କ୍ଷେପଣାସ୍ତ୍ର ଅଗ୍ନି-୫

ପ୍ର. ରମେଶ ଚନ୍ଦ୍ର ପରିଡ଼ା

 

ମାନବିକତାର ସର୍ବଶ୍ରେଷ୍ଠ ସ୍ବରୂପ ପ୍ରକଟିତ ହୋଇଥାଏ ‘ବସୁଧୈବ କୁଟୁମ୍ବକମ୍‌’ ଚିନ୍ତାଧାରାରେ। ଆଜିର ଧ୍ୱଂସମୁଖୀ ବିଶ୍ୱକୁ ଏହାହିଁ କେବଳ ଦେଇପାରନ୍ତା ସୁରକ୍ଷା। କିନ୍ତୁ ବଡ଼ ପରିତାପର ବିଷୟ ଯେ ନିଜକୁ ପ୍ରଜ୍ଞାବାନ୍‌ ମନେକରୁଥିବା ମଣିଷ ଏବେ ସ୍ବାର୍ଥ ଏବଂ ଅହଂକାରରେ ଅନ୍ଧ ହୋଇ ଆପଣାଇ ନେଉଛି ‘ବୀରଭୋଗ୍ୟା ବସୁନ୍ଧରା’, ଅର୍ଥାତ୍‌ ”ଜୋର୍‌ ଯା’ର ମୁଲକ ତା’ର“ ମାନସିକତା। ଏହାର ପରିଣାମ କୁତ୍ସିତତମ ରୂପ ନେଇ ଆମ ଆଗରେ ଉଭା ହୋଇଛି ୟୁକ୍ରେନ୍‌ଠାରେ ରୁଷିଆ ରଚି ଚାଲିଥିବା ଧ୍ୱଂସଲୀଳା ଏବଂ ଇସ୍ରାଏଲ୍‌-ହମାସ୍‌ ମଧ୍ୟରେ ଭୟାବହ ଯୁଦ୍ଧଠାରୁ ଆରମ୍ଭ କରି ପୃଥିବୀର କୋଣ-ଅନୁକୋଣରେ ଘଟି ଚାଲିଥିବା ଆତଙ୍କବାଦୀ କାର୍ଯ୍ୟକଳାପ ପର୍ଯ୍ୟନ୍ତ। ଏହା ମନକୁ ଆଣେ ପ୍ରାତଃସ୍ମରଣୀୟ କବି ରାଧାମୋହନ ଗଡ଼ନାୟକଙ୍କ ମନ୍ତବ୍ୟ- ”ଜୟ ପରାଜୟ ହାନିଲାଭେ ଯା’ର କିଞ୍ଚତ୍ତେ ନାହିଁ ଲାଭ, କ୍ଷମତାର ଯୂପେ ନିରୀହ ଜୀବନ ବଳି ପଡୁଅଛି ଆଗ।“ ଫଳରେ ରୋଗବ୍ୟାଧି, ଦୁର୍ଘଟଣା, ଅନାହାର ତଥା ପ୍ରାକୃତିକ ବିପର୍ଯ୍ୟୟ ଆଦିରୁ ସମୁଦାୟ ଯେତିକି ଜୀବନହାନି ଘଟୁଛି ତହିଁରୁ ତାହା ଅଧିକ ହେଉଛି। ଅନ୍ୟପକ୍ଷରେ ପରିବେଶ ଓ ପରିସଂସ୍ଥା ଅପୂରଣୀୟ ଭାବେ କ୍ଷତିଗ୍ରସ୍ତ ହେଉଛି, ଅର୍ଥନୀତି ଭୁଶୁଡ଼ି ପଡୁଛି ଏବଂ ଷଷ୍ଠବିଲୁପ୍ତି ପ୍ରକ୍ରିୟା ଅଧିକ ଗମ୍ଭୀର ହେବାରେ ଲାଗିଛି।
