ନାବାଳିକାଙ୍କୁ ବଳାତ୍କାର ପରେ ତଣ୍ଟି ଚିପି କରିଥିଲେ ହତ୍ୟା, ଆସିଲା ରାୟ…

ସମ୍ବଲପୁର,୫ା୨(ପ୍ରମୋଦ ବହିଦାର): ସମ୍ବଲପୁର ଜିଲା ରେଙ୍ଗାଲି ଥାନା ଅଧୀନ ବିଞ୍ଜିପାଲି ଗ୍ରାମରେ ୨୦୧୫ରେ ସଂଘଟିତ ଏକ ନାବାଳିକା ବଳାତ୍କାର ଓ ହତ୍ୟା ମାମଲାର ରାୟ ସୋମବାର ପ୍ରକାଶ ପାଇଛି। ସମ୍ବଲପୁର ପୋକ୍ସୋ ଅଦାଲତରେ ଚାଲିଥିବା ଉକ୍ତ ଘଟଣାର ରାୟ ଶୁଣାଇ ବିଚାରପତି ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡ ସହ ୧ ଲକ୍ଷ ଟଙ୍କା ଜରିମାନା କରିଛନ୍ତି। ଜରିମାନା ଅର୍ଥ ଅନାଦାୟ ଅଧିକ ଏକବର୍ଷ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ଅଭିଯୁକ୍ତ ଜଣକ ହେଲେ ବିଞ୍ଜିପାଲି ଗ୍ରାମ ଢ଼ୁଡ଼ଚୂଆଁ ଓରାମପଡ଼ାର ଭୀମସେନ୍‌ ରଣବିଡ଼ା

ମାମଲାର ବିବରଣୀରୁ ପ୍ରକାଶ ଯେ, ଓରାମପଡ଼ାର ଦୁଇ ନାବାଳିକା ନିକଟରେ ଥିବା ଏକ ଇଟାଭାଟିରେ ଦିନମଜୁରିଆ ଭାବେ କାର୍ଯ୍ୟ କରୁଥିଲେ। ୨୦୧୫ ଫେବୃଆରୀ ୨୭ରେ ନାବାଳିକା ଦ୍ୱୟ ଇଟାଭାଟିରୁ ମଜୁରି ବାବଦକୁ ମିଳିଥିବା ପ୍ରାପ୍ୟ ନେଇ ଘରକୁ ଫରୁଥିଲେ। ଏକ ନିଛାଟିଆ ରାସ୍ତାରେ ସେମାନେ ଆସୁଥିବା ବେଳେ ଅଭିଯୁକ୍ତ ଭୀମସେନ୍‌ ସେମାନଙ୍କୁ ଟଣାଓଟରା କରିଥିଲେ। ତେବେ କୌଶଳ କ୍ରମେ ଜଣେ ନାବାଳିକା ଖସିଯିବାରେ ସକ୍ଷମ ହୋଇଥିବା ବେଳେ ଅନ୍ୟଜଣଙ୍କୁ ଭୀମସେନ ନିକଟସ୍ଥ ଜଙ୍ଗଲକୁ ଟେକିନେଇ ବଳାତ୍କାର ପରେ ତଣ୍ଟି ଚିପି ହତ୍ୟା କରିଥିଲେ।

ଖସିଯାଇଥିବା ନାବାଳିକା ଗ୍ରାମବାସୀଙ୍କ ନିକଟରେ ଘଟଣା ସମ୍ପର୍କରେ ଜଣାଇଥିଲେ। ଗ୍ରାମବାସୀ ଘଟଣାସ୍ଥଳରେ ପହଞ୍ଚି ନାବାଳିକାଙ୍କ ମୃତଦେହ ପଡ଼ିଥିବା ଦେଖି ରେଙ୍ଗାଲି ପୋଲିସକୁ ଖବର ଦେଇଥିଲେ। ରେଙ୍ଗାଲି ଥାନା ଅଧିକାରୀ ସଦଳବଳ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଥିଲେ। ଘଟଣା ନେଇ ମୃତ ନାବାଳିକାଙ୍କ ପିତାଙ୍କ ଏତଲାକୁ ଆଧାର କରି ପୋଲିସ ଆଇପିସି ଦଫା ୩୦୭, ୩୭୬ (୨), ୩୭୬ (ଏ)ରେ ଏକ ମାମଲା (ନଂ.୨୫/୨୦୧୫) ରୁଜୁ କରିଥିଲା। ତଦନ୍ତ ପରେ ପୋଲିସ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ସମ୍ବଲପୁର ପୋକ୍ସୋ ଅଦାଲତ ବିଚାରପତି ଅଭିଳାଷ ସେନାପତି ୧୭ ଜଣ ସାକ୍ଷ୍ୟଙ୍କ ସହିତ ଅନ୍ୟାନ୍ୟ ପ୍ରମାଣ ଆଧାରରେ ଭୀମସେନଙ୍କୁ ଦୋଷୀ ସାବ୍ୟସ୍ତ କରି ଉପରୋକ୍ତ ଦଣ୍ଡାଦେଶ ଶୁଣାଇଛନ୍ତି। ଅଦାଲତରେ ସରକାରଙ୍କ ପକ୍ଷରୁ ସ୍ବତନ୍ତ୍ର ପିପି ସନ୍ତୋଷ କୁମାର ପଣ୍ଡା ଏହି ମାମଲା ପରିଚାଳନା କରୁଥିଲେ।