ଛତ୍ରପୁର, ୧୧/୯ (ଦିଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗଞ୍ଜାମ ଜିଲା ଆସିକା ବ୍ଲକ ଅନ୍ତର୍ଗତ ହରିପଦପୁର ଗ୍ରାମପଞ୍ଚାୟତର ସମସ୍ୟା ନେଇ ବ୍ଲକରେ ଅନୁଷ୍ଠିତ ସମିତି ବୈଠକରେ ବିଧାୟକଙ୍କ ସମ୍ମୁଖରେ ସମସ୍ୟା ଉପସ୍ଥାପନ କରୁଥିବା ସମୟରେ ମହିଳା ସରପଞ୍ଚ ଜୟନ୍ତୀ ବେହେରାଙ୍କୁ ଦୁର୍ବ୍ୟବହାର, ଅପମାନଜନକ ଆଚରଣ ଓ ଜାତିଆଣ ମନ୍ତବ୍ୟ ଦିଆଯାଇଥିବା ନେଇ ଅଭିଯୋଗ ହୋଇଛି। ଘଟଣାକୁ ଗଞ୍ଜାମ ଜିଲା ସରପଞ୍ଚ ମହାସଂଘ ଗୁରୁତର ଭାବେ ନେଇ ଅଭିଯୋଗରେ ସମ୍ପୃକ୍ତ ବ୍ୟକ୍ତିଙ୍କ ବିରୋଧରେ ତୁରନ୍ତ ଆଇନଗତ ପଦକ୍ଷେପ ଦାବି କରିଛି।
ଏନେଇ ଶୁକ୍ରବାର ମହାସଂଘ ପକ୍ଷରୁ ପୋଲିସ ଡିଜିଙ୍କ ଉଦ୍ଦେଶ୍ୟରେ ଗଞ୍ଜାମ ଏସ୍ପିଙ୍କୁ ଭେଟି ଏକ ଲିଖିତ ଦାବିପତ୍ର ପ୍ରଦାନ କରାଯାଇଛି। ଦାବିପତ୍ର ପ୍ରଦାନ ସମୟରେ ଗଞ୍ଜାମ ଜିଲା ସରପଞ୍ଚ ସଂଘ ସଭାପତି ମନୋରଞ୍ଜନ ଗୌଡ଼, ଦକ୍ଷିଣ ଓଡ଼ିଶା ସରପଞ୍ଚ ମହାସଂଘର ଜୋନ୍ ସଭାପତି ଭବାନୀ ଶଙ୍କର ମଲ୍ଲିକ, କେନ୍ଦ୍ରାପଡ଼ା ଜିଲା ସରପଞ୍ଚ ମହାସଂଘର ସଭାନେତ୍ରୀ ଚାମେଲୀ ଓଝାଙ୍କ ସମେତ ଜିଲାର ବହୁ ସରପଞ୍ଚ ଉପସ୍ଥିତ ଥିଲେ।
ମହାସଂଘ ପକ୍ଷରୁ କୁହାଯାଇଛି ଯେ, ଜଣେ ମହିଳା ଜନପ୍ରତିନିଧିଙ୍କ ସହ ସମିତି ବୈଠକ ସମୟରେ ଏଭଳି ଆଚରଣ ଗଣତାନ୍ତ୍ରିକ ବ୍ୟବସ୍ଥା ଓ ଜନପ୍ରତିନିଧିଙ୍କ ମର୍ଯ୍ୟାଦା ପ୍ରତି ଅସମ୍ମାନ। ଏଥିସହ ମହିଳା ଜନପ୍ରତିନିଧିଙ୍କ ସୁରକ୍ଷା ଓ ସମ୍ମାନ ପ୍ରତି ସମସ୍ତଙ୍କ ଦାୟିତ୍ୱ ରହିଛି ବୋଲି ମହାସଂଘ କହିଛି।
ଘଟଣାର ନିରପେକ୍ଷ ତଦନ୍ତ କରିବା, ଅଭିଯୋଗରେ ସମ୍ପୃକ୍ତ ବ୍ୟକ୍ତିଙ୍କ ବିରୋଧରେ ଆଇନ ଅନୁଯାୟୀ ପଦକ୍ଷେପ ନେବା, ମହିଳା ସରପଞ୍ଚଙ୍କୁ ଆବଶ୍ୟକ ସୁରକ୍ଷା ଯୋଗାଇବା ଏବଂ ଭବିଷ୍ୟତରେ ଏଭଳି ଘଟଣା ଯେପରି ନ ଘଟେ, ସେଥିପାଇଁ ଉପଯୁକ୍ତ ବ୍ୟବସ୍ଥା କରିବାକୁ ମହାସଂଘ ଦାବି କରିଛି।
ଅଭିଯୋଗ ଉପରେ ଉପଯୁକ୍ତ ଆଇନଗତ କାର୍ଯ୍ୟାନୁଷ୍ଠାନ ନ ହେଲେ ଆଗାମୀ ଦିନରେ ଗଞ୍ଜାମ ଜିଲା ସରପଞ୍ଚ ସଂଘ ଓ ରାଜ୍ୟ ସରପଞ୍ଚ ସଂଘ ମିଳିତ ଭାବେ ଗଣତାନ୍ତ୍ରିକ ପଦ୍ଧତିରେ ଆନ୍ଦୋଳନ କରିବେ ବୋଲି ମହାସଂଘ ପକ୍ଷରୁ ଚେତାବନୀ ଦିଆଯାଇଛି।