ଭୁବନେଶ୍ୱର,୬।୧: ରାଜ୍ୟରେ ଧାନ କିଣା ପ୍ରକ୍ରିୟାକୁ ନେଇ ସୃଷ୍ଟି ହୋଇଥିବା ସଂକଟ ଦୂର ହେବାର ନାଁ ଧରୁନି। ମଙ୍ଗଳବାର ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ସହ ରାଇସ୍ ମିଲର ସଂଘର ବୈଠକ ପୁଣିଥରେ ବିଫଳ ହୋଇଛି। ଗତକାଲି ପରେ ଆଜିର ଆଲୋଚନା ମଧ୍ୟ ବିଫଳ ହେବାରୁ ସାରା ରାଜ୍ୟରେ ଚାଉଳ କଳ ପରିଚାଳନା ବନ୍ଦ ରହିବ ବୋଲି ସଂଘ ଘୋଷଣା କରିଛି।
ସରକାରଙ୍କ ପକ୍ଷରୁ କୌଣସି ବିଧିବଦ୍ଧ ବିଜ୍ଞପ୍ତି ବା ଲିଖିତ ପ୍ରତିଶ୍ରୁତି ନ ମିଳିବାରୁ ମିଲରମାନେ ନିଜ ଜିଦ୍ରେ ଅଟଳ ରହିଛନ୍ତି।
ସଂଘର ମୁଖ୍ୟ ଦାବି ଗୁଡିକ ହେଉଛି ରକ୍ଷଣାବେକ୍ଷଣ ଶୁଳ୍କ ପ୍ରଦାନ, ଅତିରିକ୍ତ ପ୍ରୋତ୍ସାହନ ରାଶି, ପରିବହନ ଖର୍ଚ୍ଚ ସଂଶୋଧନ ଏବଂ ଅରୁଆ ଚାଉଳ କ୍ଷେତ୍ରରେ ୧% ‘ଡ୍ରାଇଏଜ୍’ ବ୍ୟବସ୍ଥାର ପୁନଃ ପ୍ରଚଳନ। ସେପଟେ ଏହି ଅଚଳାବସ୍ଥା ଯୋଗୁଁ ବିଶେଷ କରି ପଶ୍ଚିମ ଓଡ଼ିଶାର ଚାଷୀମାନେ ଧାନ ବିକ୍ରି କରିବା ନେଇ ଏବେ ଅନିଶ୍ଚିତତା ମଧ୍ୟରେ ଅଛନ୍ତି।
ତେବେ ମିଲର ସଂଘର ଚେତାବନୀ ଦେଇଛନ୍ତି “ବିଧିବଦ୍ଧ ସରକାରୀ ଆଦେଶନାମା ଜାରି ନହେବା ପର୍ଯ୍ୟନ୍ତ ସମସ୍ତ ଜିଲାରେ ଧାନ ସଂଗ୍ରହ ପ୍ରକ୍ରିୟା ବନ୍ଦ ରହିବ। ପୂର୍ବରୁ ମୌଖିକ ପ୍ରତିଶ୍ରୁତି ପାଇ ଆମେ କାର୍ଯ୍ୟ କରିଥିଲୁ, କିନ୍ତୁ ଏଥର ଆଉ ନୁହେଁ।”
ଅନ୍ୟପଟେ, ଖାଦ୍ୟ ଯୋଗାଣ ବିଭାଗ ସମାଧାନ ପାଇଁ ଅଧିକ ସମୟ ମାଗିଥିବା ବେଳେ ରାଜ୍ୟରେ ଏବେ ଚାଉଳ ସଙ୍କଟ ସୃଷ୍ଟି ହେବାର ଆଶଙ୍କା ଦେଖାଦେଇଛି। ଆଗାମୀ ରଣନୀତି ପ୍ରସ୍ତୁତ କରିବା ପାଇଁ ମିଲର ସଂଘ ପକ୍ଷରୁ ଏକ ପୃଥକ ବୈଠକ ଅନୁଷ୍ଠିତ ହେବ।


