୍କରେ ଫରେଷ୍ଟରଙ୍କୁ ପଚାରିବାରୁ ସେ ଦୁର୍ବ୍ୟବହାର କରିଥିବା ଅଭିଯୋଗ କରି ପର୍ଯ୍ୟଟକ ଏବଂ ସ୍ଥାନୀୟ ବାସିନ୍ଦା ଗାଡିକୁ ଆଣି ବୁଢାମରା ଗେଟ ନିକଟରେ ରଖି ପ୍ରତିବାଦ କରିଥିଲେ। ା ସ୍ଥାନୀୟ ବାସିନ୍ଦାଙ୍କ କହିବାନୁସାରେ, ଏଭଳି ଘଟଣା ପ୍ରଥମ ନୁହେଁ, ପୂର୍ବରୁ ମଧ୍ୟ ଅନେକ ଥର ପର୍ଯ୍ୟଟକ ଏହିଭଳି ହଇରାଣ ହୋଇଛନ୍ତି।