ଛତ୍ରପୁର,୧୯ା୧୧(ଦିଲ୍ଲୀପ ସାମଲ): ଶିଶୁ ଶ୍ରମିକ ପ୍ରଥାର ନିରାକରଣ ଓ ଶିଶୁ ଅଧିକାରର ସୁରକ୍ଷା ଦିଗରେ ଗଞ୍ଜାମ ଜିଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ତ୍ୱରିତ ପଦକ୍ଷେପ ଗ୍ରହଣ କରାଯାଇଛି । ବ୍ରହ୍ମପୁର ସହରର ଆସ୍କା ରୋଡ୍ସ୍ଥିତ ଆୟୁଷ୍ମାନ ଆରୋଗ୍ୟ ମନ୍ଦିର ସମ୍ମୁଖରେ ଥିବା ଏକ ହୋଟେଲରେ ୧୪ ବର୍ଷରୁ କମ୍ ବୟସର ନାବାଳକ ଶ୍ରମିକ ଭାବେ କାର୍ଯ୍ୟ କରୁଥିବା ଜଣେ ଆଇନ ସହାୟକ ସ୍ୱେଚ୍ଛାସେବୀଙ୍କ ନଜରକୁ ଆସିଥିଲା। ସେ ତୁରନ୍ତ ଏ ସମ୍ପର୍କରେ ପ୍ରାଧିକରଣକୁ ଅବଗତ କରାଇଥିଲେ।
ଘଟଣାକୁ ଗୁରୁତ୍ୱର ସହ ଗ୍ରହଣ କରି ପ୍ରାଧିକରଣର ସଚିବ ବ୍ୟୋମକେଶ ନାୟକ ଶିଶୁଟିର ସୁରକ୍ଷା ଓ ଅଧିକାର ସୁନିଶ୍ଚିତ କରିବା ସହ ଆବଶ୍ୟକ ଆଇନଗତ ପଦକ୍ଷେପ ନିମନ୍ତେ ସମ୍ପୃକ୍ତ ବିଭାଗଗୁଡ଼ିକ ମଧ୍ୟରେ ସମନ୍ୱୟ ରକ୍ଷା ଉପରେ ଗୁରୁତ୍ୱ ଦେଇଥିଲେ । ଏଥିରେ ମାନବ ଚାଲାଣ ନିରୋଧକ ଦଳ, ପୋଲିସ ଓ ଶ୍ରମ ବିଭାଗର ଭୂମିକା ଗୁରୁତ୍ୱପୂର୍ଣ୍ଣ ରହିଥିଲା। ଆଇନ ସହାୟକ ସ୍ୱେଚ୍ଛାସେବୀଙ୍କ ସଜାଗତା ଏହି ଘଟଣାରେ ପ୍ରଶଂସନୀୟ ହୋଇଥିବାବେଳେ ତୃଣମୂଳ ସ୍ତରରେ ଶିଶୁ ଅଧିକାରର ଉଲ୍ଲଂଘନ ରୋକିବାରେ ସେମାନଙ୍କ ଭୂମିକା ପୁଣିଥରେ ପ୍ରମାଣିତ ହୋଇଛି ।
ଜିଲା ଜଜ୍ ତଥା ପ୍ରାଧିକରଣର ଅଧ୍ୟକ୍ଷ ଅଶାନ୍ତ ଦାସଙ୍କ ତତ୍ତ୍ୱାବଧାନରେ ସଚିବ ନାୟକଙ୍କ ନେତୃତ୍ୱରେ ଜିଲାରେ ଆଇନ ସଚେତନତା ଓ ମାଗଣା ଆଇନ ସେବା ପ୍ରଦାନ କାର୍ଯ୍ୟ ଜାରି ରହିଛି । ଆଇନ ଅନୁଯାୟୀ ୧୪ ବର୍ଷରୁ କମ୍ ଶିଶୁଙ୍କୁ ନିଯୁକ୍ତି କରିବା ନିଷିଦ୍ଧ । ତେଣୁ କୌଣସି ସ୍ଥାନରେ ଶିଶୁ ଶ୍ରମିକ ନିୟୋଜନ ଦେଖିଲେ ନୀରବ ନରହି ତୁରନ୍ତ ପୋଲିସ, ଶ୍ରମ ବିଭାଗ କିମ୍ବା ପ୍ରାଧିକରଣକୁ ଜଣାଇବାକୁ ଜନସାଧାରଣଙ୍କୁ ଆହ୍ୱାନ କରାଯାଇଛି ।