Categories: ଜାତୀୟ

ହିନ୍ଦୁଙ୍କୁ ଅଳ୍ପସଂଖ୍ୟକ ମାନ୍ୟତା, ସୁପ୍ରିମ୍‌କୋର୍ଟଙ୍କୁ କହିଲେ କେନ୍ଦ୍ର ସରକାର…

ନୂଆଦିଲ୍ଲୀ, ୨୮।୩ : କେନ୍ଦ୍ର ସରକାର ସୁପ୍ରିମକୋର୍ଟଙ୍କୁ କହିଛନ୍ତି ଯେ ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳ ମଧ୍ୟ ହିନ୍ଦୁମାନଙ୍କୁ ସଂଖ୍ୟାଲଘୁ ମାନ୍ୟତା ଦେଇପାରିବ। ଏକ ଉତ୍ତର ଦାଖଲ କରି କେନ୍ଦ୍ର ସଂଖ୍ୟାଲଘୁ ମନ୍ତ୍ରଣାଳୟ ସୁପ୍ରିମକୋର୍ଟଙ୍କୁ କହିଛନ୍ତି ଯେ ଯେପରି ଖ୍ରୀଷ୍ଟିଆନ, ଶିଖ, ମୁସଲମାନ, ବୌଦ୍ଧ, ପାର୍ସୀ ଏବଂ ଜୈନଙ୍କୁ ଜାତୀୟ ସ୍ତରରେ ସଂଖ୍ୟାଲଘୁ ମାନ୍ୟତା ଦିଆଯାଇଛି, ସେହିପରି ସଂଖ୍ୟା ଆଧାରରେ ହିନ୍ଦୁମାନଙ୍କୁ ମଧ୍ୟ ସଂଖ୍ୟାଲଘୁ ମାନ୍ୟତା ମିଳିପାରିବ। ଆଇନଜୀବୀ ଅଶ୍ୱିନୀ କୁମାର ଉପାଧ୍ୟାୟଙ୍କ ଦ୍ୱାରା ଦାଖଲ କରାଯାଇଥିବା ପିଟିଶନର ଜବାବରେ କେନ୍ଦ୍ର ସରକାର ଏହି ସୂଚନା ଦେଇଛନ୍ତି।

ଏହି ଆବେଦନରେ ସେ ଜାତୀୟ ସଂଖ୍ୟାଲଘୁ ଶିକ୍ଷାନୁଷ୍ଠାନ ଅଧିନିୟମ, ୨୦୦୪ ର ଧାରା ୨ (ଏଫ୍‌) ର ବୈଧତାକୁ ଚ୍ୟାଲେଞ୍ଜ କରିଛନ୍ତି। ଉପାଧ୍ୟାୟ ତାଙ୍କ ଆବେଦନରେ କହିଛନ୍ତି ଯେ ଧାରା ୨(ଏଫ୍‌) କେନ୍ଦ୍ରକୁ ଅପାର ଶକ୍ତି ପ୍ରଦାନ କରିଥାଏ, ଯାହା ସ୍ପଷ୍ଟ ଭାବରେ ମନମୁଖୀ, ଅଯୌକ୍ତିକ ଏବଂ କ୍ଷତିକାରକ ଅଟେ।

ଦେଶର ବିଭିନ୍ନ ରାଜ୍ୟରେ ସଂଖ୍ୟାଲଘୁ ସମ୍ପ୍ରଦାୟର ଚିହ୍ନଟ ପାଇଁ ନିର୍ଦ୍ଦେଶାବଳୀ ପ୍ରସ୍ତୁତ କରିବାକୁ ଆବେଦନକାରୀ ନିର୍ଦ୍ଦେଶ ଲୋଡିଛନ୍ତି। ଲଦାଖ, ମିଜୋରାମ, ଲକ୍ଷାଦ୍ୱୀପ, କଶ୍ମୀର, ନାଗାଲାଣ୍ଡ, ମେଘାଳୟ, ଅରୁଣାଚଳ ପ୍ରଦେଶ, ପଞ୍ଜାବ ଏବଂ ମଣିପୁରରେ ୟୁହୁଦୀ, ବାହାଇ ଏବଂ ହିନ୍ଦୁ ଧର୍ମର ଅନୁଗାମୀମାନେ ନିଜ ପସନ୍ଦର ଶିକ୍ଷାନୁଷ୍ଠାନ ପ୍ରତିଷ୍ଠା କରିପାରିବେ ନାହିଁ। ଏହା ଭୁଲ ବୋଲି ଆବେଦନରେ କୁହାଯାଇଛି।

ରାଜ୍ୟ ମଧ୍ୟରେ ସଂଖ୍ୟାଲଘୁ ଭାବରେ ସେମାନଙ୍କର ପରିଚୟ ସମ୍ବନ୍ଧୀୟ ବିଷୟଗୁଡିକ ରାଜ୍ୟ ସ୍ତରରେ ବିଚାର କରାଯାଇପାରେ ବୋଲି ଏଥିରେ ଅନୁରୋଧ କରାଯାଇଛି। ।ଧାରା ୨(ଏଫ୍‌) କେନ୍ଦ୍ରକୁ ଅପାର ଶକ୍ତି ପ୍ରଦାନ କରୁଥିବା ଦାବିକୁ ମନ୍ତ୍ରଣାଳୟ ପକ୍ଷରୁ ପ୍ରତ୍ୟାଖ୍ୟାନ କରାଯାଇଛି।

Share