ମହିଳାଙ୍କୁ ସ୍ବାବଲମ୍ବୀ କରିଛି ମିଶନ ଶକ୍ତି କାଫେ

ପାରଳାଖେମୁଣ୍ଡି,(ଗିରିଧାରୀ ପରିଛା) ୩୦।୮: ମିଶନ ଶକ୍ତି ବିଭାଗର ସହାୟତା ଏବଂ ଜିଲା ପ୍ରଶାସନ ଗଜପତିର ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ଗଜପତିର ବିଭିନ୍ନ ଜାଗାରେ ମିଶନ ଶକ୍ତି କାଫେ ତିଆରି କରାଯାଇ ସ୍ବୟଂ ସହାୟକ ଗୋଷ୍ଠୀର ମହିଳାମାନଙ୍କୁ ସ୍ବାବଲମ୍ବୀ କରାଯାଇଛି। ପ୍ରତି ପଞ୍ଚାୟତ ସମିତିର ମୁଖ୍ୟାଳୟରେ ଗୋଟିଏ ଲେଖାଏ ମିଶନ ଶକ୍ତି କାଫେ ପ୍ରସ୍ତୁତି ପାଇଁ ଜିଲା ପ୍ରଶାସନ ଯୋଜନା କରିଥିବା ବେଳେ ଆଜି ସୁଦ୍ଧା ଜିଲ୍ଲାର ଚାରିଗୋଟି ଜାଗା ଯଥା ଗୋଷାଣି ଓ ରାୟଗଡ଼ ପଞ୍ଚାୟତ ସମିତିରେ ଗୋଟିଏ ଲେଖାଏଁ ପ୍ରସ୍ତୁତି ହୋଇଥିଲାବେଳେ ରା.ଉଦୟଗିରି ପଞ୍ଚାୟତ ସମିତିରେ ଦୁଇଗୋଟି ମିଶନ ଶକ୍ତି କାଫେ ପ୍ରସ୍ତୁତି ହୋଇ ସ୍ବୟଂ ସହାୟକ ଗୋଷ୍ଠିର ମହିଳାମାନଙ୍କ ଦ୍ବାରା ପରିଚାଳନା କରାଯାଉଛି। ସେମାନଙ୍କ ମଧ୍ୟରେ ଗୋଷାଣୀ ପଞ୍ଚାୟତ ସମିତିର ଗୋଷାଣୀ ଗ୍ରାମରେ ମଝି ଘରିଆଣି ସ୍ବୟଂ ସହାୟକ ଗୋଷ୍ଠି, ରା.ଉଦୟଗିରି ପଞ୍ଚାୟତସମିତିର ରା.ଉଦୟଗିରି ଗ୍ରାମରେ ପୂଜା ସ୍ବୟଂ ସହାୟକ ଗୋଷ୍ଠି, ଅବାରସିଂ ଗ୍ରାମରେ ମାଁ ବ୍ରାହ୍ମଣୀ ଦେବୀ ସ୍ବୟଂ ସହାୟକ ଗୋଷ୍ଠି ଏବଂ ରାୟଗଡ଼ ପଞ୍ଚାୟତସମିତିର କଇଁପୁର ଗ୍ରାମରେ ମାଁ ତାରିଣୀ ସ୍ବୟଂ ସହାୟକ ଗୋଷ୍ଠି ମିଶନ ଶକ୍ତି କାଫେ ପରିଚାଳନା କରୁଛନ୍ତି। ଅନ୍ୟ ପାଞ୍ଚଗୋଟି ପଞ୍ଚାୟତସମିତିରେ କାଫେ ପ୍ରସ୍ତୁତ ପାଇଁ ଗୃହ ତିଆରି କାର୍ଯ୍ୟ ଚାଲୁଅଛି। ଗଜପତିରେ ପ୍ରସ୍ତୁତି ହୋଇଥିବା କାଫେ ଗୁଡ଼ିକ ପାଇଁ ସ୍ଥାନୀୟ ପଞ୍ଚାୟତ ସମିତି ଗୃହ ଏବଂ ଆସବାବପତ୍ର ପାଇଁ ସହଯୋଗ କରିଥିବା ବେଳେ କାଫେ ଚଲାଇବା ପାଇଁ ପୁଞ୍ଜି ସ୍ଥାନୀୟ ବ୍ୟାଙ୍କ ଦ୍ବାରା ଯୋଗାଇ ଦିଆଯାଇଛି। ଅନ୍ୟପଟେ ମିଶନ ଶକ୍ତି କାଫେକୁ ଦୈନନ୍ଦିନ ପରିଚାଳନା ଦିଗରେ ଆବଶ୍ୟକ ପ୍ରଶିକ୍ଷଣ ରାଜ୍ୟ ସରକାରଙ୍କ ମିଶନ ଶକ୍ତି ବିଭାଗ ଦ୍ବାରା ଇନଷ୍ଟିଚ୍ୟୁଟ ଅଫ ହୋଟେଲ ମ୍ୟାନେଜମେଣ୍ଟ, ଭୂବନେଶ୍ବର
ଠାରେ ଯୋଗାଇ ଦିଆଯାଇଛି।