ବିନା ଲାଇଫ୍‌ ଜ୍ୟାକେଟରେ ଧବଳେଶ୍ୱର ଗଲେ ମନ୍ତ୍ରୀ

ଖୁଣ୍ଟୁଣୀ,୧୯।୨(ଡି.ଏନ୍‌.ଏ.): କଟକ ଜିଲାର ପ୍ରସିଦ୍ଧ ଶୈବପୀଠ ବାବା ଧବଳେଶ୍ୱରଙ୍କ ଶନିବାର ଥିଲା ଜାଗର ଯାତ୍ରା। ଶ୍ରଦ୍ଧାଳୁଙ୍କ ସମାଗମକୁ ଦୃଷ୍ଟିରେ ରଖିବା ସହ ଝୁଲାପୋଲର ମରାମତି ଚାଲିଥିବାରୁ ପୂର୍ବରୁ ୧୪୪ ଧାରା ଲାଗିଥିବା ବେଳେ ଡଙ୍ଗା ଯାତ୍ରାକୁ ମଧ୍ୟ ପ୍ରଶାସନ ବନ୍ଦ ରଖିଛି। କେହି ଡଙ୍ଗାରେ ନଦୀ ପାର ହୋଇ ଦର୍ଶନ ପାଇଁ ଗଲେ ନିରାପତ୍ତା ଦୃଷ୍ଟିରୁ ଲାଇଫ୍‌ ଜ୍ୟାକେଟ ବାଧ୍ୟତାମୂଳକ କରାଯାଇଛି। ହେଲେ ଏହି ନିୟମ ସାଧାରଣ ଲୋକଙ୍କ ପାଇଁ କଡାକଡି ଥିବାବେଳେ ଶନିବାର ରାଜ୍ୟର ଜଣେ ମନ୍ତ୍ରୀ ନିୟମକୁ ମାନି ନ ଥିବା ଦେଖିବାକୁ ମିଳିଛି। ଶନିବାର ରାଜସ୍ବ ଓ ବିପର୍ଯ୍ୟୟ ପ୍ରଶମନ ମନ୍ତ୍ରୀ ପ୍ରମିଳା ମଲ୍ଲିକ ତାଙ୍କ ପରିବାର ସହିତ ବାବା ଧବଳେଶ୍ୱରଙ୍କ ଦର୍ଶନ ପାଇଁ ଆସିଥିଲେ। ତେବେ ସେ ଆସିବା ପୂର୍ବରୁ ସେଠାରେ ପୋଲିସ ପ୍ରଶାସନ ସହିତ ଆଠଗଡ଼ ଉପଜିଲାପାଳ ହେମନ୍ତ କୁମାର ସ୍ବାଇଁ, ତହସିଲଦାର ପ୍ରିୟବ୍ରତ ଦାସ ପ୍ରମୁଖ ମନ୍ତ୍ରୀଙ୍କୁ ଅପେକ୍ଷା କରିଥିଲେ। ମନ୍ତ୍ରୀ ପ୍ରମିଳା ପହଞ୍ଚତ୍ବା ପରେ ତାଙ୍କୁ ବିନା ଲାଇଫ୍‌ ଜ୍ୟାକେଟରେ ବୋଟରେ ନେଇ ଧବଳେଶ୍ୱରଙ୍କ ଦର୍ଶନ କରାଇବା ସହ ପୂଜାର୍ଚ୍ଚନା କରିଥିଲେ। ଏହାପରେ ମନ୍ତ୍ରୀ ପ୍ରମିଳା ପୁନର୍ବାର ଡଙ୍ଗା ଯୋଗେ ଫେରି ଆସିଥିଲେ। ଏହି ଦୃଶ୍ୟକୁ କେତେଜଣ ଶ୍ରଦ୍ଧାଳୁ ମୋବାଇଲରେ ଉଠାଇଥିଲେ। ମନ୍ତ୍ରୀଙ୍କ ଏଭଳି ନିୟମ ନ ମାନି ଡଙ୍ଗାରେ ଯିବାକୁ ନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି। ଏପରି କି ଏହାର କିଛି ସମୟରେ ଆଉ ଜଣେ ମନ୍ତ୍ରୀଙ୍କ ସମ୍ପର୍କୀୟ ମଧ୍ୟ ଆଲୋଚନା ହେଉଛି। ଲୋକଙ୍କ କହିବା ଅନୁଯାୟୀ, ମନ୍ତ୍ରୀ ପ୍ରମିଳାଙ୍କ ଗସ୍ତ ପରେ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁଙ୍କ ଭାଇ ଅଜୟ ପ୍ରତାପ ସ୍ବାଇଁ ମଧ୍ୟ ବୋଟରେ ଯିବାବେଳେ ଲାଇଫ୍‌ ଜ୍ୟାକେଟ ପିନ୍ଧି ନ ଥିଲେ। ହେଲେ ନିକଟରେ ଗଣମାଧ୍ୟମ ପ୍ରତିନିଧି ଫଟୋ ଉତ୍ତୋଳନ କରିବା ଦେଖି ସେ ଲାଇଫ୍‌ ଜ୍ୟାକେଟ ପିନ୍ଧି ପୁଣି କୂଳରେ ଲାଗିବା ପୂର୍ବରୁ ବାହାର କରିଦେଇଥିଲେ। ତେବେ ମନ୍ତ୍ରୀ ଭଳି ବଡ଼ବଡ଼ିଆଙ୍କ ଏଭଳି ନିୟମକୁ ଅବମାନନା କରିବା ନେଇ ଆଠଗଡ଼ ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଛି। ଏ ନେଇ ତହସିଲଦାର ପ୍ରିୟବ୍ରତ ଦାସ କହିଛନ୍ତି, ବୋଟ ଭିତରେ ଆବଶ୍ୟକଠାରୁ ବହୁ କମ ଲୋକ ଥିଲେ। ଏଣୁ ଲାଇଫ୍‌ ଜ୍ୟାକେଟ ପ୍ରତି କେହି ଗୁରୁତ୍ୱ ଦେଇ ନ ଥିଲେ।