ମନ୍ତ୍ରୀଙ୍କ କୁଶପୁତ୍ତଳିକା ପୋଡ଼ିଲେ

ଭବାନୀପାଟଣା/କୋକସରା,୮।୧୧(ସ୍ବ.ପ୍ର./ଡି.ଏନ.ଏ.): ମମିତା ମେହେର ହତ୍ୟାକାଣ୍ଡ ନେଇ କଳାହାଣ୍ଡି ଜିଲାର ବିଭିନ୍ନ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଭାଜପା ବିକ୍ଷୋଭ କରିବା ସହ ମୁଖ୍ୟମନ୍ତ୍ରୀ ଓ ୨ମନ୍ତ୍ରୀଙ୍କ କୁଶପୁତ୍ତଳିକା ଦାହ କରିଛି। ଜୁନାଗଡରେ ପୂର୍ବତନ ମନ୍ତ୍ରୀ ହିମାଂଶୁ ଶେଖର ମେହେରଙ୍କ ନେତୃତ୍ୱରେ ସ୍ଥାନୀୟ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମେତ ଗୃହରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ଓ ଆଇନମନ୍ତ୍ରୀ ପ୍ରତାପ ଜେନାଙ୍କ କୁଶପୁତ୍ତଳିକା ଦାହ କରାଯାଇଛି। ମମିତାଙ୍କୁ ନ୍ୟାୟ ନ ମିଳିବା ପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀ, ଗୃହ ରାଷ୍ଟ୍ରମନ୍ତ୍ରୀ ଓ ଆଇନ ମନ୍ତ୍ରୀଙ୍କୁ ସାମାଜିକ ବାସନ୍ଦ ଘୋଷଣା କରାଯାଇଛି। ମମିତା ମେହେରଙ୍କୁ ଯେଭଳି ଭାବେ ସୁଚିନ୍ତିତ ହତ୍ୟା କରାଯାଇଛି ତାହା ଓଡିଶା ପାଇଁ ଏକ କଳଙ୍କ ବୋଲି କହିଛି ଭାଜପା। ସେହିପରି ଏଥିରେ ଗୃହ ରାଷ୍ଟ୍ରମନ୍ତ୍ରୀ କ୍ୟାପଟେନ୍‌ ମିଶ୍ରଙ୍କ ସମ୍ପୃକ୍ତି ରହିଥିବାରୁ ତାଙ୍କୁ ତୁରନ୍ତ ବହିସ୍କାର ଓ ଗିରଫ ଦାବି କରାଯାଇଛି। ଏହି ବିକ୍ଷୋଭରେ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ମନୋଜ ମେହେର, ଜିଲା ପୌରାଞ୍ଚଳ ସଂଯୋଜକ ମୁକେଶ ଅଗ୍ରୱାଲ, ବ୍ଲକ ଉପାଧ୍ୟକ୍ଷ ଟଙ୍କଧର ନାଏକ, ଜିଲା ଉପସଭାପତି ଅଜୟ ପାଣିଗ୍ରାହୀ, କାଳୀପ୍ରସାଦ ରାୟଗୁରୁ, ଜିଲା ସମ୍ପାଦକ ସତ୍ୟ ବେହେରା ପ୍ରମୁଖ ଉପସ୍ଥିତ ଥିଲେ। କୋକସରା ମଣ୍ଡଳ ସଭାପତି ତ୍ରିନାଥ ବାଗଙ୍କ ଅଧ୍ୟକ୍ଷତାରେ ଗୋଦାବରୀଶ ପାତ୍ର, କୁନ୍ତି ପାଲ, ଦୁର୍ଗା ପ୍ରସାଦ ପ୍ରଧାନୀ, ଗଣେଶ ନନ୍ଦ, ଅର୍ଜୁନ ଭାଟି, ସମ୍ପାଦକ ମଧୁବନ ପାତ୍ର ପ୍ରମୁଖ ଭାଜପା କର୍ମକର୍ତ୍ତା ଉପସ୍ଥିତ ଥିଲେ।