୩୦ ଲକ୍ଷ ତ୍ରିରଙ୍ଗା ପ୍ରସ୍ତୁତ କଲା ମିଶନ ଶକ୍ତି

ଭୁବନେଶ୍ୱର,୧୪ ।୮(ବ୍ୟୁରୋ): ସ୍ବାଧୀନତାର ୭୫ ବର୍ଷ ପୂର୍ତ୍ତି ଅବସରରେ ସାରା ଦେଶରେ ହର୍‌ ଘର୍‌ ତ୍ରିରଙ୍ଗା ଅଭିଯାନ ଜୋରଦାର ହେବାରେ ଲାଗିଛି। ଅଗଷ୍ଟ ୧୩ରୁ ୧୫ ମଧ୍ୟରେ ସମସ୍ତ ଘର ଏବଂ ଶିକ୍ଷାନୁଷ୍ଠାନରେ ଜାତୀୟ ପତାକା ଉତ୍ତୋଳନ କରାଯାଉଛି। ଶନିବାର ମିଶନ ଶକ୍ତି ସ୍ବୟଂ ସହାୟକ ଓ ଉତ୍ପାଦକ ଗୋଷ୍ଠୀର ଏକ ପ୍ରତିନିଧି ଦଳ ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କରି ହାତ ତିଆରି ଜାତୀୟ ପତାକା ପ୍ରଦାନ କରିବା ସହ ସେମାନଙ୍କ ଉପରେ ଭରସା ରଖି ଏଭଳି ଏକ ବିଶାଳ ଦାୟିତ୍ୱ ପ୍ରଦାନ କରିଥିବାରୁ କୃତଜ୍ଞତା ଜଣାଇଛନ୍ତି। ୭୬ତମ ସ୍ବାଧୀନତା ଦିବସ ଅବସରରେ ରାଜ୍ୟର ସମସ୍ତ ସରକାରୀ, ଘରୋଇ ଅନୁଷ୍ଠାନ, ସଂସ୍ଥା ଆଦିରେ ଜାତୀୟ ପତାକା ଉଡ଼ିବ। ମିଶନ ଶକ୍ତି ସଦସ୍ୟାମାନଙ୍କ ଦ୍ୱାରା ପ୍ରସ୍ତୁତ ଏବଂ ଯୋଗାଇ ଦିଆଯାଇଥିବା ଜାତୀୟ ପତାକା ସମ୍ପୂର୍ଣ୍ଣ ସ୍ବତନ୍ତ୍ର। ଏଥିରେ ସେମାନଙ୍କ ନିଷ୍ଠା, ଆନ୍ତରିକତା ଏବଂ ପର୍ଯ୍ୟାପ୍ତ ଶ୍ରଦ୍ଧା ଭରିରହିଛି ବୋଲି ସଦସ୍ୟାମାନେ କହିଛନ୍ତି।
ଓଡ଼ିଶାରେ ମିଶନ ଶକ୍ତି ସଦସ୍ୟାମାନଙ୍କ ଔଦ୍ୟୋଗିକ ସାମର୍ଥ୍ୟ ଉପରେ ସମ୍ପୂର୍ଣ୍ଣ ଆସ୍ଥା ପ୍ରକଟ କରିବା ସହ ସେମାନଙ୍କ ପାଖରେ ଥିବା ସିଲାଇ ୟୁନିଟଗୁଡ଼ିକର ପୂର୍ଣ୍ଣ ଉପଯୋଗ କରିବା ଲକ୍ଷ୍ୟରେ ରାଜ୍ୟ ସରକାର ମିଶନ ଶକ୍ତି ସ୍ବୟଂ ସହାୟକ ଗୋଷ୍ଠୀମାନଙ୍କୁ ୩୦ ଲକ୍ଷ ଜାତୀୟ ପତାକା ସିଲାଇ କରିବାର ଗୁରୁଦାୟିତ୍ୱ ଅର୍ପଣ କରିଥିଲେ। ଏହି କାର୍ଯ୍ୟକ୍ରମ ଅଧୀନରେ ରାଜ୍ୟର ଗ୍ରାମ ଏବଂ ସହରରେ ୬ ଲକ୍ଷରୁ ଊର୍ଦ୍ଧ୍ୱ ଗୋଷ୍ଠୀ ସଂଗଠିତ ହୋଇପାରିଛନ୍ତି। ଅଗଷ୍ଟ ୧୦ ତାରିଖ ସୁଦ୍ଧା ଏହି ସଦସ୍ୟାମାନଙ୍କ ଦ୍ୱାରା ତିଆରି ହୋଇଥିବା ପତାକାଗୁଡ଼ିକ ପ୍ରତ୍ୟେକ ଜିଲାରୁ ସଂଗୃହୀତ ହୋଇ ବଣ୍ଟନ ଆରମ୍ଭ କରାଯାଇଥିଲା। ପତାକା ତିଆରିର ସମସ୍ତ ଖର୍ଚ୍ଚ ରାଜ୍ୟ ସରକାର ବହନ କରିଥିବା ବେଳେ ଏହି ତ୍ରିରଙ୍ଗାଗୁଡ଼ିକ ଜିଲା ପ୍ରଶାସନ ପକ୍ଷରୁ ଜନସାଧାରଣଙ୍କୁ ବିନା ଦେୟରେ ବଣ୍ଟନ କରାଯାଇଛି।