ହାନୋଇ,୬ା୯: ଭିଏଟନାମ୍ର ନା ତ୍ରାଙ୍ଗ୍ ସହରରେ ଶନିବାର ଅନୁଷ୍ଠିତ ୭୩ତମ ଅନ୍ତର୍ଜାତୀୟ ବିଶ୍ୱ ସୁନ୍ଦରୀ ପ୍ରତିଯୋଗିତାର ଗ୍ରାଣ୍ଡ ଫିନାଲେରେ ଡୋମିନିକାନ୍ ରିପବ୍ଲିକ୍ର ଜୋହିରି ମୋଲା ମିସ୍ ଓ୍ୱାଲର୍ଡ ୨୦୨୬ ମୁକୁଟ ବିଜୟିନୀ ହୋଇଛନ୍ତି। ପ୍ରତିଯୋଗିତାରେ ୧୧୦ ଦେଶର ପ୍ରତିଯୋଗୀ ଭାଗ ନେଇଥିବାବେଳେ ମୋଲା ସମସ୍ତଙ୍କୁ ପଛରେ ପକାଇ ଦେଇଛନ୍ତି। ସ୍ପେନ୍ର ଏଲିସାବେଥ୍ ରେନେସ୍ ଆଲାବେର୍ନ ପ୍ରଥମ ରନର-ଅପ୍ ହୋଇଥିବାବେଳେ ମାଲେସିଆର ତାନୁସିୟା ଚେଟ୍ଟି ଦ୍ୱିତୀୟ ରନର-ଅପ୍ ହୋଇଛନ୍ତି। ୨୦୨୫ରେ ଥାଇଲାଣ୍ଡର ଓପାଲ ସୁଚାତା ମିସ୍ ଓ୍ୱାଲର୍ଡ ହୋଇଥିଲେ। ଭାରତରୁ ପ୍ରତିନିଧିତ୍ୱ କରୁଥିବା ନିକିତା ପୋରଓ୍ୱାଲ ଶୀର୍ଷ ୪୦ ଫାଇନାଲିଷ୍ଟଙ୍କ ମଧ୍ୟରେ ସ୍ଥାନ ପାଇଥିଲେ। ମିସ୍ ଓ୍ୱାଲର୍ଡର ଅଫିସିଆଲ ଓ୍ୱେବ୍ସାଇଟ୍ ଅନୁଯାୟୀ, ଜୋହିରି ମୋଲା ହେଉଛନ୍ତି ଜଣେ ଉତ୍ସର୍ଗୀକୃତ ପ୍ରଶିକ୍ଷକ, ସମାଜସେବୀ ଏବଂ ଯୋଗାଯୋଗକାରୀ। ସେ ୟନିଭର୍ସିଡାଡ ଇବେରୋମେରିକାନାରୁ ବିଜ୍ନେସ୍ ମ୍ୟାନେଜମେଣ୍ଟ ଏବଂ ଆଡମିନିଷ୍ଟ୍ରେଶନରେ ଡିଗ୍ରୀ ହାସଲ କରିଛନ୍ତି। ଏଥିସହିତ ସେ ଭଏସେସ୍ ଅଫ୍ ଟୁମୋରୋ ନାମକ ସଂସ୍ଥାର ପ୍ରତିଷ୍ଠାତା ଓ ଅଧ୍ୟକ୍ଷ। ଏହା ଅସୁରକ୍ଷିତ ପିଲାମାନଙ୍କୁ ଇଂଲିଶ ଶିକ୍ଷା ପ୍ରଦାନ କରିବାରେ ସାହାଯ୍ୟ କରିଥାଏ। ଜଣେ ଶିକ୍ଷାବିତ୍ ଭାବେ ମୋଲା ଇଂଲିଶ ଭାଷାରେ ସାହିତ୍ୟ ଓ ସାଧାରଣ ବିଜ୍ଞାନ ପଢ଼ାଇଥାନ୍ତି, ଯାହାକି ଛାତ୍ରୀଛାତ୍ରଙ୍କ ମଧ୍ୟରେ ସମାଲୋଚନାଧର୍ମୀ ଚିନ୍ତାଧାରା ଏବଂ ସର୍ୱାଙ୍ଗୀଣ ବିକାଶକୁ ପ୍ରୋତ୍ସାହିତ କରିଥାଏ। ଏଥିସହିତ ମୋଲା ୟୁନିଭିଜନ ନ୍ୟୁୟର୍କର ଭେଣ୍ଟାନା ଏ କିସ୍କେୟା କାର୍ଯ୍ୟକ୍ରମର ଜଣେ ସାମ୍ୱାଦିକା ଭାବେ ମଧ୍ୟ କାର୍ଯ୍ୟ କରିଥାନ୍ତି।