ନ୍ୟାୟ ମାଗିବାକୁ ଥାନାକୁ ଯାଇଥିଲେ ନାବାଳିକା; ଥାନା ଅଧିକାରୀଙ୍କ ଧମକରେ ଅଚେତ ହୋଇଗଲେ, ତାପରେ…

ବାରିପଦା/ମୋରଡ଼ା,୧୮।୫ (ନୀଳାଦ୍ରି ବିହାରୀ ଦଣ୍ଡପାଟ/ସ୍ମାରକ ମାଜୀ): ମା’ବାପାଙ୍କ ସହିତ ଅଭିଯୋଗ ପତ୍ର ନେଇ ଥାନାକୁ ଯାଇଥିବା ଜଣେ ନାବାଳିକା ଥାନା ଅଧିକାରୀଙ୍କ ଧମକପୂର୍ଣ୍ଣ ବ୍ୟବହାରରେ ଚେତାଶୂନ୍ୟ ହୋଇ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ମୟୂରଭଞ୍ଜ ଜିଲା ମୋରଡ଼ା ଥାନାରେ ଘଟିଥିବା ଏଭଳି ଘଟଣାକୁ ନେଇ ଆଲୋଡ଼ନ ସୃଷ୍ଟି ହୋଇଥିବାବେଳେ ଥାନା ଅଧିକାରୀ ସୁମିତ କୁମାର ସୋରେନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି ତେଜିଛି।
ଅଭିଯୋଗ ଅନୁଯାୟୀ, ମୋରଡ଼ା ଥାନା ଅଞ୍ଚଳର ଜଣେ ଯୁବକ ସମ୍ପୃକ୍ତ ନାବାଳିକାଙ୍କୁ କିଛିଦିନ ହେବ ରାସ୍ତାଘାଟରେ ପ୍ରେମ ନିବେଦନ କରିବା ସହିତ ଅସଦାଚରଣ କରୁଥିଲେ। ଏଥିରେ ଅତିଷ୍ଠ ହୋଇ ନ୍ୟାୟ ପାଇଁ ନାବାଳିକା ଜଣଙ୍କ ତାଙ୍କ ମା’ ବାପାଙ୍କ ସହିତ ଶନିବାର ସାରେ ମୋରଡ଼ା ଥାନାକୁ ଯାଇ ସମ୍ପୃକ୍ତ ଯୁବକଙ୍କ ବିରୋଧରେ ଲିଖିତ ଅଭିଯୋଗ କରିଥିଲେ। ଥାନା ଅଧିକାରୀ ସୋରେନ ଅଭିଯୋଗ ନ ରଖି ଫେରାଇ ଦେଇଥିଲେ। ଫଳରେ ନାବାଳିକା ଓ ତାଙ୍କ ମା’ ବାପା ବେତନଟୀ ଏସ୍‌ଡିପିଓଙ୍କୁ ମୋବାଇଲ ଫୋନ ଯୋଗେ ଯୋଗାଯୋଗ କରି ସମସ୍ତ ଘଟଣା ଜଣାଇଥିଲେ। ଏସ୍‌ଡିପିଓ ପୁନର୍ବାର ଥାନାଧିକାରୀଙ୍କୁ ଭେଟି ଏତଲା ଦେବାକୁ କହିଥିଲେ। ନାବାଳିକା ଓ ତାଙ୍କ ମା’ ବାପା ପୁଣି ମୋରଡ଼ା ଥାନାକୁ ଆସିବା ପରେ ଥାନା ଅଧିକାରୀ ପୂର୍ବାପେକ୍ଷା ଅଧିକ ପ୍ରତିକ୍ରିୟାଶୀଳ ହୋଇ ମହିଳା ଅଧିକାରୀଙ୍କ ଅନୁପସ୍ଥିତିରେ ବୟାନ ସଂଗ୍ରହ ପାଇଁ ଡାକି ଅଭିଯୁକ୍ତଙ୍କ ସମ୍ମୁଖରେ ନାବାଳିକାଙ୍କୁ ଧମକ ଦେଇଥିଲେ। ନାବାଳିକାଙ୍କୁ ୭ ବର୍ଷ କାରାଦଣ୍ଡ ହେବ ବୋଲି କହିଥିଲେ। ଏହାପରେ ନାବାଳିକା କାନ୍ଦି କାନ୍ଦି ବାହାରକୁ ଆସି ମା’ ବାପାଙ୍କ ପାଖରେ ପହଞ୍ଚତ୍ ଚେତାଶୂନ୍ୟ ହୋଇ ପଡ଼ିଯାଇଥିଲେ। ସଙ୍ଗେ ସଙ୍ଗେ ଥାନା ଗାଡ଼ିରେ ଜଣେ ପୋଲିସ ସବ୍‌ ଇନ୍‌ସପେକ୍ଟର ତାଙ୍କୁ ଡାକ୍ତରଖାନା ନେଇଥିଲେ।
ଅଭିଯୁକ୍ତ ଯୁବକ ଜଣକ ଶାସକ ଦଳର ହୋଇଥିବାରୁ ତାଙ୍କୁ ସୁରକ୍ଷା ଦେବାକୁ ଯାଇ ଥାନା ଅଧିକାରୀ ମାମଲା ରୁଜୁ ପାଇଁ ଚାହୁଁ ନ ଥିବା ଏତଲାରେ ଦର୍ଶାଯାଇଛି।

