Categories: ଜାତୀୟ

ଏନ୍‌ଇଇଟି-ପିଜି କଟ୍‌-ଅଫ୍‌ ୧୫ ଶତାଂଶ କମାଇବାକୁ ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ନିର୍ଦ୍ଦେଶ

ନୂଆଦିଲ୍ଲୀ,୧୩।୩(ପି.ଟି.): ଖାଲିପଡ଼ିଥିବା ପୋଷ୍ଟଗ୍ରାଜୁଏଟ୍‌ ମେଡିକାଲ ସିଟ୍‌ ପୂରଣ ଲାଗି ଏନ୍‌ଇଇଟି-ପିଜି ୨୦୨୧ରେ ସବୁ ବର୍ଗର ପ୍ରାର୍ଥୀଙ୍କ ପାଇଁ କଟ୍‌ଅଫ୍‌ ୧୫ ଶତାଂଶ (ପର୍ସେଣ୍ଟାଇଲ୍‌) ହ୍ରାସ କରିବାକୁ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଜାତୀୟ ପରୀକ୍ଷା ବୋର୍ଡ (ଏନ୍‌ବିଇ)କୁ ନିର୍ଦ୍ଦେଶ ଦେଇଛି। ମେଡିକାଲ କାଉନସେଲିଂ କମିଟି (ଏମ୍‌ସିସି)ର ସଦସ୍ୟ ସଚିବ ବି. ଶ୍ରୀନିବାସ ଏନ୍‌ବିଇ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ମିନୁ ବାଜପାୟୀଙ୍କୁ ପତ୍ର ଲେଖି ଏହା ଜଣାଇଛନ୍ତି। ଏନ୍‌ଏମ୍‌ସି ସହ ଆଲୋଚନା ଓ ବିଚାର ବିମର୍ଶ ପରେ କଟ୍‌-ଅଫ୍‌ ୧୫ ଶତାଂଶ କମାଇବାକୁ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ନିଷ୍ପତ୍ତି ନେଇଛି। ଅର୍ଥାତ୍‌ ସାଧାରଣ ବର୍ଗ ପ୍ରାର୍ଥୀଙ୍କ ଲାଗି କଟ୍‌-ଅଫ୍‌ ୩୫ ଶତାଂଶକୁ ଏବଂ ସାଧାରଣ ବର୍ଗର ଭିନ୍ନକ୍ଷମଙ୍କ ପାଇଁ ୩୦ ଶତାଂଶକୁ ତଥା ଏସ୍‌ସି, ଏସ୍‌ଟି ଏବଂ ଓବିସିଙ୍କ ଲାଗି ୨୫ ଶତାଂଶକୁ ହ୍ରାସ କରାଯିବ। ସେହି ଅନୁଯାୟୀ ସଂଶୋଧିତ ଫଳାଫଳ ଘୋଷଣା କରିବା ସହ ନୂତନ ଯୋଗ୍ୟ ପ୍ରାର୍ଥୀଙ୍କ ସଂଶୋଧିତ ଫଳାଫଳ ତଥ୍ୟ ଏମ୍‌ସିସିକୁ ପଠାଇବା ଲାଗି ଶ୍ରୀନିବାସ ଏନ୍‌ବିଇକୁ ଅନୁରୋଧ କରିଛନ୍ତି। ସର୍ବଭାରତୀୟ ସ୍ତରରେ ଦୁଇ ପର୍ଯ୍ୟାୟ କାଉନସେଲିଂ ଏବଂ ଦୁଇ ପର୍ଯ୍ୟାୟ ରାଜ୍ୟ କୋଟା କାଉନସେଲିଂ ପରେ ମଧ୍ୟ ପ୍ରାୟ ୮,୦୦୦ ସିଟ୍‌ ଖାଲି ପଡ଼ିଥିବାରୁ ନ୍ୟାଶନାଲ ମେଡିକାଲ କମିଶନଙ୍କ ସହ ଆଲୋଚନା ପରେ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଉପରୋକ୍ତ ନିଷ୍ପତ୍ତି ନେଇଛି।

Share