ଗାଧୋଇବା ହେଲା କାଳ: ନିଖୋଜର ୩ ଘଣ୍ଟା ପରେ ନଦୀରୁ ମିଳିଲା…

ଦିଗପହଣ୍ଡି,୧୭।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଖଲିଙ୍ଗି ଗ୍ରାମର କୋରି ରାଉତ (୬୨) ନାମ୍ନୀ ଜଣେ ବୃଦ୍ଧାଙ୍କ ମୃତଦେହ ଗାଁ ନିକଟସ୍ଥ ଘୋଡ଼ାହାଡ଼ ନଦୀରୁ ଉଦ୍ଧାର କରାଯାଇଛି। ମିଳିଥିବା ସୂଚନା ଅନୁଯାୟୀ, ଶନିବାର ଭୋର ପ୍ରାୟ ୬ଟାରେ ବୃଦ୍ଧା ଜଣକ ନଦୀକୁ ଗାଧୋଇବା ପାଇଁ ଯାଇଥିବା ବେଳେ ଆକସ୍ମିକ ଭାବେ ନିଖୋଜ ହୋଇଯାଇଥିଲେ। ପରିବାର ଲୋକେ ବହୁ ଖୋଜାଖୋଜି କରିବା ପରେ ମଧ୍ୟ ତାଙ୍କର କୌଣସି ସନ୍ଧାନ ମିଳିନଥିଲା। ପୂର୍ବାହ୍ନ ପ୍ରାୟ ୯ଟାରେ ତାଙ୍କ ମୃତଦେହ ନଦୀରେ ଭାସୁଥିବା ଦେଖି ସ୍ଥାନୀୟ ଲୋକେ ପରିବାର ଲୋକଙ୍କୁ ଖବର ଦେଇଥିଲେ। ଗ୍ରାମବାସୀମାନେ ନଦୀର ଗଭୀର ଗଣ୍ଡରୁ ବୃଦ୍ଧାଙ୍କୁ ଅଚେତ ଅବସ୍ଥାରେ ଉଦ୍ଧାର କରି ଆଡ଼ପଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ ହେଁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ଗାଧୋଇବା ବେଳେ ଅସାବଧାନତା କାରଣରୁ ବୃଦ୍ଧା ଜଣକ ଗଭୀର ପାଣି ଭିତରକୁ ଚାଲିଯାଇ ବୁଡ଼ିଯାଇଥିବା ପୋଲିସର ପ୍ରାଥମିକ ଅନୁସନ୍ଧାନରୁ ଜଣାପଡ଼ିଛି। ଏନେଇ ପାଟପୁର ଥାନାରେ ଏତଲା ଦିଆଯିବା ପରେ ଆଇଆଇସି ଦୀପ୍ତି ରଞ୍ଜନ ବେହେରା ଅପମୃତ୍ୟୁ ମାମଲା (ନଂ. ୨୪/୨୬) ରୁଜୁ କରିଥିଲେ। ଅନୁସନ୍ଧାନକାରୀ ପୋଲିସ ଅଧିକାରୀ ଏଏସଆଇ କୃଷ୍ଣଚନ୍ଦ୍ର ଦାସ ମୃତଦେହ ଜବତ କରି ବ୍ୟବଚ୍ଛେଦ ନିମନ୍ତେ ବ୍ରହ୍ମପୁର ବଡ଼ ଡାକ୍ତରଖାନାକୁ ପଠାଇଥିଲେ। ବ୍ୟବଚ୍ଛେଦ ଶେଷ ହେବା ପରେ ମୃତଦେହ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିଲା। ମଧ୍ୟାହ୍ନରେ ଶୋକାକୁଳ ପରିବେଶ ମଧ୍ୟରେ ଗାଁ ଶ୍ମଶାନରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଛି।

Dharitri – Odisha’s No.1 Odia Daily

Share