ବିଜେଡିର ଏକ ପ୍ରତିନିଧି ଦଳ ନାବାଳିକାଙ୍କୁ ନ୍ୟାୟ ଦେବା ଓ ଦାୟିତ୍ୱହୀନ ପୋଲିସ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛି। ରବିବାର ବିଜେଡି ଜିଲା ସଭାପତି ତଥା ପୂର୍ବତନ ମନ୍ତ୍ରୀ ସୁଦାମ ମାରାଣ୍ଡି ଓ ବାରିପଦା ନଗରପାଳ କୃଷ୍ଣାନନ୍ଦ ମହାନ୍ତି ପ୍ରଥମେ ପିଆର୍‌ଏମ୍‌ ମେଡିକାଲରେ ପହଞ୍ଚି ନାବାଳିକା ଓ ତାଙ୍କ ପରିବାର ଲୋକଙ୍କୁ ଭେଟି ସମସ୍ତ ତଥ୍ୟ ସଂଗ୍ରହ କରିଛନ୍ତି। ପ୍ରତିନିଧି ଦଳ ପୀଡ଼ିତା ପରିବାର ଲୋକଙ୍କୁ ସଙ୍ଗରେ ନେଇ ଏସ୍‌ପିଙ୍କ ଅନୁପସ୍ଥିତିରେ ଅତିରିକ୍ତ ଏସ୍‌ପି ଦୀପକ କୁମାର ଗୋଚ୍ଛାୟତଙ୍କୁ ଭେଟି ମୋରଡ଼ା ଥାନା ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ସହ ନିରପେକ୍ଷ ତଦନ୍ତ ଦାବି କରିଛନ୍ତି। ପ୍ରତିନିଧି ଦଳରେ ଅନ୍ୟମାନଙ୍କ ମଧ୍ୟରେ ଜିଲାପରିଷଦ ଅଧ୍ୟକ୍ଷା ଭାରତୀ ହଁାସଦା, ପୂର୍ବତନ ଉପ ବାଚସ୍ପତି ସାନନ୍ଦ ମାରାଣ୍ଡି, ପୂର୍ବତନ ବିଧାୟକ ରାଜକିଶୋର ଦାସ, ଦେବାଶିଷ ମହାନ୍ତି, ଜିତେନ୍ଦ୍ର ମହାନ୍ତି, ଅମର ସେଠି, ଅରୁଣ ବରାଡ ଓ ସୁନୀଲ ନାୟକଙ୍କ ସମେତ ଅନ୍ୟମାନେ ଉପସ୍ଥିତ ଥିଲେ।
ସେହିପରି ବରିଷ୍ଠ କଂଗ୍ରେସ ନେତା ପ୍ରମୋଦ ହେମ୍ବ୍ରମ, ଜିଲା ଯୁବ କଂଗ୍ରେସର କାର୍ଯ୍ୟକାରୀ ସଭାପତି ଏମଡି.ନାଜିର ଉଲ୍‌ ହକ୍‌, ପ୍ରଦେଶ କଂଗ୍ରେସ ସମ୍ପାଦକ ଅମରଜିତ ବାରିକ, ଜେଏମ୍‌ଏମ୍‌ ଜିଲା ସଭାପତି କୃଷ୍ଣଚନ୍ଦ୍ର ଦାସ ପ୍ରମୁଖ ଡାକ୍ତରଖାନା ଯାଇ ନାବାଳିକା ଓ ତାଙ୍କ ମା’ ବାପାଙ୍କୁ ସାକ୍ଷାତ କରିବା ସହିତ ଥାନା ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି। ଅନ୍ୟପକ୍ଷରେ ଏନେଇ ଥାନାରେ ଏକ ମାମଲା (ନଂ.୨୦୦/୨୬) ରୁଜୁ କରି ଅଭିଯୁକ୍ତ ଯୁବକଙ୍କୁ ପୋଲିସ ଅଟକ ରଖିଛି ।

 

Dharitri – Odisha’s No.1 Odia Daily

Share