କୋରାପୁଟ,୨୨।୧୦(ଅମିତାଭ ବେହେରା): କୋରାପୁଟ ଜିଲା ଦାମନଯୋଡ଼ିସ୍ଥିତ ନାଲକୋ ସମ୍ପ୍ରସାରଣ ପ୍ରକଳ୍ପ ଅଞ୍ଚଳରେ ଗୁରୁବାର ଏକ ଅଘଟଣ ଘଟିଛି। ଜିଜିଏଲ କମ୍ପାନୀର କାର୍ଯ୍ୟସ୍ଥଳରେ କାମ ଚାଲିଥିବା ସମୟରେ ଏକ ଜେସିବି ଉପରେ ଏକ ବଡ଼ ପଥର ଖସି ପଡ଼ିଥିବା ଜଣାପଡ଼ିଛି। ତେବେ ଉପସ୍ଥିତ ବୁଦ୍ଧି ଖଟାଇ ଜେସିବି ଅପରେଟର ଜଣକ ଗାଡ଼ିରୁ ଡେଇଁ ପଡ଼ିବାରୁ ସେ ଅଳ୍ପକେ ଏକ ବଡ଼ ବିପଦରୁ ରକ୍ଷା ପାଇଯାଇଛନ୍ତି।
ମିଳିଥିବା ସୂଚନା ଅନୁଯାୟୀ, ନାଲକୋ ସଂପ୍ରସାରଣ ପ୍ରକଳ୍ପ ଅଞ୍ଚଳରେ ଜିଜିଏଲ କମ୍ପାନୀ ପକ୍ଷରୁ କାର୍ଯ୍ୟ ଚାଲିଥିଲା। ଏହି ସମୟରେ ହଠାତ୍ ବଡ଼ ବଡ଼ ପଥର ଖସି ଜେସିବି ଉପରେ ପଡ଼ିଥିଲା। ଅଚାନକ ଏଭଳି ଘଟଣା ଘଟିବାରୁ କାର୍ଯ୍ୟସ୍ଥଳରେ ଉପସ୍ଥିତ ଲୋକଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଥିଲା। ପଥର ଜେସିବି ଉପରେ ପଡ଼ିବା ଦେଖି ଅପରେଟର ଜଣକ ତୁରନ୍ତ ଗାଡ଼ିକୁ ବନ୍ଦ କରିଦେବା ସହ ଡେଇଁ ପଡ଼ିଥିଲେ। ଫଳରେ ତାଙ୍କ ଜୀବନ ବଞ୍ଚିଯାଇଥିବା ଜଣାପଡ଼ିଛି।
ନାଲକୋ ସଂପ୍ରସାରଣ ପ୍ରକଳ୍ପ ଅଞ୍ଚଳରେ ଚାଲିଥିବା କାର୍ଯ୍ୟ ସମୟରେ ଏଭଳି ଅଘଟଣ ଶ୍ରମିକ ଓ କର୍ମଚାରୀଙ୍କ ସୁରକ୍ଷାକୁ ନେଇ ପ୍ରଶ୍ନ ଉଠାଇଛି। ବିଶେଷକରି ପଥର ଖସିବାର ଆଶଙ୍କା ଥିବା ସ୍ଥାନରେ କାର୍ଯ୍ୟ କରିବା ସମୟରେ ଆବଶ୍ୟକ ସୁରକ୍ଷା ବ୍ୟବସ୍ଥା ଏବଂ ସତର୍କତା ଅବଲମ୍ବନ କରିବା ଜରୁରୀ ବୋଲି ମତ ପ୍ରକାଶ ପାଇଛି। ତେବେ ପଥର ଖସିବାର ପ୍ରକୃତ କାରଣ କ’ଣ ଏଥିରେ ଜେସିବିର କେତେ କ୍ଷୟକ୍ଷତି ହୋଇଛି ଏବଂ ଘଟଣା ପରେ କମ୍ପାନୀ ପକ୍ଷରୁ କି ପଦକ୍ଷେପ ନିଆଯାଇଛି, ସେ ସମ୍ପର୍କରେ ବିସ୍ତୃତ ତଥ୍ୟ ମିଳିପାରି ନାହିଁ।