ପ୍ରଲୋଭନ ଦେଖାଇ ଆତଙ୍କବାଦୀ ସଂଗଠନରେ ନାବାଳକଙ୍କୁ କରାଯାଉଛି ସାମିଲ

ଜେନେଭା/ନୂଆଦିଲ୍ଲୀ,୩୦।୧: ଜାତିସଂଘ ସୁରକ୍ଷା ପରିଷଦରେ ଭାରତ ଆତଙ୍କବାଦୀ ସଂଗଠନରେ ନାବାଳକଙ୍କ ସାମିଲ୍‌ କରାଯାଉଥିବା ପ୍ରସଙ୍ଗ ନେଇ କ୍ଷୋଭ ପ୍ରକାଶ କରିଛି। ଭାରତ ପକ୍ଷରୁ ସ୍ଥାୟୀ ଉପ-ପ୍ରତିନିଧି ନାଗରାଜ ନାଇଡୁ ଏଭଳି କାର୍ଯ୍ୟ କରୁଥିବା ଆତଙ୍କବାଦୀ ସଂଗଠନଗୁଡ଼ିକୁ ଚିହ୍ନଟ କରାଯାଇ ଦୃଢ଼ କାର୍ଯ୍ୟାନୁଷ୍ଠାନ ଉପରେ ଗୁରୁତ୍ୱାରୋପ କରିଛନ୍ତି। ଛୋଟ ପିଲାଙ୍କୁ ଫୁସୁଲାଇ ବିଭିନ୍ନ ପ୍ରଲୋଭନ ଦେଖାଇ ସେମାନଙ୍କ ହାତରେ ବନ୍ଧୁକ ଧରାଇ ଦିଆଯାଉଛି। ଏହା ଅତ୍ୟନ୍ତ ନିନ୍ଦନୀୟ ଘଟଣା ବୋଲି ସେ କହିଛନ୍ତି। ଅନ୍ତର୍ଜାତୀୟ ଶାନ୍ତି ଓ ସୁରକ୍ଷା ସମ୍ପର୍କିତ ଆଲୋଚନାରେ ଯୋଗଦେଇ ସେ ଏଭଳି କହିଛନ୍ତି। ଏହା ପୂର୍ବରୁ ପାକିସ୍ତାନର ନାମ ନ ନେଇ ଭାରତ ପକ୍ଷରୁ କୁହାଯାଇଥିଲା ଯେ, କରୋନା ମହାମାରୀ ସଙ୍କଟ ସମୟକୁ କେତେକ ଦେଶ ଆତଙ୍କବାଦୀ ଅନୁପ୍ରବେଶ ପାଇଁ ଉପଯୁକ୍ତ ସୁଯୋଗ ବୋଲି ଧରିନେଇଛନ୍ତି। ଆତଙ୍କବାଦୀ ଅନୁପ୍ରବେଶ କରାଇ ବଡ଼ଧରଣର ଆକ୍ରମଣ ଷଡ଼ଯନ୍ତ୍ର ରଚାଯାଉଥିବା ଭାରତ ପକ୍ଷରୁ କୁହାଯାଇଥିଲା। କରୋନାରୁ ଦୂରେଇ ରହିବା ପାଇଁ ପୃଥିବୀସ୍ତରରେ ସାର୍ବଜନୀକ ଟିକାକରଣକୁ ଗରୁତ୍ୱଦେବା ପରିବର୍ତ୍ତେ ଏସବୁ ଦେଶ ଆତଙ୍କବାଦର ଜହର ଅନ୍ୟ ଦୋ ବିରୋଧରେ ପ୍ରୟୋଗ କରୁଥିବା ଭାରତ କହିଥିଲା।

Share