ସ୍ବାଧୀନତା ପରଠାରୁ କ୍ରମାଗତଭାବେ ଉଭୟ ଯୁଦ୍ଧବାଦ ଏବଂ ସନ୍ତ୍ରାସବାଦର ଏକ ସ୍ଥାୟୀ ଶିକାର ହୋଇ ଆସିଛି ଆମ ଦେଶ ଭାରତ। ଗୋଟିଏ ପାଖରେ ଆତଙ୍କବାଦୀ ପାକିସ୍ତାନ ଏବଂ ଅନ୍ୟ ପାଖରେ ପ୍ରସାରଣବାଦୀ ଶକ୍ତିଶାଳୀ ଚାଇନାର ଅସହିଷ୍ଣୁତା ତଥା ଆକ୍ରମଣାତ୍ମକ ଆଚରଣ ଯୋଗୁ ଏହାକୁ ସତତ ଅଚାନକ ଯୁଦ୍ଧର ସମ୍ମୁଖୀନ ହେବା ଲାଗି ପ୍ରସ୍ତୁତ ହୋଇ ରହିବାକୁ ପଡ଼ୁଛି। ସେଥିପାଇଁ ସେମାନଙ୍କ ସହିତ ତାଳଦେଇ ଏହାକୁ ଅଜସ୍ର ଅର୍ଥବ୍ୟୟରେ କ୍ରୟ କିମ୍ବା ନିଜସ୍ବ ଜ୍ଞାନ କୌଶଳରେ ନିର୍ମାଣ କରିବାକୁ ପଡୁଛି ନୂତନ ନୂତନ ଶକ୍ତିଶାଳୀ ଯୁଦ୍ଧାସ୍ତ୍ର ତଥା ଅନ୍ୟାନ୍ୟ ପ୍ରତିରକ୍ଷା ବ୍ୟବସ୍ଥା। ଏହାର ପ୍ରତିରକ୍ଷା ଗବେଷଣା ଓ ବିକାଶ ପରିଷଦର ବୈଜ୍ଞାନିକମାନେ ବିଗତ ମାର୍ଚ୍ଚ ୧୧ ତାରିଖ (୨୦୨୪) ଦିନ ଓଡ଼ିଶାର ଉପକୂଳସ୍ଥ ଡକ୍ଟର ଏ.ପି.ଜେ. ଅବଦୁଲ୍‌ କଲାମ ଦ୍ୱୀପରୁ ସଫଳତାର ସହ ପରୀକ୍ଷା କରିଥିବା ”ମଲ୍‌ଟିପ୍ଲ ଇଣ୍ଡିପେଣ୍ଡେଣ୍ଟଲି ଟାର୍‌ଗେଟେଡ୍‌ ରି-ଏଣ୍ଟ୍ରି ଭେହିକ୍ଲି“ ବା ”ଏମ୍‌ଆଇଆର୍‌ଭି“- ଅଗ୍ନି ୫ କ୍ଷେପଣାସ୍ତ୍ର ତନ୍ମଧ୍ୟରୁ ଅନ୍ୟତମ। ଏହା ଶତ୍ରୁକୁ ଆକ୍ରମଣ କରିବାକୁ ନିରୁତ୍ସାହିତ କରିବା ଦିଗରେ ଏକ ପ୍ରଭାବଶାଳୀ ବ୍ୟବସ୍ଥା ହୋଇପାରିବ ବୋଲି ବିଚାର କରାଯାଉଛି।
