Categories: ଜାତୀୟ

ବଜେଟ ପୂର୍ବରୁ ‘ହଲାଓ୍ବା ସେରିମନୀ’ ଆୟୋଜିତ କଲା ଅର୍ଥ ମନ୍ତ୍ରଣାଳୟ

ନୂଆଦିଲ୍ଲୀ,୨୬।୧: କେନ୍ଦ୍ର ବଜେଟ ପ୍ରସ୍ତୁତି ପ୍ରକ୍ରିୟାର ଅନ୍ତିମ ପର୍ଯ୍ୟାୟ ପୂର୍ବରୁ ପାରମ୍ପାରିକ ‘ହଲୱା ସେରିମନୀ’ ଆୟୋଜିତ ହୋଇଛି। ଗୁରୁବାର ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନଙ୍କ ଉପସ୍ଥିତିରେ ଏହି ସମାରୋହ ଅନୁଷ୍ଠିତ ହୋଇଥିଲା। ଏହି ସମୟରେ ରାଜ୍ୟ ଅର୍ଥମନ୍ତ୍ରୀ ଡ. ଭାଗବତ କିଶନରାଓ କରାଡଙ୍କ ସମେତ ଅର୍ଥ ମନ୍ତ୍ରଣାଳୟର ବରିଷ୍ଠ ଅଧିକାରୀଙ୍କ ଏବଂ ବଜେଟ ପ୍ରେସ୍‌ର ସଦସ୍ୟମାନେ ମଧ୍ୟ ଉପସ୍ଥିତ ଥିଲେ। ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନଙ୍କ ଉପସ୍ଥିତିରେ ନର୍ଥ ବ୍ଲକରେ ସ୍ଥିତ ଅର୍ଥ ମନ୍ତ୍ରଣାଳୟରେ ହଲୱା ସମାରୋହ ଆୟୋଜିତ ହୋଇଥିଲା। ଏହାପରେ ସମସ୍ତଙ୍କୁ ହଲୱା ବଣ୍ଟନ କରାଯାଇଥିଲା। ଗତ ଦୁଇ ବର୍ଷ ଭଳି ୨୦୨୩-୨୪ର କେନ୍ଦ୍ର ବଜେଟ ମଧ୍ୟ କାଗଜବିହୀନ ବା ପେପରଲେସ୍‌ରେ ଉପସ୍ଥାପିତ ହେବ। ଫେବୃଆରୀ ୧ରେ ଏହା ଉପସ୍ଥାପିତ ହେବ। ସୀତାରାମନଙ୍କ ବଜେଟ ଭାଷଣ ସମାପ୍ତ ହେବା ପରେ ଉଭୟ ଆଣ୍ଡ୍ରଏଡ ଏବଂ ଆଇଓଏସ୍‌ ପ୍ଲାଟଫର୍ମରେ ‘ୟୁନିଅନ ବଜେଟ ମୋବାଇଲ ଆପ’ରେ ବଜେଟ ଡକ୍ୟୁମେଣ୍ଟ ଉପଲବ୍ଧ ହେବ ବୋଲି ଅର୍ଥ ମନ୍ତ୍ରଣାଳୟ ବୁଧବାର ଟୁଇଟ କରି ସୂଚନା ଦେଇଥିଲା। ହଲୱା ସମାରୋହ ପଛରେ ବିଶ୍ୱାସ ରହିଛି କି ପ୍ରତ୍ୟେକ ଶୁଭ କାମ କରିବା ପୂର୍ବରୁ କିଛି ମିଠା ଖାଇବା ଉଚିତ୍‌। ଭାରତୀୟ ପରମ୍ପରାରେ ହାଲୱାକୁ ମଧ୍ୟ ବହୁତ ଶୁଭ ବୋଲି କୁହାଯାଇଥାଏ। ଏହି ପରମ୍ପରା ଅନୁଯାୟୀ ବର୍ତ୍ତମାନର ଅର୍ଥମନ୍ତ୍ରୀ ନିଜେ ବଜେଟ ସହିତ ଜଡିତ କର୍ମଚାରୀ, ବଜେଟ ମୁଦ୍ରଣ ସହିତ ଜଡିତ କର୍ମଚାରୀ ଏବଂ ଅର୍ଥ ଅଧିକାରୀଙ୍କୁ ହଲୱା ବଣ୍ଟନ କରନ୍ତି। ହାଲୱା ସମାରୋହ ପରେ ଅର୍ଥ ମନ୍ତ୍ରଣାଳୟର ତଳ ମହଲାରେ ଥିବା ପ୍ରିଣ୍ଟିଂ ହାଉସରେ ଗୁରୁବାରଠାରୁ ବଜେଟ ଉପସ୍ଥାପନା ପର୍ଯ୍ୟନ୍ତ ଅର୍ଥ ମନ୍ତ୍ରଣାଳୟର ୧୦୦ରୁ ଅଧିକ ଅଧିକାରୀ ଏବଂ କର୍ମଚାରୀ ରହିବେ। ବଜେଟ ଉପସ୍ଥାପିତ ନ ହେବା ପର୍ଯ୍ୟନ୍ତ ସେମାନଙ୍କୁ ବାହାରକୁ ଆସିବାକୁ ଦିଆଯିବ ନାହିଁ। ଏଥିସହ ସେମାନେ ନିଜ ପରିବାର ସଦସ୍ୟଙ୍କ ସହିତ କୌଣସି ସମ୍ପର୍କ ରଖିବେ ନାହିଁ ଏବଂ ସେମାନଙ୍କୁ ଘରକୁ ଯିବାକୁ ମଧ୍ୟ ଅନୁମତି ଦିଆଯିବ ନାହିଁ। ଏତଦ୍‌ ବ୍ୟତୀତ ଇଣ୍ଟରନେଟ ଏବଂ ଫୋନ୍‌ର ମଧ୍ୟ କୌଣସି ବ୍ୟବସ୍ଥା ରହିବ ନାହିଁ ବୋଲି ସୂଚନା ରହିଛି।

Share