Categories: ଜାତୀୟ

ଚାଇନା ସୀମାରେ ପ୍ରତିରକ୍ଷା ମିଶାଇଲ୍‌

ନୂଆଦିଲ୍ଲୀ, ୨୬।୮: ପୂର୍ବ ଲଦାଖର ପ୍ରକୃତ ନିୟନ୍ତ୍ରଣ ରେଖା ନିକଟରେ ଚାଇନା ହେଲିକପ୍ଟର ପଇଁତରା ମାରିବା ପରେ ଭାରତୀୟ ସେନା ସେଠାରେ ଯବାନମାନଙ୍କୁ ଏୟାର ଡିଫେନ୍ସ ମିଶାଇଲ୍‌ ସହ ମୁତୟନ କରିଛି। ସୀମାରେ ଥିବା ଗୁରୁତ୍ୱପୂର୍ଣ୍ଣ ଶିଖର ଅଞ୍ଚଳରେ ସେମାନେ ରୁଷିଆ ନିର୍ମିତ ଇଗ୍‌ଲା ସହ ପ୍ରସ୍ତୁତ ହୋଇ ରହିଛନ୍ତି। ଶତ୍ରୁପକ୍ଷ ଭାରତୀୟ ବାୟୁସୀମା ଉଲ୍ଲଂଘନ କଲେ ଏହି ମିଶାଇଲ୍‌କୁ କାନ୍ଧରେ ନେଇ ଫାୟାର କରାଯାଇପାରିବ ବୋଲି ଏକ ସୂତ୍ରରୁ ଜଣାପଡିଛି। ଏଥିସହିତ ଶତ୍ରୁ ପକ୍ଷର ଗତିବିଧି ଉପରେ ତୀକ୍ଷ୍‌ଣ ନଜର ରଖିବା ପାଇଁ ଭାରତୀୟ ସେନା ସେଠାରେ ରାଡାର ସମେତ ଭୂପୃଷ୍ଠରୁ ଆକାଶକୁ ନିକ୍ଷେପ କରାଯାଇପାରୁଥିବା ମିସାଇଲ୍‌ ସିଷ୍ଟମକୁ ମୁତୟନ କରିଛି। ଗଲ୍‌ଓ୍ବାନ ଉପତ୍ୟକା ଏବଂ ପାଟ୍ରୋଲିଂ ପଏଣ୍ଟ ୧୪ ଆଦି ପୂର୍ବ ଲଦାଖ ସେକ୍ଟରରେ ସୈନ୍ୟ ପ୍ରସ୍ତୁତ ହୋଇ ରହିଥିବାବେଳେ କେତେକ ସ୍ଥାନରେ ଚାଇନା ହେଲିକପ୍ଟର ଭାରତୀୟ ଅଞ୍ଚଳ ମଧ୍ୟକୁ ପ୍ରବେଶ କରୁଥିବା ଲକ୍ଷ୍ୟ କରାଯାଇଛି। ସମ୍ଭାବ୍ୟ ବାୟୁସୀମା ଉଲ୍ଲଂଘନକୁ ପଣ୍ଡ କରିବା ପାଇଁ ଭାରତୀୟ ବାୟୁସେନା ଗତ ମେ’ ମାସ ପ୍ରଥମ ସପ୍ତାହରେ ସେଠାରେ ଏସ୍‌ୟୁ-୩୦ଏମ୍‌କେଆଇ ମୁତୟନ କରିଥିଲା। ଜିନ୍‌ଜିଆଙ୍ଗ ଏବଂ ତିବ୍ବତ ଅଞ୍ଚଳରେ ଥିବା ଡୋଙ୍କା ଜୋଙ୍ଗ୍‌, ଲିଝି ଏବଂ ପଙ୍ଗତ୍‌ ଏୟାରବେସ୍‌ ଏବେ ଚାଇନା ବାୟୁସେନା ଖୁବ୍‌ ସକ୍ରିୟ ରହିଛି।

Share