କୋରାପୁଟ,୨୬ା୧(ଅମିତାଭ ବେହେରା): କୋରାପୁଟ ପୋଲିସ ପଡ଼ିଆରେ ରବିବାର ଜିଲା ପ୍ରଶାସନ ପକ୍ଷରୁ ଅନୁଷ୍ଠିତ ୭୬ତମ ଜିଲାସ୍ତରୀୟ ସାଧାରଣତନ୍ତ୍ର ଦିବସ ମହାସମାରୋହରେ ପାଳିତ ହୋଇଯାଇଛି। ମୁଖ୍ୟ ଅତିଥି ରାଜ୍ୟ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଯୋଗଦେଇ ପତାକା ଉତ୍ତୋଳନ କରିବା ସହ ସମ୍ବଳିତ ପରେଡକୁ ଅଭିବାଦନ କରିଥିଲେ । ଭାରତର ସମ୍ବିଧାନ କୋଟି କୋଟି ଭାରତୀୟଙ୍କ ପାଇଁ ଗୌରବର ଗାଥା ବହନ କରିଛି। ଦେଶପାଇଁ ଯେଉଁ ଜନନାୟକମାନେ ବଳିଦାନ ଦେଇଛନ୍ତି ଆଜି ତାଙ୍କ ପାଇଁ ସ୍ମୃତି ସଂକଳ୍ପ ଦିନ ବୋଲି ମନ୍ତ୍ରୀ ବକ୍ତବ୍ୟରେ କହିଥିଲେ। କୋରାପୁଟ ଜିଲା ହେଉଛି ପ୍ରାକୃତିକ ସୌନ୍ଦର୍ଯ୍ୟର ଗନ୍ତାଘର, ଏହି ମାଟିର ଲକ୍ଷ୍ମଣ ନାୟକ ସମେତ ବହୁ ସ୍ବାଧୀନତା ସଂଗ୍ରାମୀ ନିଜ ଜୀବନକୁ ବଳିଦାନ ଦେଇ ଭାରତର ସ୍ବାଧୀନତା ଆଣିବାରେ ତାଙ୍କର ଅବଦାନକୁ ସେ ନମନ କରିଥିଲେ। ସମ୍ମାନିତ ଅତିଥି ଭାବେ କୋରାପୁଟ ବିଧାୟକ ରଘୁରାମ ମାଛ, ଜିଲାପାଳ ଭି କୀର୍ତି ଭାସନ, ଡିଆଇଜି ନିତିନ ଶେଖର ,ଏସ୍ପି ରାଜେଶ ବର୍ମା ପ୍ରମୁଖ ଉପସ୍ଥିତ ଥିଲେ।
ଜିଲାସ୍ତରୀୟ ପରେଡରେ ମୋଟ ୨୪ଟି ଦଳ ଅଂଶଗ୍ରହଣ କରିଥିବାବେଳେ ୬ଟି ବିଭିନ୍ନ ବିଭାଗର ପ୍ରଜ୍ଞାପନ ମେଢ଼ ପ୍ରଦର୍ଶନ କରାଯାଇଥିଲା। ଏହି ଅବସରରେ ମନ୍ତ୍ରୀ ପରେଡ ଅଭିବାଦନ ଗ୍ରହଣ କରିବା ସହ ସେଠାରେ ଆୟୋଜିତ ଏକ ରକ୍ତଦାନ ଶିବିରକୁ ଶୁଭାରମ୍ଭ କରିଥିଲେ। ଉଲେଖନୀୟ କାର୍ଯ୍ୟ କରିଥିବା ସରକାରୀ କର୍ମଚାରୀଙ୍କୁ ସମ୍ମାନିତ କରିଥିଲେ। ପରେ ସ୍ଥାନୀୟ ମଣ୍ଡଳକାରାଗାର ଓ ମେଡିକାଲକୁ ଯାଇ ଅନ୍ତେବାସୀ ଓ ରୋଗୀମାନଙ୍କୁ ଫଳ ଓ ବିସ୍କୁଟ ପ୍ରଦାନ କରିଥିଲେ। ଜିଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ସ୍ବରାଜ୍ୟ ଶିଶା କାର୍ଯ୍ୟକ୍ରମ ପରିଚାଳନା କରିଥିବାବେଳେ ଆଧ୍ୟାପକ ରବି ଶତପଥି କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ।