ବର୍ତ୍ତମାନ ଭାରତ ନିକଟରେ ଥିବା ନାଭିକୀୟ ଯୁଦ୍ଧାସ୍ତ୍ର ବହନକାରୀ ବ୍ୟବସ୍ଥାମାନଙ୍କ ମଧ୍ୟରେ ରହିଛି ଭୂ-ଭାଗରୁ ନିକ୍ଷେପଣ ଲାଗି ପୃଥିବୀ-୨, ଅଗ୍ନି-୧, ଅଗ୍ନି-୨, ଅଗ୍ନି-୩, ଅଗ୍ନି-୪ ଏବଂ ଅଗ୍ନି-୫ ଆଦି କ୍ଷେପଣାସ୍ତ୍ର। ଏଗୁଡ଼ିକ ଯଥାକ୍ରମେ ୩୫୦ କିଲୋମିଟର, ୭୦୦ କିଲୋମିଟର, ୨୦୦୦ କିଲୋମିଟର, ୩୦୦୦ କିଲୋମିଟର, ୪୦୦୦ କିଲୋମିଟର ଏବଂ ୫୦୦୦ କିଲୋମିଟର ଦୂରବର୍ତ୍ତୀ ଲକ୍ଷ୍ୟସ୍ଥଳମାନ ଭେଦ କରିବାକୁ ସକ୍ଷମ। ସେହିପରି ସୁଖୋଇ, ମିରେଜ୍‌-୨୦୦୦, ଜାଗୁଆର୍‌ ଏବଂ ରାଫେଲ୍‌ ଭଳି ଯୁଦ୍ଧ ବିମାନରୁ ମଧ୍ୟ ତାହା ନିକ୍ଷେପ କରାଯାଇପାରିବ। ତେବେ ଜଳଭାଗରୁ ଏପରି କରିବାର ଏକମାତ୍ର ବ୍ୟବସ୍ଥା ରହିଛି ନାଭିକୀୟ ଶକ୍ତି ପରିଚାଳିତ ୬୦୦୦ ଟନ୍‌ ବିଶିଷ୍ଟ ବାଲାଷ୍ଟିକ୍‌ ମିସାଇଲ୍‌ ବୁଡ଼ାଜାହାଜ ଆଇଏନ୍‌ଏସ୍‌ ଅରିହନ୍ତ। ଏହା କେ-୧୫ ନାଭିକୀୟ କ୍ଷେପଣାସ୍ତ୍ର ବ୍ୟବହାର କରି ୭୫୦ କିମି ପରିସର ମଧ୍ୟରେ ଲକ୍ଷ୍ୟସ୍ଥଳ ଭେଦ କରିବାକୁ ଅଭିପ୍ରେତ। ତେବେ ଏହି ଶ୍ରେଣୀର ଅଧିକ ଶକ୍ତିଶାଳୀ ବୁଡ଼ାଜାହାଜମାନ ଏବେ ନିର୍ମାଣାଧୀନ ରହିଛି ଏବଂ ଖୁବ୍‌ଶୀଘ୍ର ତାହା ଆମ ନୌସେନାର ସାମର୍ଥ୍ୟ ବୃଦ୍ଧି କରିବ ବୋଲି ଆଶା କରାଯାଏ।
ବର୍ତ୍ତମାନ ଭାରତର ଅସ୍ତ୍ର ଭଣ୍ଡାରରେ ଥିବା ପରମାଣବିକ ଅସ୍ତ୍ର ବହନ ଶକ୍ତିସମ୍ପନ୍ନ କ୍ଷେପଣାସ୍ତ୍ର ତୁଳନାରେ ଏମ୍‌ଆଇଆରଭି ପ୍ରଯୁକ୍ତି ବିଦ୍ୟାସମ୍ପନ୍ନ ଅଗ୍ନି-୫ର ବିଶେଷତ୍ୱ ହେଲା ଯେ, ଏହା ଏକ ସଙ୍ଗରେ ଏକାଧିକ ପରମାଣବିକ ଅସ୍ତ୍ରମାନ ବହନ କରିପାରିବ ଏବଂ ୫୦୦୦ରୁ ୮୦୦୦ କିଲୋମିଟର ପରିସର ମଧ୍ୟରେ ଭିନ୍ନ ଭିନ୍ନ ଦିଗରେ ଶହ ଶହ କିଲୋମିଟର ଦୂରତାରେ ଅବସ୍ଥିତ ଲକ୍ଷ୍ୟସ୍ଥଳଗୁଡ଼ିକୁ ସ୍ବାଧୀନଭାବେ ଏକ ସଙ୍ଗରେ ଭେଦ କରିପାରିବ। କେବଳ ଆମେରିକା, ଇଂଲଣ୍ଡ, ଫ୍ରାନ୍ସ, ରୁଷିଆ ଏବଂ ଚାଇନା ନିକଟରେ ରହିଛି ଏ ପ୍ରକାର ବ୍ୟବସ୍ଥା। ସମ୍ଭବତଃ ଇସ୍ରାଏଲ ଏବଂ ପାକିସ୍ତାନ ମଧ୍ୟ ଏ ପ୍ରଯୁକ୍ତି ବିଦ୍ୟାର ଅଧିକାରୀ।
ଆମ ପ୍ରତିରକ୍ଷା ଗବେଷଣା ଏବଂ ବିକାଶ ପରିଷଦ ୨୦୦୮ରେ ପ୍ରଥମେ ଅଗ୍ନି-୫ କ୍ଷେପଣାସ୍ତ୍ରର ବିକାଶ ଘଟାଇଥିଲା ଏବଂ ତାହା ପରୀକ୍ଷା ହୋଇଥିଲା। ୨୦୧୨ ମସିହା ଏପ୍ରିଲ ମାସରେ, ତତ୍ପରେ ୨୦୧୩, ୨୦୧୫, ୨୦୧୬, ୨୦୧୮, ୨୦୨୧ ଏବଂ ୨୦୨୨ରେ ଏହାର ସଫଳ ପୁନଃ ପରୀକ୍ଷଣମାନ ଅନୁଷ୍ଠିତ ହୋଇଛି। ତେବେ ଏଗୁଡ଼ିକର କେବଳ ଗୋଟିଏ ଲେଖାଏଁ ନାଭିକୀୟ ଯୁଦ୍ଧାସ୍ତ୍ର ବହନ କରିବାର ସାମର୍ଥ୍ୟ ଥିଲା। ତାହାକୁ ଏବେ ଏକକାଳୀନ ତହିଁରୁ ୩ରୁ ୧୦ଟି ପର୍ଯ୍ୟନ୍ତ ବହନ କରିବା ଲାଗି ବିକଶିତ କରାଯାଇଛି। ଏଣୁ କ୍ଷେପଣାସ୍ତ୍ର ଏମ୍‌ଆଇଆରଭି ଅଗ୍ନି-୫ରେ ଖଚିତ ହୋଇଥିଲା ୧,୬୫୦ କିଲୋଗ୍ରାମର ତିନୋଟି ଯୁଦ୍ଧାସ୍ତ୍ର। ଉତ୍‌କ୍ଷେପଣକାଳରେ ଏହାର ଓଜନ ଥିଲା ୫୦ ଟନ୍‌ ଏବଂ ତ୍ରି-ସ୍ତରୀୟ କଠିନ ଇନ୍ଧନ ଦ୍ୱାରା ପରିଚାଳିତ ହୋଇ ତାହା ସେକେଣ୍ଡକୁ ୮.୫ କିଲୋମିଟର ବେଗରେ ଗତି କରିଥିଲା।
