ବଲାଙ୍ଗୀରରେ ଚାଞ୍ଚଲ୍ୟ; ନାବାଳକଙ୍କ ଛୁରା ମାଡ଼ରେ ଆଉ ଜଣେ ନାବାଳକ ମୃତ, କାରଣ ଜାଣିଲେ ହେବେ ଆଶ୍ଚର୍ଯ୍ୟ

ବଲାଙ୍ଗୀର,୨୬।୮(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ଆଗଲପୁର ଥାନା ରୋତ ଗାଁରେ ଚାଞ୍ଚଲ୍ୟ । ନାବାଳକଙ୍କୁ ଛୁରି ଭୁସି ହତ୍ୟା କଲେ ନାବାଳକ । ମୃତକ ହେଲେ ନାବାଳକ ସାହିଲ ପଟେଲ ।

ସୂଚନା ଅନୁସାରେ, କୌଣସି କାରଣକୁ ନେଇ ଦୁଇ ନାବାଳକଙ୍କ ମଧ୍ୟରେ ବଚସା ପରେ ଛୁରାମାଡ଼ ହୋଇଥିଲା । ଗୁରୁତର ଅବସ୍ଥାରେ ସାହିଲଙ୍କୁ ଉଦ୍ଧାର କରାଯାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲେ ମଧ୍ୟ ତାଙ୍କର ମୃତ୍ୟୁ ହୋଇଯାଇଛି । ଖବର ପାଇ ଆଗଲପୁର ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି । ହତ୍ୟାର ପ୍ରକୃତ କାରଣ ଓ ଘଟଣାର ସମ୍ପୂର୍ଣ୍ଣ ତଥ୍ୟ ଜାଣିବାକୁ ତଦନ୍ତ ଜାରି ରହିଛି ।

ଅନ୍ୟପଟେ ତାସ୍ ଖେଳରୁ ଝଗଡ଼ା ହେବା ପରେ ନିଶା ସେବନ କରିଥିଲେ । ଏହାପରେ ନାବାଳକ ଘରୁ ଏକ ଛୁରି ଆଣି ମୃତ ନାବାଳକଙ୍କୁ ଛୁରା ମାଡ଼ କରିଥିବା କୁହାଯାଉଛି । ନିଶା କାରଣ ପାଇଁ ଏଭଳି ଅଭାବନୀୟ ଘଟଣା ଘଟିଥିବା ଆଲୋଚନା ହେଉଥିଲେ ହେଁ ପ୍ରକୃତ କାରଣ ସ୍ପଷ୍ଟ ହୋଇପାରି ନାହିଁ ।

ନାବାଳକଙ୍କ ମୃତ୍ୟୁ ପରେ ଆଗଲପୁର ଥାନାରେ ଉତ୍ତେଜନା ଦେଖାଦେଇଛି । ରୋତ ଗାଁରେ ଏବେ ନିଶା ଦ୍ରବ୍ୟ କାରବାର ଜୋରସୋରରେ ଜାରି ରହିଛି । ଏପରିକି ଛୋଟ ଛୋଟ ପିଲାମାନେ ନିଶାଶକ୍ତ ଅବସ୍ଥାରେ ବୁଲୁଥିବା ବେଳେ ଆଗଲପୁର ଥାନା ପୋଲିସ ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନଥିବା ଅଭିଯୋଗ ହୋଇଛି । ଦିନକୁ ଦିନ ଅପରାଧୀମାନଙ୍କ କାର୍ଯ୍ୟକଳାପ ବଢୁଥିବା ଗ୍ରାମବାସୀ ଅଭିଯୋଗ କରି ଆଗଲପୁର ଥାନାରେ ଧାରଣାରେ ବସିଥିଲେ ଓ ସାହିଲଙ୍କୁ ନ୍ୟାୟ ମିଳୁ ବୋଲି ଦାବି କରିଛନ୍ତି ।

 

Dharitri – Odisha’s No.1 Odia Daily

Share