ସିମୁଳିଆ,୧୯ା୪(ସନ୍ତୋଷ କୁମାର ନାୟକ): ବାଲେଶ୍ୱର ଜିଲା ସିମୁଳିଆ ଥାନା କୁପୁରା ଅଞ୍ଚଳରେ ଅଭାବନୀୟ ଘଟଣା । ବେକରେ ଫାଶୀ ଲଗାଇ ଆତ୍ମହତ୍ୟା କଲେ ନାବାଳିକା । ମୃତକ ହେଉଛନ୍ତି ଧରିତ୍ରୀ ମହାରଣା(୧୫)। ରବିବାର ମଧ୍ୟାହ୍ନରେ ଏହି ଅଭାବନୀୟ ଘଟଣା ଘଟିଛି । ସେ ସ୍ଥାନୀୟ ଆଦର୍ଶ ବିଦ୍ୟାଳୟର ନବମ ଶ୍ରେଣୀରେ ପାଠ ପଢୁଥିଲେ ।
ସୂଚନା ଅନୁସାରେ, ସେ ରବିବାର ଦ୍ବିପ୍ରହରରେ ଗାଧୋଇବା କିମ୍ବା ଖିଆପିଆ ନକରି ଟିଭି ଦେଖୁଥିବାରୁ ଧରିତ୍ରୀଙ୍କୁ ତାଙ୍କ ମାଆ ଆକଟ କରିଥିଲେ । ଏଥିରେ ଉତକ୍ଷିପ୍ତ ହୋଇ ଧରିତ୍ରୀ ଗାଧୋଇବା ଘର ଭିତରପଟୁ କବାଟ ବନ୍ଦ କରି ଗାମୁଛା ସାହାଯ୍ୟରେ ଫାଶୀ ଦେଇଥିଲେ । ଦୀର୍ଘ ସମୟ ପର୍ଯ୍ୟନ୍ତ ସେ କବାଟ ଖୋଲି ନଥିବାରୁ ତାଙ୍କ ମାଆ ପୋଡଶୀମାନଙ୍କୁ ଡାକି କବାଟ ଭାଙ୍ଗି ତାଙ୍କୁ ସିମୁଳିଆ ମେଡିକାଲକୁ ଆଣିଥିଲେ ହେଁ ଡାକ୍ତର ମୃତ ଘୋଷଣା କରିଥିଲେ । ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି ।