ଭୁଲ୍‌ ଇଞ୍ଜେକ୍ସନରେ ନାବାଳକଙ୍କ ମୃତ୍ୟୁ: ଥାନାରେ ରୁଜୁ ହେଲା ମାମଲା

ଭଦ୍ରକ ଅଫିସ,୩।୩: ଭଦ୍ରକର ଏକ କ୍ଲିନିକ୍‌ରେ ଭୁଲ୍‌ ଇଞ୍ଜେକ୍ସନ ଯୋଗୁ ବୁଧବାର ଜଣେ ନାବାଳକଙ୍କ ମୃତ୍ୟୁ ହୋଇଥିବା ନେଇ ଟାଉନ ଥାନାରେ ଅଭିଯୋଗ ହୋଇଛି। ଏନେଇ ପୋଲିସ ଏକ ମାମଲା (ନଂ.୧୨୧/୨୩) ରୁଜୁ କରିଛି।

ସୂଚନା ଅନୁଯାୟୀ, ବନ୍ତ ବ୍ଲକ ବସନ୍ତିଆ ଗ୍ରାମର ମନୋଜ ରାଉଳଙ୍କ ପୁଅ ଶୁଭେନ୍ଦୁ ବୁଧବାର ଅସୁସ୍ଥ ହେବାରୁ ଚିକିତ୍ସା ପାଇଁ ଭଦ୍ରକର ଏକ ଘରୋଇ କ୍ଲିନିକରେ ଭର୍ତ୍ତି କରାଯାଇଥିଲା। ସେଠାରେ ଏକ ଇଞ୍ଜେକ୍ସନ ଦେବା ପରେ ବାନ୍ତି ହେବା ସହିତ ସଂଜ୍ଞାହୀନ ହୋଇଯାଇଥିଲେ। ଗୁରୁତର ଅବସ୍ଥାରେ ତାଙ୍କୁ ଜିଲା ମୁଖ୍ୟ ଚିକିତ୍ସାଳୟକୁ ନିଆଯିବା ପରେ ସେଠାରେ ତାଙ୍କର ମୃତ୍ୟୁ ଘଟିଥିଲା। ମୃତଦେହକୁ ତାଙ୍କ ସମ୍ପର୍କୀୟମାନେ ଉକ୍ତ କ୍ଲିନିକ ପାଖକୁ ଆଣି ହୋହଲ୍ଲା କରିଥିଲେ। ପୋଲିସ ମୁତୟନ ରହିବା ସତ୍ତ୍ୱେ ସେଠାରେ ଗଣ୍ଡଗୋଳ ପରିସ୍ଥିତି ସୃଷ୍ଟି ହୋଇଥିଲା। ଭୁଲ ଇଞ୍ଜେକ୍ସନରେ ତାଙ୍କ ପୁଅର ମୃତ୍ୟୁ ହୋଇଥିବା ଏବଂ କ୍ଲିନିକ ନିକଟରେ କିଛି ଲୋକ ତାଙ୍କୁ ମାଡ଼ ମାରିଥିବା ମୃତ ନାବାଳକଙ୍କ ବାପା ମନୋଜ ଅଭିଯୋଗରେ ଉଲ୍ଲେଖ କରିଛନ୍ତି।