ନିଖୋଜ ଥିଲେ: ଜଙ୍ଗଲରୁ ମିଳିଲା ମୃତଦେହ

ରାଇକିଆ,୭।୯(ପ୍ରଦୀପ ବେହେରା): କନ୍ଧମାଳ ଜିଲା ରାଇକିଆ ଥାନା ବାକିଙ୍ଗିଆ ନିକଟ ଦେରିନାଜୁ ଗ୍ରାମ ନିକଟ ଜଙ୍ଗଲରୁ ଜଣେ ବ୍ୟକ୍ତିଙ୍କ ମୃତଦେହ ପୋଲିସ ଗୁରୁବାର ଜବତ କରିଛି। ମୃତ ବ୍ୟକ୍ତି ଜଣକ ହେଲେ ଦେରିନାଜୁ ଗ୍ରାମର ବିଟୁ ପ୍ରଧାନ।

ମିଳିଥିବା ସୂଚନା ମୁତାବକ, ଗତ ୫ ତାରିଖରେ ବିଟୁ ସ୍ଥାନୀୟ ଜଙ୍ଗଲକୁ ଛେଳି ଚରାଇବାକୁ ଯାଇଥିଲେ। ହେଲେ ସେ ଆଉ ଘରକୁ ଫେରି ନ ଥିଲେ। ଏନେଇ ବୁଧବାର ପରିବାର ଲୋକେ ବିଟୁ ନିଖୋଜ ଥିବା ନେଇ ଥାନାରେ ଅଭିଯୋଗ କରିଥିଲେ। ବୁଧବାର ସନ୍ଧ୍ୟାରେ ଜଙ୍ଗଲରେ ଏକ ମୃତଦେହ ପଡ଼ିଥିବା ଖବର ମିଳିଥିଲା। ପରିବାର ଲୋକେ ପହଞ୍ଚି ମୃତଦେହ ଚିହ୍ନଟ କରିଥିଲେ। ହେଲେ ମୃତଦେହ ଚତୁଃପାର୍ଶ୍ୱରେ ମହୁମାଛି ଘେରି ରହିଥିବା ବେଳେ ମୁଁହ ହାତ ସବୁ ଫୁଲି ଯାଇଥିଲା। ମହୁମାଛି ଆକ୍ରମଣରେ ବିଟୁଙ୍କ ମୃତ୍ୟୁ ଘଟିଥିବା ପରିବାର ଲୋକେ ସନ୍ଦେହ କରିଛନ୍ତି। ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ଏନେଇ ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଚଳାଇଛି।