ମିଶନ ଶକ୍ତି ଗୃହ କାମରେ ଲାଗୁନି

ନୂଆଗାଁ,୯ା୫(ଡି.ଏନ.ଏ.): ମହିଳାଙ୍କ ଉନ୍ନତିରେ ରାଜ୍ୟର ପ୍ରଗତି। ତେଣୁ ମହିଳାମାନଙ୍କୁ ସ୍ବୟଂ ସହାୟକ ଗୋଷ୍ଠୀ ମାଧ୍ୟମରେ ସ୍ବାବଲମ୍ବୀ କରାଇବା ଓ ସମସ୍ତ ସୁବିଧା ସୁଯୋଗ ଯୋଗାଇ ଦେବାକୁ ସରକାର ବିଭିନ୍ନ ଯୋଜନାମାନ କରୁଛନ୍ତି। ହେଲେ ପ୍ରଶାସନିକ ଅଧିକାରୀଙ୍କ ସ୍ବେଚ୍ଛାଚାରିତା କାରଣରୁ ସେସବୁ ସୁବିଧା ପାଇବାରୁ ମହିଳାମାନେ ବଞ୍ଚତ୍ତ ହେଉଛନ୍ତି। ସ୍ବୟଂ ସହାୟକ ଗୋଷ୍ଠୀମାନଙ୍କ ପାଇଁ ମିଶନ ଶକ୍ତି ଗୃହ ନିର୍ମାଣ ପାଇଁ ରାଜ୍ୟ ସରକାର ଅନୁଦାନ ଯୋଗାଇଥିବା ବେଳେ ନୟାଗଡ଼ ଜିଲା ନୂଆଗାଁ ବ୍ଲକର କୌଣସି ପଞ୍ଚାୟତରେ ତାହା କାମରେ ଲାଗୁ ନ ଥିବା ଅଭିଯୋଗ ହେଉଛି।
ନୂଆଗାଁ ବ୍ଲକର ୨୨ଟି ପଞ୍ଚାୟତରେ ମିଶନ ଶକ୍ତି ଗୃହ ନିର୍ମାଣ ସହ ଶୌଚାଳୟ ଓ ପାଣିର ବ୍ୟବସ୍ଥା କରି ମିଶନ ଶକ୍ତି ବିଭାଗକୁ ହସ୍ତାନ୍ତର କରିବାକୁ ସରକାର ବ୍ଲକ ପ୍ରଶାସନକୁ ନିର୍ଦ୍ଦେଶ ଦେଇଥିଲେ। ସେହି ଅନୁସାରେ ପ୍ରତି ପଞ୍ଚାୟତରେ ମିଶନ ଶକ୍ତି ଗୃହ ନିର୍ମାଣ ଆରମ୍ଭ କରାଯାଇଥିଲା। ବର୍ତ୍ତମାନ କେଉଁ ପଞ୍ଚାୟତରେ ମିଶନ ଶକ୍ତି ଗୃହ ନିର୍ମାଣ ଅଧପନ୍ତରିଆ ଭାବେ ରହିଛି ତ ଆଉ କେଉଁଠି ପାଣିର ବ୍ୟବସ୍ଥା କରାଯାଇନାହିଁ। କେଉଁଠି ନିର୍ମାଣ କାର୍ଯ୍ୟ ଆରମ୍ଭ ମଧ୍ୟ ହୋଇନାହିଁ। ତେବେ ନୂଆଗଁା ବ୍ଲକ ମିଶନ ଶକ୍ତି ସଂଯୋଜକ ଦିଲୀପ କୁମାର ନାୟକଙ୍କ ସୂଚନା ଅନୁସାରେ, ବର୍ତ୍ତମାନ ସୁଦ୍ଧା ନୂଆଗାଁ, ସିଙ୍ଗାରପଲ୍ଲୀ, ବାହାଡାଝୋଲା, ବଡ଼ଗୋଠ, ଖଣ୍ଡୁଗାଁ, ଜାକେଡ଼ା, କାପ୍ତାପଲ୍ଲୀ, ହରିପୁର, ବେରୁହଁାବାରୀ, ମାଇଛେଳି, ଗାତେରୀ, ମହୀପୁର, ଚାହାଳୀ, ପାରାଢ଼ିପି ଓ ସିକ୍ରିଡ଼ା ୧୫ଟି ମିଶନ ଶକ୍ତି ଗୃହକୁ ମିଶନ୍‌ ଶକ୍ତି ବିଭାଗକୁ ହସ୍ତାନ୍ତର କରାଯାଇଛି। କିନ୍ତୁ ଗାଁ  ଓ ପରିତାପର ବିଷୟ ୧୫ଟି ମଧ୍ୟରୁ କେବଳ କାପ୍ତାପଲ୍ଲୀ ମିଶନ ଶକ୍ତି ଗୃହରେ ପାଣିର ବ୍ୟବସ୍ଥା କରାଯାଇଛି। ଅନ୍ୟ କୌଣସି ଗୃହରେ ପାଣିର ବ୍ୟବସ୍ଥା ଏ ପର୍ଯ୍ୟନ୍ତ କରାଯାଇନାହିଁ। ଫଳରେ ତାହା ବ୍ୟବହାର ଉପଯୋଗୀ ହୋଇପାରୁନାହିଁ। ଅନ୍ୟ ୬ଟି ଗୃହର ନିର୍ମାଣ କାର୍ଯ୍ୟ ଚାଲିଥିବା ବେଳେ ଉଦୟପୁର ପଞ୍ଚାୟତରେ ମିଶନ ଶକ୍ତି ଗୃହ ନିର୍ମାଣ କାର୍ଯ୍ୟ ଆରମ୍ଭ କରାଯାଇନାହିଁ। ଅନେକ ପଞ୍ଚାୟତରେ ଗୃହ ନିର୍ମାଣ କାର୍ଯ୍ୟ ଶେଷ ହେବାର ଦୀର୍ଘ ଏକ ବର୍ଷ ବିତିଯାଇଥିଲେ ମଧ୍ୟ ଅଦ୍ୟାବଧି ସେସବୁ ବ୍ୟବହାର ଅନୁପଯୋଗୀ ହୋଇ ପଡ଼ି ରହିଛି। ଗୋଟିଏ ପଟେ ଅର୍ଥ ବ୍ୟୟ କରି ଗୃହ ନିର୍ମାଣ ଅନ୍ୟପକ୍ଷେ ଗୃହ କାର୍ଯ୍ୟରେ ନ ଲାଗିବା ଘଟଣା ମହିଳାମାନଙ୍କୁ ସ୍ବାବଲମ୍ବୀ କରିବା ଓ ସମସ୍ତ ସୁବିଧା ସୁଯୋଗ ଯୋଗାଇ ଦେବାର ବ୍ୟବସ୍ଥା ପ୍ରତି ଉପହାସ କରୁଥିବା ବୁଦ୍ଧିଜୀବୀମାନେ କହିଛନ୍ତି। ଏ ସମ୍ପର୍କରେ ନୂଗାଁଡିଓ ସଚ୍ଚିଦାନନ୍ଦ ମିଶ୍ରଙ୍କୁ ପଚାରିବାରେ ଏ ବିଷୟରେ ବୁଝି ଜଣାଇବେ ବୋଲି ସେ କହିଛନ୍ତି।