ପ୍ରଥମେ ଆମେରିକା ୧୯୭୦ରେ ଏହି ଶ୍ରେଣୀର ଯାନଟିଏ ମୁତୟନ କରିବାକୁ ସମର୍ଥ ହୋଇଥିଲା। ଏହି ଆନ୍ତଃ ମହାଦେଶୀୟ ବାଲାଷ୍ଟିକ କ୍ଷେପଣାସ୍ତ୍ରର ନାମ ଥିଲା ‘ମିନିଟ ମ୍ୟାନ-୩’। ତତ୍ପରେ ଏହା ବୁଡ଼ାଜାହାଜରୁ ନିକ୍ଷେପ କଲା ଭଳି ଏ ଜାତୀୟ କ୍ଷେପଣାସ୍ତ୍ର ‘ପୋସିଡନ’ ନିର୍ମାଣ କଲା, ଯାହା ଏକ ସଙ୍ଗରେ ୧୦ଟି ନାଭିକୀୟ ଯୁଦ୍ଧାସ୍ତ୍ର ବହନ କରିପାରିଲା। ତଥାଶୀଘ୍ର ଏହାକୁ ଅନୁସରଣ କଲା ରୁଷିଆ ଏବଂ ଏକ ସଙ୍ଗରେ ୧୬ ପର୍ଯ୍ୟନ୍ତ ନାଭିକୀୟ ଯୁଦ୍ଧାସ୍ତ୍ର ଧାରଣ କଲା ଭଳି କ୍ଷେପଣାସ୍ତ୍ରର ବିକାଶ ଘଟାଇଲା। ପରସ୍ପରଠାରୁ ୧୫୦୦ କିଲୋମିଟର ଦୂରରେ ଅବସ୍ଥିତ ଲକ୍ଷ୍ୟସ୍ଥଳଗୁଡ଼ିକୁ ଏକ ସଙ୍ଗରେ ଭେଦ କରିବାର ସାମର୍ଥ୍ୟ ଏହାର ଥିଲା। ତତ୍ପରେ କ୍ରମାନ୍ବୟ ଭାବେ ଏ ବ୍ୟବସ୍ଥା ନିର୍ମାଣ କରିବାକୁ ଲାଗିଲେ ଇଂଲଣ୍ଡ, ଫ୍ରାନ୍ସ ଏବଂ ଚାଇନା।
ଭାରତକୁ ଏହି ନୂତନ ସାମର୍ଥ୍ୟ ଦେଇଥିବା ପ୍ରକଳ୍ପ ମିଶନ ଦିବ୍ୟାସ୍ତ୍ରର ମୁଖ୍ୟ ଥିଲେ ଡକ୍ଟର ଶିନାରାଣୀ। ତାଙ୍କ ମତରେ ଏ ସଫଳତା ଭାରତର ପ୍ରତିରକ୍ଷା ଲାଗି ନାନା ଦିଗରୁ ଗୁରୁତ୍ୱପୂର୍ଣ୍ଣ। ଏହା ପ୍ରକୃତରେ ଆମକୁ ପ୍ରଦାନ କରିଛି ଶତ୍ରୁ ରାଷ୍ଟ୍ରମାନଙ୍କୁ ଆମ ଉପରେ ନାଭିକୀୟ ଅସ୍ତ୍ରରେ ଆକ୍ରମଣ କରିବାରୁ ନିବୃତ୍ତ କରିବାର ସାମର୍ଥ୍ୟ। କାରଣ, ସେହିପରି ସ୍ଥଳେ ଆମେ ଏହାକୁ ଉପଯୋଗ କରି ସେମାନଙ୍କ କୁକର୍ମର ଉପଯୁକ୍ତ ପ୍ରତିଶୋଧ ନେଇପାରିବୁ ବୋଲି ସେମାନେ ଏଥିରୁ ବେଶ୍‌ ହୃଦୟଙ୍ଗମ କରିପାରିବେ।
ମୋ: ୯୯୩୭୩୦୧୪୬୦


