ବାଲେଶ୍ୱରରେ ‘ମିଶନ ଶକ୍ତି କାଫେ’

ବାଲେଶ୍ୱର ଅଫିସ, ୨୮ା୧୨ ବାଲେଶ୍ୱର ଜିଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ସୋମବାର ରାଜ୍ୟ ସରକାରଙ୍କ ଭିନ୍ନକ୍ଷମ ସାମାଜିକ ନିରାପତ୍ତା ଓ ସଶକ୍ତୀକରଣ ବିଭାଗ ସହାୟତା ତଥା ମିଶନ ଶକ୍ତି ସହଯୋଗରେ କିନ୍ନର ସ୍ବୟଂ ସହାୟକ ଗୋଷ୍ଠୀ (ଏସ୍‌ଏଚ୍‌ଜି) ପକ୍ଷରୁ ଏକ ଅତ୍ୟାଧୁନିକ କଫି ଷ୍ଟଲ ‘ମିଶନ ଶକ୍ତି କାଫେ’ ଉଦ୍‌ଘାଟିତ ହୋଇଯାଇଛି। ଜିଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀ ଏହାକୁ ଉଦ୍‌ଘାଟନ କରି କିନ୍ନର ଏସ୍‌ଏଚ୍‌ଜିଙ୍କୁ ସ୍ବାବଲମ୍ବୀ କରିବା ସାଙ୍ଗକୁ ଏଠାରେ ବିଭିନ୍ନ ସରକାରୀ କାର୍ଯ୍ୟାଳୟରେ କାର୍ଯ୍ୟରତ ଅଧିକାରୀ, କର୍ମଚାରୀ ଓ ଏଠାକୁ ଆସୁଥିବା ଜନସାଧାରଣ ବିଶେଷ ଭାବେ ଉପକୃତ ହୋଇପାରିବେ ବୋଲି କହିଥିଲେ। ଜିଲା ଜରୁରୀକାଳୀନ ଅଧିକାରୀ ରିଜୱାନା କୱକବ, ଜିଲା ସମାଜମଙ୍ଗଳ ଅଧିକାରିଣୀ କୁନ୍ତଳା କୁମାରୀ ମଲ୍ଲିକ ପ୍ରମୁଖ ଉପସ୍ଥିତ ଥିଲେ। ଉତ୍ତର ଓଡ଼ିଶା ଗ୍ରାମ୍ୟ ଉନ୍ନୟନ ପ୍ରକଳ୍ପ ପରିଚାଳିକା ରୁକସାନା ଖାତୁନଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଉଦ୍‌ଘାଟନୀ ଉତ୍ସବ ଆୟୋଜିତ ହୋଇଥିଲା। ସକାଳ୧୦ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଏହି ଷ୍ଟଲ ଖୋଲାରହିବ। ଏଠାରେ ଚା’, କଫି, ଗ୍ରୀନ୍‌ ଟି ଓ ବିଭିନ୍ନ ପ୍ରକାର ବିସ୍କୁଟ ଓ ସ୍ନାକ୍ସ ଆଦି ସୁଲଭ ମୂଲ୍ୟରେ ବିକ୍ରି ହେବ ବୋଲି କିନ୍ନର ସଂଘ କର୍ମକର୍ତ୍ତାମାନେ କହିଛନ୍ତି। ଜଳେଶ୍ୱର ଅଞ୍ଚଳର କିନ୍ନର ଏସ୍‌ଏଚ୍‌ଜି ଏହି ଷ୍ଟଲ ଖୋଲିଥିବା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଜିଲା କିନ୍ନର ସଙ୍ଘର ମୁଖ୍ୟ ରାଣୀ କିନ୍ନରଙ୍କ ସମେତ କିନ୍ନର ଏସ୍‌ଏଚ୍‌ଜି ନିହାରିକା କିନ୍ନର, ବାସନ୍ତୀ କିନ୍ନର, ସାଲୋନି କିନ୍ନର ଓ ଲଭଲି କିନ୍ନର ପ୍ରମୁଖ ଉପସ୍ଥିତ ଥିଲେ।