ଗ୍ଲାସ୍ଗୋ,୨୬ା୭: ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ରବିବାର ଭାରତକୁ ପ୍ରଥମ ସ୍ବର୍ଣ୍ଣ ପଦକ ମିଳିଛି। ତାରକା ଭାରୋତ୍ତୋଳିକା ମୀରାବାଈ ଚାନୁ ମହିଳା ୪୮ କେଜି କାଟେଗୋରୀରେ ଏହି ସଫଳତା ପାଇଛନ୍ତି। ଏହା ତାଙ୍କର କ୍ରମାଗତ ତୃତୀୟ ରାଜ୍ୟଗୋଷ୍ଠୀ କ୍ରୀଡ଼ା ସ୍ବର୍ଣ୍ଣ ପଦକ।
ବର୍ଷୀୟା ମୀରାବାଈ ସ୍ନାଚରେ ୮୫ କେଜି ଭାର ଉଠାଇଥିଲେ, ଯାହାକି ୪୮ କେଜି କାଟେଗୋରୀରେ ରାଜ୍ୟଗୋଷ୍ଠୀ କ୍ରୀଡ଼ା ରେକର୍ଡ। ଏହାପରେ ସେ କ୍ଲିନ ଆଣ୍ଡ୍ ଜର୍କରେ ରେକର୍ଡ ୧୦୫ କେଜି ଭାର ଉଠାଇଥିଲେ। ସେ ମୋଟ ୧୯୦ (୮୫+୧୦୫) କେଜି ଭାର ଉଠାଇଥିଲେ।
ପୂର୍ବରୁ ସେ ୨୦୧୮ ଗୋଲ୍ଡ କୋଷ୍ଟ ଓ ୨୦୨୨ ବର୍ମିଂହାମ ସଂସ୍କରଣରେ ସ୍ବର୍ଣ୍ଣ ପଦକ ଜିତିଥିଲେ। ଟୋକିଓ ଅଲିମ୍ପିକ୍ସରେ ରୌପ୍ୟ ପଦକ ଜିତିଥିବା ମୀରାବାଈ ୨୦୧୪ ସଂସ୍କରଣରେ ରୌପ୍ୟ ପଦକ ଅର୍ଜନ କରିଥିଲେ। ଚଳିତ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଏହା ଭାରତ ପାଇଁ ପ୍ରଥମ ସ୍ବର୍ଣ୍ଣ ପଦକ। ଏହା ପୂର୍ବରୁ ଭାରତର ରିଶିକାନ୍ତ ସିଂ ଚନାମ୍ବାମ ଭାରୋତ୍ତୋଳନରେ ରୌପ୍ୟ ଓ ଝଣ୍ଡୁ କୁମାର ପାରା ଶକ୍ତିଉତ୍ତୋଳନରେ ବ୍ରୋଞ୍ଜ ପଦକ ହାସଲ କରିଥିଲେ। ଫଳରେ ଭାରତର ପଦକ ସଂଖ୍ୟା ୩ରେ ପହଞ୍ଚିଛି।
Dharitri – Odisha’s No.1 Odia Daily