Categories: ଜାତୀୟ

ମିଶନ ଦକ୍ଷିଣ ଭାରତ : ନେତାଙ୍କୁ ଭାଜପାର ୪୫ ଦିନିଆ କାର୍ଯ୍ୟ ଦାୟିତ୍ୱ…

ନୂଆଦିଲ୍ଲୀ,୨୯।୧୧ : ଗୁଜରାଟ ବିଧାନସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟ ଏପର୍ଯ୍ୟନ୍ତ ହୋଇନାହିଁ ମାତ୍ର ଦକ୍ଷିଣ ଭାରତରେ ନିଜର ଉପସ୍ଥିତିକୁ ମଜବୁତ କରିବା ପାଇଁ ଭାଜପା ମିଶନ ଦକ୍ଷିଣ ଭାରତ ଆରମ୍ଭ କରିଛି। ଦଳୀୟ ନେତାମାନଙ୍କୁ ଭାଜପା ନୂତନ କାର୍ଯ୍ୟ ଦେଇଛି। ଦକ୍ଷିଣ ଭାରତରେ ହେବାକୁ ଥିବା ବିଧାନସଭା ନିର୍ବାଚନ ସହିତ ଲୋକସଭା ନିର୍ବାଚନରେ ସଫଳତା ଲାଗି ଯୋଜନା ପ୍ରସ୍ତତ କରିଛି। ଭାଜପା କର୍ମୀମାନଙ୍କୁ ମିଶନ ଦକ୍ଷିଣ ଭାରତ ଅନ୍ତର୍ଗତ ୪୫ ଦିନର ଟାସ୍କ ଦେଇଛି। ଧାର୍ଯ୍ୟ ସମୟ ମଧ୍ୟରେ ଏହାର ରିପୋର୍ଟ ଦାଖଲ କରିବାକୁ ଭାଜପା କହିଛି। ଭାଜପା ସୂତ୍ରରୁ ପ୍ରକାଶ ଯେ ଗୁଜରାଟ ନିର୍ବାଚନ ଫଳାଫଳ ପରେ ହିଁ ଦକ୍ଷିଣ ଭାରତର ରାଜ୍ୟଗୁଡିକରେ ନେତାଙ୍କ ଗସ୍ତ ବୃଦ୍ଧି ପାଇବ।

ଏଥିରେ ଜାତୀୟ ଅଧ୍ୟକ୍ଷଙ୍କ ଠାରୁ ଜାତୀୟ ମହାସଚିବ ଏବଂ ଅନ୍ୟ ସମସ୍ତ ସଂଗଠନ ସହ ଜଡିତ ନେତାମାନଙ୍କୁ ପଠାଯିବ। ଏହା ବ୍ୟତୀତ ଯୋଜନା ଅନୁଯାୟୀ କେନ୍ଦ୍ର କ୍ୟାବିନେଟର ବରିଷ୍ଠ ନେତାଙ୍କ ଯାତ୍ରା ମଧ୍ୟ ଦକ୍ଷିଣ ରାଜ୍ୟକୁ ବିସ୍ତାର କରାଯିବ। ରାଜନୈତିକ ବିଶେଷଜ୍ଞମାନେ କହିଛନ୍ତି ଯେ ଗତ କିଛି ମାସ ମଧ୍ୟରେ ଭାଜପା ନିଜରା ନେତାଙ୍କୁ ଦକ୍ଷିଣ ଭାରତ ଆଡକୁ ମୁହାଁଇଛି। ଏହା ଦକ୍ଷିଣରେ ଥିବା ଗଡ଼କୁ ମଜବୁତ କରିବା ପାଇଁ ଏକ ପ୍ରସ୍ତୁତି। ରାଜନୈତିକ ବିଶ୍ଳେଷକ ପିଏନ ଶିବକୁମାର କହିଛନ୍ତି ଯେ ଦକ୍ଷିଣ ଭାରତର ଯେକୌଣସି ପଦକ୍ଷେପକୁ ରାଜନୈତିକ ସ୍ଥିତି ସହିତ ଯୋଡା ଯାଉଛି।

ସେ କହିଛନ୍ତି ଯେ ପ୍ରଥମ ଥର ପାଇଁ ଭାରତୀୟ ଅଲିମ୍ପିକ ଆସୋସିଏଶନର ସଭାପତି ଭାବରେ ଦକ୍ଷିଣ ଭାରତୀୟ ପିଟି ଉଷାଙ୍କୁ ନିର୍ବିରୋଧ ଭାବେ ନିର୍ବାଚିତ କରାଯାଇଛି। ଶିବକୁମାର କହିଛନ୍ତି ଯେ ରାଜନୈତିକ ଦୃଷ୍ଟିରୁ ଭାଜପା କେବଳ ଦକ୍ଷିଣ ଭାରତର ନେତାମାନଙ୍କୁ ସେଠାକାର ଲୋକଙ୍କ ସହ ରଣନୀତି କରିବା ପାଇଁ ଦାୟିତ୍ୱ ଦେଇଛି। ଏହା ସହିତ କର୍ନାଟକ ଏବଂ ତେଲେଙ୍ଗାନାରେ ମଧ୍ୟ ରଣନୀତି ଅନ୍ତର୍ଗତ ବଡ ନେତାଙ୍କୁ ପଠାଯାଇଛି।
ଆସନ୍ତା ବର୍ଷ କର୍ନାଟକ ନିର୍ବାଚନ ପାଇଁ ଭାଜପା ଏକ ଜନସମ୍ପର୍କ ଅଭିଯାନ ଆରମ୍ଭ କରିଛି। ମୁଖ୍ୟମନ୍ତ୍ରୀ ବାସଭାରାଜ ବୋମ୍ମାଇଙ୍କ କହିବାନୁସାରେ, ତୃଣମୂଳ ସ୍ତରରେ ପାର୍ଟିର ଶକ୍ତି ବୃଦ୍ଧି ପାଇଁ ଏହି ଯାତ୍ରା କରାଯାଉଛି।

Share