ଗଞ୍ଜାମ,୨୮। ୪(ଅନାଥ ତରାଇ ): ଗଞ୍ଜାମ ସହରରେ ଏବେ ଚୋର ଓ ଲୁଟେରାଙ୍କ ପ୍ରାଦୁର୍ଭାବ ବୃଦ୍ଧି ପାଇବାରେ ଲାଗିଛି, ଯାହା ସ୍ଥାନୀୟ ବାସିନ୍ଦାଙ୍କ ନିଦ ହଜାଇ ଦେଇଛି। ସହରର କୈବର୍ତ୍ତ ସାହି ସ୍ଥିତ ସାତଭଉଣୀ ମନ୍ଦିର ନିକଟ ୧୬ନଂ ଜାତୀୟ ରାଜପଥ ପାର୍ଶ୍ୱରେ କିଛି ଦୂରରେ ଥିବା ଘର ଆଗରୁ ଗତକାଲି ବିଳମ୍ବିତ ରାତିରେ ଏକ ବାଇକ ଚୋରି ହୋଇଥିବା ଅଭିଯୋଗ ହୋଇଛି। ସୂଚନା ଅନୁଯାୟୀ ବ୍ୟକ୍ତି ଜଣଙ୍କ ନିଜର ‘ହୋଣ୍ଡା ହର୍ନେଟ’ (ନଂ. OD07 AT 7872) ବାଇକକୁ ମନ୍ଦିର ନିକଟ ଘର ଆଗରେ ରଖିଥିଲେ। ମାତ୍ର ଆଜି ସକାଳୁ ଦେଖିଲା ବେଳକୁ ଗାଡ଼ିଟି ସେଠାରେ ନଥିଲା। ଏନେଇ ସମ୍ପୃକ୍ତ ବ୍ୟକ୍ତି ଗଞ୍ଜାମ ଥାନାରେ ଏକ ଲିଖିତ ଅଭିଯୋଗ କରିଛନ୍ତି। ସୂଚନାଯୋଗ୍ୟ ଯେ, ଗଞ୍ଜାମ ସହର ଓ ଆଖପାଖ ଅଞ୍ଚଳରେ ଅପରାଧିକ କାର୍ଯ୍ୟକଳାପ ଦିନକୁ ଦିନ ଅଣାୟତ୍ତ ହେବାରେ ଲାଗିଛି। କିଛି ଦିନ ପୂର୍ବରୁ ସହରର ଜନଗହଳିପୂର୍ଣ୍ଣ ଷ୍ଟେଟ ବ୍ୟାଙ୍କ ସମ୍ମୁଖରେ ଦିନଦ୍ୱିପହରେ ଦୁର୍ବୃତ୍ତମାନେ ଏକ ବାଇକର ଡିକି ଭାଙ୍ଗି ୨ ଲକ୍ଷ ଟଙ୍କା ଲୁଟି ନେଇଥିଲେ। ସେହିପରି ଗତ ବର୍ଷ ଜୁଲାଇ ମାସରେ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଥିବା ପାର୍କିଂରୁ ଜଣେ ଲକ୍ଷ୍ମୀ ବସ ଚାଳକଙ୍କ ବାଇକ ମଧ୍ୟ ଚୋରି ହୋଇଯାଇଥିଲା। ବାରମ୍ବାର ଚୋରି ଓ ଲୁଟ ଯୋଗୁ ସାଧାରଣ ଜନତାଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇବା ସହ ଭୟର ବାତାବରଣ ଖେଳିଯାଇଛି। ଅନ୍ୟପକ୍ଷରେ, ପ୍ରଶାସନ ପକ୍ଷରୁ ସହରର ଗୁରୁତ୍ୱପୂର୍ଣ୍ଣ ଛକଗୁଡ଼ିକରେ ଲଗାଯାଇଥିବା ସିସିଟିଭି କ୍ୟାମେରାଗୁଡ଼ିକ ଦୀର୍ଘ ଦିନ ଧରି ଅଚଳ ହୋଇ ପଡ଼ିରହିଛି। ଅପରାଧୀମାନେ ଏହାର ସୁଯୋଗ ନେଇ ଅତି ସହଜରେ ଖସିଯାଉଛନ୍ତି। ପୋଲିସ ତୁରନ୍ତ ଏହି ଘଟଣାର ତଦନ୍ତ କରି ଚୋରଙ୍କୁ ଧରିବା ସହ ସମସ୍ତ ଅଚଳ ସିସିଟିଭି ମରାମତି କରି ସହରର ସୁରକ୍ଷା ସୁନିଶ୍ଚିତ କରିବାକୁ ସାଧାରଣରେ ଦାବି ହେଉଛି।