ନିଖୋଜ ବ୍ଲକ ଉପାଧ୍ୟକ୍ଷା ସୋନପୁରରୁ ଉଦ୍ଧାର

ବଣାଇ,୨୮।୧(ସ୍ବ.ପ୍ର): ନିଖୋଜ ହୋଇଯାଇଥିବା ସୁନ୍ଦରଗଡ଼ ଜିଲା ବଣାଇ ବ୍ଲକ ଉପାଧ୍ୟକ୍ଷା ବିନତି ବେହେରା ଶୁକ୍ରବାର ସୋନପୁରରୁ ଉଦ୍ଧାର ହୋଇଛନ୍ତି। ଗତ ଜାନୁୟାରୀ ୪ରୁ ନିଖୋଜ ଥିବା ନେଇ ତାଙ୍କ ସ୍ବାମୀ ପ୍ରସନ୍ନ ବେହେରା ଟିକାୟତପାଲି ଥାନାରେ ଅଭିଯୋଗ କରିଥିଲେ। ପରେ ପୋଲିସ ଖୋଜାଖୋଜି ଆରମ୍ଭ କରିଥିଲେ ହେଁ ଦୀର୍ଘଦିନ ଧରି ପତ୍ତା ମିଳୁ ନ ଥିଲା l ପୋଲିସ ଫୋନଟ୍ରାକିଂ ଜନିତ ସୂଚନା ପାଇ ଗୁରୁବାର ତେଲକୋଇ ଅଞ୍ଚଳରୁ ଯୁବକ ଜନ୍ମେଜୟ ସାହୁଙ୍କୁ ଧରିବା ପରେ ତାଙ୍କ ଘର ସୋନପୁର ଅଞ୍ଚଳରୁ ଉପାଧ୍ୟକ୍ଷାଙ୍କୁ ଉଦ୍ଧାର କରିଥିଲେ। ଏବେ ଟିକାୟତପାଲି ଥାନାରେ ପୋଲିସ ପଚରାଉଚରା କରୁଛି। କୌଣସି ତଥ୍ୟ ପୋଲିସ ପ୍ରକାଶ କରୁ ନ ଥିଲେ ହେଁ ବିନତି ନିଜେ ଜନ୍ମେଜୟ ସହିତ ଯାଇଥିବା ଓ ଆଗକୁ ମଧ୍ୟ ଜନ୍ମେଜୟ ସହ ରହିବେ ବୋଲି କହିବା ପରେ ସବୁ କଥା ସ୍ପଷ୍ଟ ହୋଇଯାଇଛି l ପ୍ରଥମ ପର୍ଯ୍ୟାୟରେ ଏକ ମିସିଂ ରିପୋର୍ଟ ବା ନିଖୋଜ ମାମାଲା ଟିକାୟତପାଲି ପୋଲିସ ରୁଜୁକରି ତଦନ୍ତ ଚଳାଇଥିଲା। ହେଲେ ସାମୀ ପ୍ରସନ୍ନ ଙ୍କ ଚାପ କ୍ରମେ ପରେ ଅପହରଣ ମାମାଲା ରୁଜୁ କରି ତଦନ୍ତ ଚଳାଇଥିଲା l ଏବେ ପୋଲିସ ତଦନ୍ତ ଚାଲିଥିବାବେଳେ ଅପହରଣ କି ସେ ନିଜେ ଯାଇଥିଲେ ସେ ନେଇ ପୋଲିସ କୌଣସି ସ୍ପଷ୍ଟ ସୂଚନା ଦେଇନାହିଁ l