ସାଳନ୍ଦୀ ନଦୀରେ ନିଖୋଜ ଥିଲେ ମହିଳା: ମିଳିଲା ମୃତଦେହ

ଠାକୁରମୁଣ୍ଡା,୨।୯(ତାରାକାନ୍ତ ପଟ୍ଟନାୟକ): ମୟୂରଭଞ୍ଜ ଜିଲା ଠାକୁରମୁଣ୍ଡା ବ୍ଲକ ମହୁଲଡ଼ିହା ଥାନା ଅନ୍ତର୍ଗତ ଡଙ୍ଗାଡ଼ିହା ଗ୍ରାମ ଦେଇ ଯାଇଥିବା ସାଳନ୍ଦୀ ନଦୀରେ ଶୁକ୍ରବାର ସନ୍ଧ୍ୟାରେ ଭାସିଯାଇ ଜଣେ ମହିଳା ନିଖୋଜ ହୋଇଥିଲେ। ଶନିବାର ସକାଳେ ଅଗ୍ନିଶମ ବିଭାଗ ମହିଳା ଜଣଙ୍କ ମୃତଦେହ ଉଦ୍ଧାର କରିଛନ୍ତି। ଉଦ୍ଧାର ହୋଇଥିବା ମହିଳା ଜଣହେଲେ ଡ଼ଙ୍ଗାଡ଼ିହା ଗ୍ରାମର ଘୁଟୁସାହିର ସିନୁ ପିଙ୍ଗୁଆଙ୍କ ସ୍ତ୍ରୀ ଗୁରୁବାରୀ ।
ସୂଚନା ଅନୁଯାୟୀ, ଶୁକ୍ରବାର ଡ଼ଙ୍ଗାଡ଼ିହା ଗ୍ରାମରେ ହେଉଥିବା ହାଟକୁ ଗୁରୁବାରୀ ଆସିଥିଲେ। ହାଟ ସାରି ସନ୍ଧ୍ୟାରେ ନିଜ ସାହିର ଜଣେ ମହିଳାଙ୍କ ସହିତ ଘରକୁ ଯିବା ପାଇଁ ନଦୀ ପାରି ହେଉଥିବା ବେଳେ ପାଣିରେ ଭାସି ଯାଇଥିଲେ। ନଦୀରେ ଭାସି ଯିବା ଜାଣି ସ୍ଥାନୀୟ ଲୋକମାନେ ରାତିରେ ତାଙ୍କୁ ଉଦ୍ଧାର କରିବାକୁ ଖୋଜାଖୋଜି କରିଥିଲେ ମଧ୍ୟ ପାଇ ନଥିଲେ । ଶନିବାର ସକାଳେ ଠାକୁରମୁଣ୍ଡା ଅଗ୍ନିଶମ ବିଭାଗକୁ ଖବର ଦେବାପରେ ଅଗ୍ନିଶମ କର୍ମଚାରୀମାନେ ପହଞ୍ଚି ନଦୀ ଭିତରେ ଖୋଜି ମହିଳାଙ୍କ ମୃତ ଦେହକୁ ଉଦ୍ଧାର କରିଥିଲେ।