ପୋଲିସ ଏସ୍‌ଆଇଙ୍କ ନାମରେ ଦୁର୍ବ୍ୟବହାର ଅଭିଯୋଗ

ସମ୍ବଲପୁର୍‌, ୮ା୬(ବ୍ୟୁରୋ): ସମ୍ବଲପୁର ଜିଲା ବୁର୍ଲା ଥାନା ଭାରପ୍ରାପ୍ତ ଅଧିକାରୀଙ୍କ ନାମରେ ଜଣେ ମହିଳା ଦୁର୍ବ୍ୟବହାର ଅଭିଯୋଗ ଆଣିଛନ୍ତି। ବୁର୍ଲା ଥାନା ଅନ୍ତର୍ଗତ କିରବା ଅଞ୍ଚଳର ପରମିତା ଧଳ ନାମ୍ନୀ ମହିଳା ବୁଧବାର ପୋଲିସ ଅଧିକାରୀ ଅଭିନ୍ନ ମିଶ୍ରଙ୍କ ନାମରେ ସମ୍ବଲପୁର ଏସ୍‌ପିଙ୍କ ପାଖରେ ଅଭିଯୋଗ କରିଛନ୍ତି। ତାଙ୍କ ଅଭିଯୋଗ କ୍ରମେ ବୁର୍ଲା କିରବା ଛକରେ ସେ ଏକ ଚା’ ଦୋକାନ କରିଛନ୍ତି। ହେଲେ ପୋଲିସ ଅଧିକାରୀ ଅଭିନ୍ନ ବାରମ୍ବାର ଦୋକାନକୁ ଆସି ମାସିକିଆ ବଟି ମାଗୁଛନ୍ତି। ରାତି ଅଧରେ ଦୋକାନକୁ ଆସି ସାମଗ୍ରୀ ଫିଙ୍ଗାଫିଙ୍ଗି କରି ଟଙ୍କା ନେଇଯାଉଛନ୍ତି। ପଚାରିଲେ ନିଶାଦ୍ରବ୍ୟ ବିକ୍ରି କରୁଥିବା ନେଇ ଯାଞ୍ଚ ହେଉଛି ବୋଲି ଧମକଚମକ ଦେଉଛନ୍ତି। ପୂର୍ବରୁ ମାସିକ ୧ହଜାର ଟଙ୍କା ନେଉଥିଲେ। ଏବେ ୩ହଜାର ଟଙ୍କା ନେବାକୁ ଦାବି କରିଛନ୍ତି। ନ ହେଲେ ମିଛ କେସ୍‌ କରି ଜେଲରେ ପୂରାଇଦେବାକୁ ଧମକ ଦେଉଛନ୍ତି। ଏହାସହ ଯେତେବେଳେ ଆସିଲେ ଶାରୀରିକ ସମ୍ପର୍କ ରଖିବାକୁ ମଧ୍ୟ ବାଧ୍ୟ କରୁଛନ୍ତି। ସ୍ବାମୀ ପାରାଲିସିସ୍‌ ପୀଡିତ ହୋଇ ଶଯ୍ୟାଶାୟୀ ଅଛନ୍ତି। ତେଣୁ ଚା’ ଦୋକାନ କରି ପରିବାର ଚଳାଉଛି। କେବେ କେମିତି ନିଶାଦ୍ରବ୍ୟ ବିକ୍ରି କରେ। ଏହି ଅଞ୍ଚଳରେ ଅନେକ ଲୋକ ନିଶାଦ୍ରବ୍ୟ ବିକ୍ରି କରୁଛନ୍ତି। ହେଲେ ଥାନା ଅଧିକାରୀ ବାରମ୍ବାର ଆକ୍ରୋଶମୂଳକ ଭାବରେ ମତେ ହଇରାଣ କରୁଛନ୍ତି। ଏ ସମ୍ପର୍କରେ ବୁର୍ଲା ଥାନା ଅଧିକାରୀ ଅଭିନ୍ନ କହିଛନ୍ତି, ଅଭିଯୋଗ ଭିତ୍ତିହୀନ। ମହିଳା ଜଣକ ମୋତେ ବଦ୍‌ନାମ କରିବା ପାଇଁ ଚେଷ୍ଟା କରୁଛନ୍ତି। କାରଣ ବହୁ ବର୍ଷରୁ ସେ ନିଶା କାରବାର କରୁଛନ୍ତି। କିରବା ଗ୍ରାମବାସୀ ଏହାକୁ ନେଇ ଥାନାରେ ଅଭିଯୋଗ କରିଥିଲେ। ଏକସପ୍ତାହ ଭିତରେ ତାଙ୍କ ଦୋକାନରୁ ବହୁ ପରିମାଣର ନିଶା ସାମଗ୍ରୀ ଜବତ ସହ ତାଙ୍କ ନାମରେ ଦୁଇଟି ମାମଲା ରୁଜୁ କରାଯାଇଛି। ତଦନ୍ତ ହେଲେ ସବୁ ସତ୍ୟାସତ୍ୟ ସାମ୍‌ନାକୁ ଆସିଯିବ ବୋଲି ସେ କହିଛନ୍ତି।