Enter your email to get our daily news in your inbox.

All Right Reserved By Dharitri.Com

ପକ୍ଷପାତିତା ଭାର

ଏକ ପରିକଳ୍ପିତ ସ୍ଥିତିର ପରିଣାମ ସମ୍ପର୍କରେ ବିଚାର କରାଯାଉ। କଳ୍ପନା କରନ୍ତୁ ଯେ ଦୁଇଟି ବଡ଼ କ୍ଷେପଣାସ୍ତ୍ର ହ୍ୱାଇଟ୍‌ ହାଉସ ଉପରେ ମାଡ଼ କଲା। ପ୍ରଥମଟି ଏପରି…

ସମସ୍ୟା: ଏକ ସୁଯୋଗ

ଯଦିଓ ଆମର ଜ୍ଞାନୀଗୁଣୀଜନ ପ୍ରତ୍ୟେକ ମଣିଷର ବଳକୁ ଶତସିଂହର ବଳ ସହ ତୁଳନା କରିଛନ୍ତି, କିନ୍ତୁ ସ୍ଥଳବିଶେଷରେ ଦେଖୁ ହାରାହାରି ଚିନ୍ତନ କରିପାରୁଥିବା ବା କ୍ଷମତା ରଖୁଥିବା…

ଆର୍ଦ୍ରଭୂମିର ଗୁରୁତ୍ୱ ଓ ସଂରକ୍ଷଣ

ଜଳ ଆମ ଗ୍ରହର ୭୧ ଶତାଂଶ ଅଞ୍ଚଳକୁ ଆଚ୍ଛାଦିତ କରେ ଏବଂ ନଦନଦୀ, ହ୍ରଦ, ପୁଷ୍କରିଣୀଠାରୁ ସମୁଦ୍ର ପରି ବିଭିନ୍ନ ଉତ୍ସରେ ଉପଲବ୍ଧ ହୋଇ ଜଳୀୟ ପରିସଂସ୍ଥାକୁ…

ନେତାଙ୍କୁ ଅନୁସରଣ

ନୀତୀଶ କୁମାର ମୁଖ୍ୟମନ୍ତ୍ରୀ ପଦବୀ ଛାଡ଼ି ରାଜ୍ୟ ସଭାକୁ ଯିବା ପରେ ବିହାରର ବରିଷ୍ଠ ବାବୁମାନଙ୍କ ଏକ ଦଳ ଖୁବ୍‌ ଶୀଘ୍ର କେନ୍ଦ୍ରୀୟ ଡେପୁଟେଶନରେ ଯାଇପାରନ୍ତି ବୋଲି…

ଏଇ ଭାରତରେ

ଜଳ ସଙ୍କଟ ଦୂର କରିବା ପାଇଁ ପୂର୍ବତନ ଭାରତୀୟ ରାଜସ୍ବ ଅଧିକାରୀ (ଆଇଆର୍‌ଏସ୍‌) ଉଜ୍ଜ୍ୱଳ କୁମାର ଚଭନ ମହାରାଷ୍ଟ୍ରର ମରାଠାଓ୍ବାଡା ଓ ଖଣ୍ଡେଶ ଅଞ୍ଚଳରେ ଜଳାଶୟ ଓ…

ବିଲ୍‌ ଗେଟ୍ସଙ୍କ କୃତ୍ରିମ ବର୍ଷା

ବିଲ୍‌ ଗେଟ୍ସଙ୍କ କୃତ୍ରିମ ବର୍ଷା’ ଶୀର୍ଷକ ଏକ ଭାଇରାଲ ରିଲ୍‌ କିଛିଦିନ ହେଲା ଭାରତୀୟଙ୍କ ହ୍ବାଟ୍ସଆପ୍‌ରେ ଆଲୋଡ଼ନ ସୃଷ୍ଟି କରିଥିଲା ଓ ଏହି ଅସମୟ ବର୍ଷାରେ ବାହାରକୁ…

ଗରିବ କିଏ

ସଂସାରରେ ଏମିତି ଅନେକ ଲୋକ ଅଛନ୍ତି ଯେଉଁମାନେ ବହୁତ ଧନ ସମ୍ପତ୍ତିର ଅଧିକାରୀ ତ ହୋଇଥାନ୍ତି; କିନ୍ତୁ ସେମାନଙ୍କର ଆଚରଣ ଭିକାରିର ଆଚରଣ ସହିତ ପ୍ରାୟ ସମାନ…

ଅନ୍ତର୍ଜାତୀୟ ବ୍ୟବସ୍ଥାରେ ଅସଙ୍ଗତି

ନିକଟରେ କାନାଡ଼ାର ପ୍ରଧାନମନ୍ତ୍ରୀ ମାର୍କ କାର୍ନି ତାଙ୍କ ଭାଷଣରେ ନିୟମ ଆଧାରିତ ଅନ୍ତର୍ଜାତୀୟ ବ୍ୟବସ୍ଥାକୁ ‘ଛଳନାତ୍ମକ’ ବା ଅବାସ୍ତବ ବୋଲି ବର୍ଣ୍ଣନା କରିଥିଲେ। ଏହି ମନ୍ତବ୍ୟ ଗ୍ଲୋବାଲ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri