ଚୁକ୍ତିଭିତ୍ତିକ ହାଇସ୍କୁଲ ଶିକ୍ଷକଙ୍କ ଦାବି ପୂରଣ ନେଇ ମନ୍ତ୍ରୀଙ୍କ ପ୍ରତିଶ୍ରୁତି

ଭୁବନେଶ୍ୱର,୫।୪(ବ୍ୟୁରୋ): ରାଜ୍ୟର ସରକାରୀ ହାଇସ୍କୁଲରେ ଚୁକ୍ତିଭିତ୍ତିକ ନିଯୁକ୍ତି ପାଇଥିବା ଶିକ୍ଷୟିତ୍ରୀ ଶିକ୍ଷକ ଦୀର୍ଘଦିନ ଧରି ସ୍ଥାୟୀ ନିଯୁକ୍ତି ଦାବି କରିଆସୁଛନ୍ତି। ବାରମ୍ବାର ଧାରଣା, ବିକ୍ଷୋଭ ଓ ଆଲୋଚନା ସତ୍ତ୍ୱେ କିଛି ସୁଫଳ ନ ମିଳିବାରୁ ଗତ ୧ ତାରିଖରେ ଓଡ଼ିଶା ସରକାରୀ ହାଇସ୍କୁଲ ଚୁକ୍ତିଭିତ୍ତିକ ଶିକ୍ଷକ ସଂଘ ଓ ୩ ତାରିଖରେ ଓଡ଼ିଶା ସରକାରୀ ହାଇସ୍କୁଲ ସିବିଟି ଶିକ୍ଷକ ସଂଘ ପୁଣି ଆନ୍ଦୋଳନକୁ ଓହ୍ଲାଇଥିଲା। ସୋମବାର ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ କମିଶନର ତଥା ସଚିବ ଅଶ୍ୱଥି ଏସ୍‌ଙ୍କ ନିର୍ଦ୍ଦେଶକ୍ରମେ ଅତିରିକ୍ତ ସଚିବ ଅଶ୍ୱିନୀ ମିଶ୍ର ଓଡ଼ିଶା ସରକାରୀ ହାଇସ୍କୁଲ ଚୁକ୍ତିଭିତ୍ତିକ ଶିକ୍ଷକ ସଂଘର ଏକ ଛଅଜଣିଆ ପ୍ରତିନିଧି ଦଳ ସହ ଆଲୋଚନା କରିଥିଲେ। ସେହିପରି ମଙ୍ଗଳବାର ବିଦ୍ୟାଳୟ ଓ ଗଣଶିକ୍ଷାମନ୍ତ୍ରୀ ସମୀର ରଞ୍ଜନ ଦାଶ ଓଡ଼ିଶା ସରକାରୀ ହାଇସ୍କୁଲ ସିବିଟି ଶିକ୍ଷକ ସଂଘର ୧୦ ଜଣିଆ ପ୍ରତିନିଧି ଦଳ ସହ ଆଲୋଚନା କରି ଦାବି ପୂରଣ ନେଇ ପ୍ରତିଶ୍ରୁତି ଦେଇଥିଲେ। ଏଥିସହ ଉଭୟ ସଂଘର ଦାବି ଅନୁସାରେ ଚୁକ୍ତିଭିତ୍ତିକ ନିଯୁକ୍ତି ଉଚ୍ଛେଦ ସହ ସ୍ଥାୟୀ ନିଯୁକ୍ତି ନେଇ ବିଜ୍ଞପ୍ତି ପ୍ରକାଶ ପାଇଁ ପ୍ରତିଶ୍ରୁତି ପାଇବା ପରେ ଲୋୟର ପିଏମ୍‌ଜି ଧାରଣାସ୍ଥଳରୁ ଆନ୍ଦୋଳନରତ ଅନେକ ଶିକ୍ଷୟିତ୍ରୀ ଶିକ୍ଷକ ଘରକୁ ଫେରିଛନ୍ତି। ହେଲେ ଆନ୍ଦୋଳନ ପ୍ରତ୍ୟାହୃତ ହୋଇ ନ ଥିବା ଉଭୟ ସଂଘ ପକ୍ଷରୁ ସୂଚନା ଦିଆଯାଇଛି। ବୁଧବାର ବିଭାଗ ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପରେ ସମସ୍ତ ଶିକ୍ଷୟିତ୍ରୀ ଶିକ୍ଷକ ଧାରଣାରୁ ଓହରିବେ ବୋଲି କହିଛନ୍ତି।