ସେବାଶ୍ରମର ୭ମଶ୍ରେଣୀ ଛାତ୍ରୀଙ୍କୁ ଅସଦାଚରଣ: ପ୍ରଧାନଶିକ୍ଷକଙ୍କୁ ପଡ଼ିଲା ମହଙ୍ଗା

ନବରଙ୍ଗପୁର/ତେନ୍ତୁଳିଖୁଣ୍ଟି, ୨୫।୪,(ସଦାଶିବ ପ୍ରହରାଜ/ଚିଦାନନ୍ଦ ସାହୁ): ନବରଙ୍ଗପୁର ଜିଲା ତେନ୍ତୁଳିଖୁଣ୍ଟି ଥାନା ଅଧୀନ ଏକ ସେବାଶ୍ରମ ବିଦ୍ୟାଳୟର ଜଣେ ୭ମ ଶ୍ରେଣୀ ଛାତ୍ରୀଙ୍କୁ ପ୍ରଧାନଶିକ୍ଷକ ଅସଦାଚରଣ କରିଥିବା ଅଭିଯୋଗ ହୋଇଛି। ଏ ନେଇ ଶନିବାର ପୀଡ଼ିତା ଓ ତାଙ୍କ ପରିବାର ସଦସ୍ୟ ବିଜେଡି ନେତା ତଥା ନବରଙ୍ଗପୁର ପୂର୍ୱତନ ଏମ୍‌ପି ପ୍ରଦୀପ ମାଝୀଙ୍କ ସହ ନବରଙ୍ଗପୁର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଏସ୍‌ଡିପିଓ କୃଷ୍ଣଚନ୍ଦ୍ର ଭତ୍ରାଙ୍କ ନିକଟରେ ଏତଲା ଦାୟର କରିବା ସହ ପ୍ରଧାନଶିକ୍ଷକଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛନ୍ତି। ଏଥିସହ ପ୍ରଦୀପ ମାଝୀ ସ୍କୁଲ ଓ ଗଣଶିକ୍ଷା, ଏସ୍‌ସି/ଏସ୍‌ଟି ଉନ୍ନୟନ ବିଭାଗ ମନ୍ତ୍ରୀଙ୍କ ଇସ୍ତଫା ଦାବି କରିଛନ୍ତି।
ଏତଲା ଅନୁଯାୟୀ, ଏପ୍ରିଲ ୧୫ରେ ରାତି ସ୍କୁଲର ୫ ଜଣ ଛାତ୍ରୀ ଓଆର୍‌ଏସ୍‌ ପାଇଁ ଯାଇଥିଲେ। ଏହି ସମୟରେ ପ୍ରଧାନଶିକ୍ଷକ ସୁକାନ୍ତ ଷଡ଼ଙ୍ଗୀ ପୀଡ଼ିତା ଛାତ୍ରୀଙ୍କ ହାତ ଧରି ଟାଣିଥିଲେ। ରୁମ୍‌ ଭିତରକୁ ଡାକି ତାଙ୍କ ଶରୀରର ବିଭିନ୍ନ ସମ୍ୱେଦନଶୀଳ ସ୍ଥାନକୁ ଛୁଇଁବା ସହ ଟଣାଓଟରା କରିଥିଲେ। ପୂର୍ୱରୁ ପୀଡ଼ିତା ଓ ତାଙ୍କ ପରିବାର ଜିଲା ମଙ୍ଗଳ ଅଧିକାରୀଙ୍କ ଦ୍ୱାରସ୍ଥ ହୋଇଥିଲେ ମଧ୍ୟ କୌଣସି ଆଇନଗତ କାର୍ଯ୍ୟାନୁଷ୍ଠାନ ନ ନେଇ ପ୍ରଧାନଶିକ୍ଷକଙ୍କୁ କେବଳ ବଦଳି କରାଯାଇଥିବା ପୀଡ଼ିତା ଛାତ୍ରୀ ଅଭିଯୋଗ କରିଛନ୍ତି। ତେଣୁ ନ୍ୟାୟ ପାଇଁ ନବରଙ୍ଗପୁର ଥାନାରେ ଏତଲା ଦେଇଥିବା ସେ କହିଛନ୍ତି। ଘଟଣାର ତଦନ୍ତକରି ଆଇନ ଅନୁସାରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ନବରଙ୍ଗପୁର ଏସ୍‌ଡିପିଓ କୃଷ୍ଣଚନ୍ଦ୍ର ଭତ୍ରା ସୂଚନା ଦେଇଛନ୍ତି।
ଘଟଣା ସମ୍ପର୍କରେ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କୁ ପଚାରିବାରୁ ଅଭିଯୋଗର ତଦନ୍ତ କରାଯିବ। ଏଥିରେ ସମ୍ପୃକ୍ତ ପ୍ରତ୍ୟେକ ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ। ଲୋକେ ପ୍ରତ୍ୟାଖ୍ୟାନ କରିଥିବାବେଳେ ଗଣମାଧ୍ୟମରେ ଚର୍ଚ୍ଚାରେ ରହିବା ପାଇଁ ପ୍ରଦୀପ ମାଝୀ ଏଭଳି ଇସ୍ତଫା ଦାବି କରିଥିବା ମନ୍ତ୍ରୀ ଗଣ୍ଡ କହିଛନ୍ତି।
ଘଟଣା ବିଷୟରେ ଜିଲା ମଙ୍ଗଳ ଅଧିକାରୀ ପାଲକା ରବୀନ୍ଦ୍ରଙ୍କୁ ପଚାରିବାରୁ  ୨୪ ଏପ୍ରିଲରେ ସେବାଶ୍ରମକୁ ଯାଇ ତଦନ୍ତ କରିଥିଲେ। ତଦନ୍ତ ରିପୋର୍ଟ ଆଧାରରେ ଜିଲାପାଳ ଡ. ମହେଶ୍ୱର ସ୍ୱାଇଁ ପ୍ରଧାନଶିକ୍ଷକଙ୍କୁ ନିଲମ୍ୱନ କରିଛନ୍ତି।  ଜିଲାପାଳ କାର୍ଯ୍ୟାଳୟ ପତ୍ର ସଂଖ୍ୟା ୧୧/୨୦୨୬ ପ୍ରକାରେ  ନିଲମ୍ୱନ ଆଦେଶ ଜାରି କରାଯାଇଛି। ଏହି ନିଲମ୍ୱନ ଆଦେଶ ବଳବତ୍ତର ରହିବା ପର୍ଯ୍ୟନ୍ତ ପ୍ରଧାନଶିକ୍ଷକ ସୁକାନ୍ତ କୁମାର ଷଡ଼ଙ୍ଗୀଙ୍କ ମୁଖ୍ୟାଳୟ ଉମରକୋଟ ବ୍ଲକ କାର୍ଯ୍ୟାଳୟ ହେବ। ସେ ମଙ୍ଗଳ ଅଧିକାରୀଙ୍କ ଅନୁମତି ବିନା ମୁଖ୍ୟାଳୟ ଛାଡ଼ିପାରିବେ ନାହିଁ ବୋଲି ନିର୍ଦ୍ଦେଶ ଦିଆଯାଇଥିବା ସୂଚନା ଦେଇଛନ୍ତି।

Share